• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୈଶାଖ ମାସର ପୂର୍ଣ୍ଣିମା ଦିନ ଜନ୍ମ ହୋଇଥିଲେ ଭଗବାନ ଗୌତମ ବୁଦ୍ଧ । ତେଣୁ ଏହି ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା (Buddha Purnima 2023) କୁହାଯାଏ। ମହାତ୍ମା ବୁଦ୍ଧ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି ବିବେଚନା କରାଯାଏ । ଐତିହାସିକଙ୍କ ମତରେ ଗୌତମ ବୁଦ୍ଧ ଜନ୍ମ ଖ୍ରୀଷ୍ଟପୂର୍ବ ୫୬୩-୪୮୩ ମସିହାର ମଧ୍ୟଭାଗରେ ଘଟିଥିଲା । ସେ ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ନେପାଳର ଏକ ଅଂଶ । ମହାତ୍ମା ବୁଦ୍ଧ ବୁଦ୍ଧପୂର୍ଣ୍ଣିମା ଦିନ ହିଁ କୁଶୀନଗରରେ ଦେହତ୍ୟାଗ କରିଥିଲେ । ଏବେ ଆସନ୍ତୁ ଜାଣିବା ବୁଦ୍ଧ ପୂର୍ଣ୍ଣିମାର ମହତ୍ତ୍ୱ ଏବଂ କାହାଣୀ . .

ବୁଦ୍ଧ ପୂର୍ଣ୍ଣିମାର ମହତ୍ତ୍ୱ:

ପୌରାଣିକ ମାନ୍ୟତା ଅନୁସାରେ ମହାତ୍ମା ବୁଦ୍ଧ ଭଗବାନ ବିଷ୍ଣୁଙ୍କ ନବମ ଅବତାର । ଲୋକମାନେ ଏହି ଦିନ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ଉପବାସ ରଖନ୍ତି । କେବଳ ଏତିକି ନୁହେଁ ବୌଦ୍ଧ ଧର୍ମର ଲୋକମାନେ ଏହି ଦିନକୁ ଏକ ପର୍ବ ଭାବରେ ପାଳନ କରନ୍ତି । ଧାର୍ମିକ ସ୍ଥାନରେ ଏକତ୍ରିତ ହୋଇ ସାମୁହିକ ଭାବରେ ପୂଜାପାଠ କରନ୍ତି ବୌଦ୍ଧ ଧର୍ମାବଲମ୍ବୀ ।

ଦେଖନ୍ତୁ ଭିଡିଓ | ପାହାଡ଼କୁ କାଟି ତିଆରି ହୋଇଛି ଭଗବାନ ବୁଦ୍ଧଙ୍କ ପ୍ରତିମା, ଯାହା ବିଶ୍ୱରେ ସବୁଠୁ ବଡ଼

ବୌଦ୍ଧ ଧର୍ମାବଲମ୍ବୀ ଏବଂ ହିନ୍ଦୁ ଧର୍ମର ଲୋକମାନେ ବୁଦ୍ଧ ପୂର୍ଣ୍ଣିମାଙ୍କୁ ଅତି ଭକ୍ତିର ସହିତ ପାଳନ କରନ୍ତି । ବୁଦ୍ଧ ପୂର୍ଣ୍ଣିମା ପର୍ବ ବୁଦ୍ଧ ଧର୍ମର ଆଦର୍ଶ ଏବଂ ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଏ । ଏହି ପର୍ବ ସମସ୍ତଙ୍କୁ ଶାନ୍ତିର ବାର୍ତ୍ତା ଦେଇଥାଏ । ବୌଦ୍ଧ ଧର୍ମାବଲମ୍ବୀମାନେ ପୂଜାପାଠ କରିବାକୁ ଏହି ଦିନ ବୋଧଗୟା ପରିଦର୍ଶନ କରନ୍ତି । ଲୋକମାନେ ବୋଧି ବୃକ୍ଷକୁ ପୂଜା କରନ୍ତି । ପିପଲ ଗଛକୁ ବୋଧି ବୃକ୍ଷ କୁହାଯାଏ । କ୍ଷୀର ଏବଂ ଅତର ସହିତ ମିଶ୍ରିତ ପାଣିକୁ ଗଛ ମୂଳରେ ଅର୍ପଣ କରାଯାଇଥାଏ । ଏହାସହ ପିପଳ ଗଛରେ ସୋରିଷ ତେଲ ଦୀପ ମଧ୍ୟ ଜଳେଇ ଥାଆନ୍ତି ଶ୍ରଦ୍ଧାଳୁ ।

ଓଡ଼ିଶାରେ ବୁଦ୍ଧ ପୂର୍ଣ୍ଣିମା:

ବୁଦ୍ଧ ପୂର୍ଣ୍ଣିମାରେ ଓଡ଼ିଶାର ବୌଦ୍ଧ ଧର୍ମାବଲମ୍ବୀମାନେ ଭୁବନେଶ୍ୱରର ଧଉଳିଗିରି ଓ ବୌଦ୍ଧ ବିହାର ଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ ।

ଦେଶବିଦେଶରେ ପାଳନ ହୁଏ ବୁଦ୍ଧ ପୂର୍ଣ୍ଣିମା:

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ ବୁଦ୍ଧ ପୂର୍ଣ୍ଣିମା । ଚୀନ୍, ନେପାଳ, ସିଙ୍ଗାପୁର, ଭିଏତନାମ, ଥାଇଲ୍ୟାଣ୍ଡ, ଜାପାନ, କାମ୍ବୋଡିଆ, ମାଲେସିଆ, ଶ୍ରୀଲଙ୍କା, ମିଆଁମାର, ଇଣ୍ଡୋନେସିଆ ପ୍ରମୁଖ ଦେଶରେ ଖୁବ୍‌ ଧୁମଧାମରେ ପାଳନ ହୁଏ ବୁଦ୍ଧ ପୂର୍ଣ୍ଣିମା । ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏହି ଅବସରରେ ଏକ ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଯେଉଁମାନେ ବୌଦ୍ଧ ଧର୍ମରେ ବିଶ୍ୱାସ ରଖନ୍ତି, ସେମାନେ ଏହି ଦିନ ନିଜ ଘରକୁ ଫୁଲ ଏବଂ ଦୀପରେ ସଜାନ୍ତି ।