କହିପାରିବେ କି ପଚାଶ ଶହେ ବର୍ଷ ତଳେ କେମିତି ଦିଶୁଥିଲା ଆମ ରାଜଧାନୀ ଭୁବନେଶ୍ୱର। କେମିତି ତିଆରି ହୋଇଥିଲା ଏ ସହର? ସହରର ପ୍ରସିଦ୍ଧ ସ୍ଥାନ ପୁରୁଣା ସମୟରେ କେମିତି ଲାଗୁଥିଲା ଦେଖିବାକୁ? ପୁରୁଣା ସମୟକୁ ଫେରିଯିବାକୁ ଚାହୁଁଥିଲେ ଥରେ ବୁଲି ଆସନ୍ତୁ ଏହି ଫଟୋ ପ୍ରଦର୍ଶନୀକୁ।
ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ଵର। ଏହାକୁ ଅଧିକ ଆକର୍ଷଣୀୟ କରିଛି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସିଟି ଫେଷ୍ଟିଭାଲ୍- ଡଟ୍ ଫେଷ୍ଟ। ଫେଷ୍ଟିଭାଲର ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଫଟୋଗ୍ରାଫି ପ୍ରଦର୍ଶନୀ 'ସେବେ ଓ ଏବେ'।

ଫଟୋ ଏମିତି ଏକ ମାଧ୍ୟମ ଯେଉଁଥିରେ ଅତୀତକୁ ଆମେ ଭବିଷ୍ୟତ ପାଇଁ ବାନ୍ଧି ରଖିଥାଉ। ବିତି ଯାଇଥିବା ପୁରୁଣା ଦିନକୁ ଆଉଥରେ ମନେ ପକାଇଥାଉ। ଐତିହ୍ୟର ସହର ଭୁବନେଶ୍ଵରକୁ ବିଷୟବସ୍ତୁ ଭାବରେ ଗ୍ରହଣ କରି ଆୟୋଜିତ ଏହି ପ୍ରଦର୍ଶନୀରେ ୪୦୦ରୁ ଉର୍ଦ୍ଧ୍ୱ ନୂଆ ଓ ପୁରୁଣା ଫଟୋଚିତ୍ର ସ୍ଥାନ ପାଇଛି। ଏକାମ୍ର କ୍ଷେତ୍ର ଭାବରେ ପୁରାଣରେ ପ୍ରସିଦ୍ଧ ଭାରତର ଅନ୍ୟତମ ତୀର୍ଥ କ୍ଷେତ୍ର ତ୍ରିଭୁବନେଶ୍ଵରଙ୍କ ନାମ ଅନୁସାରେ ଏହା ଭୁବନେଶ୍ଵର ହୋଇଛି। ପୁରାଣ ଯୁଗରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଲମ୍ବା ଯାତ୍ରା କରିଥିବା ଭୁବନେଶ୍ୱରକୁ ଯଥା ସମ୍ଭବ ବିଭିନ୍ନ ଫଟୋଗ୍ରାଫ୍ ମାଧ୍ୟମରେ ଉପସ୍ଥାପନ କରାଯାଇଛି।

ବିଭିନ୍ନ ପୁରୁଣା ପତ୍ର ପତ୍ରିକା, ବହି, ଲୋକସମ୍ପର୍କ ବିଭାଗ ଓ ଅନେକ ଫଟୋଗ୍ରାଫରଙ୍କ ପାଖରୁ ଏହି ଫଟୋଚିତ୍ର ସବୁ ସଂଗୃହିତ ହୋଇଛି। ସୋସିଆଲ୍ ମିଡିଆରେ ବିଜ୍ଞାପନ ଦିଆଯାଇ ଲୋକମାନଙ୍କଠାରୁ ମଧ୍ୟ କିଛି ଫଟୋ ସଂଗ୍ରହ କରାଯାଇଛି। ୧୮୬୮ ମସିହାରେ କେମିତି ଦିଶୁଥିଲା ପୁରୁଣା ମନ୍ଦିର ଓ ୧୯୪୮ରେ ଓଡ଼ିଶାର ନୂଆ ରାଜଧାନୀ ହେଲା ପରେ କେମିତି ଦିଶୁଥିଲା, ସେ ସମୟର ରାସ୍ତାଘାଟ ଓ ଘରଦ୍ଵାର ଏବଂ କେମିତି ଥିଲା ଷାଠିଏ ଓ ସତୁରୀ ଦଶକରେ ସାଧାରଣ ମଣିଷର ଜୀବନ ଦେଖିବାକୁ ହେଲେ, ଏହି ପ୍ରଦର୍ଶନୀକୁ ଯିବାକୁ ହେବ। ଏହା ସହ ଆଜିର ସହରର ମଧ୍ୟ ଅନେକ ଚମତ୍କାର ଫଟୋସବୁ ରହିଛି।
ପ୍ରଦର୍ଶନୀରେ ଯେ କେହିବି ଯେ କୌଣସି ସମୟରେ ଭାଗ ନେଇ ପାରିବେ। ସେଥିପାଇଁ ଭୁବନେଶ୍ୱରରେ ଉଠାଯାଇଥିବା ଫଟୋ photosofbbsr@gmail.com ମେଲ୍ ଆଇ.ଡିରେ ପଠାଇବାକୁ ହେବ। ଫଟୋଟି ମନୋନୀତ ହେଲେ ତାହା ପ୍ରଦର୍ଶିତ ହେବ। ପ୍ରଦର୍ଶନୀ ପରିସରରେ ଭୁବନେଶ୍ଵରର ଏକ ବିଶାଳ ମ୍ୟାପ୍ ରହିଛି, ଯେଉଁଥିରେ ପ୍ରତିଦିନ ମେଲ୍ ଜରିଆରେ ମିଳୁଥିବା ଫଟୋକୁ ସ୍ଥାନ ଦିଆଯାଉଛି। ୟୁନିଟ୍ ତିନି ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀ, ସବୁଦିନ ସକାଳ ଏଗାରଟାରୁ ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏହି ଫଟୋ ପ୍ରଦର୍ଶନୀଟିକୁ କ୍ୟୁରେଟ୍ କରିଛନ୍ତି ଚିତ୍ରଶିଳ୍ପୀ ଓ ଲେଖକ ଡ.ରମାକାନ୍ତ ସାମନ୍ତରାୟ।
ରମାକାନ୍ତ କୁହନ୍ତି- "ଏହି ଫଟୋଗ୍ରାଫ୍ ସବୁ ଭୁବନେଶ୍ୱର ସହର, ଏହାର ଲୋକ, ସମ୍ପ୍ରଦାୟ ଏବଂ ଜୀବନର ଏକ ଅନ୍ତରଙ୍ଗ ଚିତ୍ର ପ୍ରଦାନ କରିବ। ଏ ଫଟୋଗୁଡ଼ିକ ଏଥନୋଗ୍ରାଫିକ୍ କଳାକୃତି ପରି ଗୁରୁତ୍ୱପୂର୍ଣ୍ଣ। ଏହା ଭୁବନେଶ୍ୱରର ଏକ ଭିଜୁଆଲ୍ ଆର୍କାଇଭ୍ ଗଠନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ପ୍ରୋଜେକ୍ଟଟିକୁ ସଂଯୋଜନା କରୁଥିବା ଲେଖକ ତଥା ରିସର୍ଚ୍ଚର ସୁମିତ୍ରା ପାଢ଼ୀ ପ୍ରଦର୍ଶନୀକୁ ଆସୁଥିବା ଦର୍ଶକମାନଙ୍କ ଖୁସି ସମ୍ପର୍କରେ କହିଥିଲେ। କହିଥିଲେ, ଭିଜିଟର୍ ବୁକ୍ ରେ ଲେଖୁଥିବା ସେମାନଙ୍କ ମତାମତ ଓ ପ୍ରତିଦିନ ଦର୍ଶକମାନେ ପଠାଉଥିବା ଭୁବନେଶ୍ୱରର ନୂଆ ନୂଆ ଫଟୋ ବିଷୟରେ।

ଶେଷରେ "ସେବେ ଓ ଏବେ" ଶୀର୍ଷକର ଅର୍ଥ କ'ଣ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କୁହନ୍ତି- "ସେବେ" ଅତୀତର ଏକ ନିର୍ଦ୍ଦିଷ୍ଟ ତିଥି, ବାର, ତାରିଖ ବିଷୟରେ କହୁନି; କି "ଏବେ" ବର୍ତ୍ତମାନର ଏକ ନିର୍ଦ୍ଦିଷ୍ଟ ସମୟ ବିଷୟରେ କହୁନି। "ସେବେ ଓ ଏବେ" ସାମଗ୍ରିକ ଭାବେ ଭୁବନେଶ୍ଵର ସହର ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଲମ୍ବା ଯାତ୍ରା ବିଷୟରେ କହୁଛି। ଯାହାକୁ ଦେଖି ଆମ ସହରର ଅଗ୍ରଗତି ଓ ପରିବର୍ତ୍ତନର ଏକ ଧାରଣା କରିହେବ। ଏ ବିଷୟରେ ବିଷଦ ବୁଝାମଣା ପାଇଁ ସେ ପ୍ରଦର୍ଶନୀ ଆରମ୍ଭରେ ଦିଆଯାଇଥିୂବା କ୍ୟୁରେଟରିଆଲ୍ ନୋଟ୍ ପଢ଼ିବାକୁ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି।