/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668930527.jpg)
Bhagabata Melan
କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଶହଶହ ବର୍ଷ ଧରି ମହାଆଡ଼ମ୍ବରରେ ପାଳନ କରାଯାଉଛି ଭାଗବତ ମେଳଣ । ଆଉ ଏହି ମେଳଣ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଏ ପରମ୍ପରା ପାଳନ ହୋଇନଥିବା ବେଳେ ଏଥର କିନ୍ତୁ ଧୁମଧାମରେ ପାଳନ କରାଯାଇଛି ।
ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ । ଭଜନ କିର୍ତ୍ତନ ସାଙ୍ଗକୁ ନାମ ସଙ୍କିର୍ତ୍ତନ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସେହି ମାହାଙ୍ଗାରେ । ଆପଣ ଏହି କଥା ଶୁଣି ଭାବୁଥିବେ ଦୋଳ ମେଳଣ କଥା । କିନ୍ତୁ ନା । ଏ ହେଉଛି କଟକ ଜିଲ୍ଲା ମାହାଙ୍ଗାରେ କାହୁଁ କେଉଁ କାଳରୁ ପାଳିତ ହୋଇ ଆସୁଥିବା ଭାଗବତ ମେଳଣ । ଏଠି ପ୍ରତିଟି ବିମାନରେ ବିଜେ ହୋଇଛନ୍ତି ପ୍ରଭୁ ଜଗନ୍ନାଥ । ସାଥିରେ ଅଛନ୍ତି ଭାଗବତ । ଏହି ମେଳଣକୁ ଦାଣ୍ଡପିଣ୍ଡାରେ ମା ମାଉସୀ ମନ ଆନନ୍ଦରେ ଦେଖୁଥିବା ବେଳେ କୁନି ପିଲାଏ ମଧ୍ୟ ଖୋଳ କିର୍ତ୍ତନରେ ମଜ୍ଜିଥାନ୍ତି ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରୁ ଭାଗବତ ମେଳଣ ଆରମ୍ଭ ହୋଇ ଅଷ୍ଟମୀରେ ସମାପନ ହେଉଥିବା ବେଳେ ଏଥର ଏ ଅଞ୍ଚଳରେ ବ୍ୟାପକ ଆୟୋଜନ ହୋଇଛି । ଦିନ ସାରା ଭଜନ କିର୍ତ୍ତନ ସାଙ୍ଗକୁ ରାତିରେ ମନୋରଞ୍ଜନ ପାଇଁ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବାଜା ବାଣ ରୋଷଣୀ ସାଙ୍ଗକୁ ଝିକିମିକି ଆଲୁଅରେ ଝଲସୁଛି ବିମାନ । ପ୍ରତିଦିନ ବିମାନରେ ମହାପ୍ରଭୁ ଘର ଘର ବୁଲି ଭୋଗ ଖାଆନ୍ତି । ଗୋଟିଏ ଗାଁରେ ମେଳଣ ସାରିଲେ ଆର ଗାଁରେ ସମାନ ଢଙ୍ଗରେ ମେଳଣ ଅନୁଷ୍ଠିତ ହୁଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ଭାଗବତର ପ୍ରଚାର ପ୍ରସାର ସହିତ ଭାଇଚାରାର ଏକ ସମୃଦ୍ଧ ପରମ୍ପରା ବହନ ।
(ରିପୋର୍ଟ- ମନୋଜ ଆଚାର୍ଯ୍ୟ, ସାଲେପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)