• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ରାତି ପାହିଲେ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗ ମଞ୍ଚରେ ବରଗଡ଼ ଧନୁଯାତ୍ରା । ଜାନୁୟାରୀ ୩ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ୧୧ ଦିନ ଧରି ଚାଲିବ ଏହି ଯାତ୍ରା l ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜିବ ମଥୁରାନଗରୀ, ଅମ୍ବାପାଲି ପାଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ l ଏବେ ମଞ୍ଚ ପ୍ରସ୍ତୁତ କଳାକାର ପ୍ରସ୍ତୁତ l ଆଉ ରାତି ପାହିଲେ ଆରମ୍ଭ ହେବାକୁ ଥିବା ଧନୁଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା l 

ମଥୁରାରେ ଆରମ୍ଭ ହେବ କଂସ ରାଜୁତି, ଗୋପପୁରରେ ଲୀଳାଖେଳା କରିବେ ମହାପ୍ରଭୁ କୃଷ୍ଣ,ବଳରାମ l ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଖୋଳା ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ ଏବଂ ଅମ୍ବାପାଲି ହେବାକୁ ଥିବା ଗୋପପୁର ବି ସଜେଇ ହୋଇଛି । ଜାନୁୟାରୀ ୩ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ୧୧ ଦିନ ଧରି ଚାଲିବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ । କୃଷ୍ଣଙ୍କ ପ୍ରେମରେ ବିଭୋର ହେବେ ଗୋପୀ , ଗୋପଙ୍ଗନା ଓ ଗୋପପୁରବାସୀ ।

ଅମ୍ବାପାଲି ସାଜୁଥିବା ଗୋପପୁର ଏବେ ଉତ୍ସବ ମୁଖର । ଯମୁନା ନଦୀର ପରିଚୟ ପାଇବ ଜୀରା ନଦୀ । ସମସ୍ତେ ପାଲଟିଯିବେ ଜଣେ ଜଣେ କଳାକାର । କଂସ ମହାରାଜଙ୍କ ନ୍ୟାୟ ବିଚାର ଏବଂ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବେ ଲୋକେ । ବରଗଡ଼ ଓ ଅମ୍ବାପାଲି ସହରର ୨୭ ଟି ଖୋଳା ରଙ୍ଗ ମଞ୍ଚରେ ଅଭିନୟ କରିବେ କଳାକାର । ଆଉ ଏଥି ପାଇଁ ସରିଛି ମହୋତ୍ସବର ସମସ୍ତ ପ୍ରସ୍ତୁତି । ମହାରାଜା କଂସ ଓ ଅନ୍ୟ କଳାକାର ମାନଙ୍କ ପାଇଁ ହାତୀ,ଘୋଡ଼ା,ଓଟ ପହଞ୍ଚିଥିବା ବେଳେ ମଞ୍ଚ ପ୍ରସ୍ତୁତ ଓ କଳାକାର ମାନେ ମଧ୍ୟ ପ୍ରସ୍ତୁତ । ଅପେକ୍ଷା ସେହି ଶୁଭ ମୁହୂର୍ତ୍ତକୁ।

କଂସଙ୍କ ପାଇଁ ରଙ୍ଗ ମହଲ ଓ ରାଜ ଦରବାରର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କଳାକାର ମାନେ ବେଶ ଉତ୍ସାହିତ ଥିବାବେଳେ ବରଗଡବାସୀ ମଧ୍ୟ ଚାତକ ପକ୍ଷୀ ପରି ଚାହିଁ ରହିଛନ୍ତି ଧନୁଯାତ୍ରାକୁ । ବର୍ଷକରେ ଥରେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ହେଉଥିବାରୁ ସମସ୍ତେ ଧନୁଯାତ୍ରାକୁ ଅପେକ୍ଷା କରିଥାନ୍ତି। ସମସ୍ତଙ୍କ ମନରେ ବେଶ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ବରଗଡ଼ ପୋଲିସ ସଜାଗ ଓ ପୁରା ପ୍ରସ୍ତୁତ ରହିଛି । ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି , ଟ୍ରାଫିକ ବ୍ୟବସ୍ଥା ଓ ଲୋକଙ୍କ ସୁରକ୍ଷା ପାଇଁ କୋଡିଏ ପ୍ଲାଟୁନ ପୋଲିସ ଫୋର୍ସ,150 ଜଣ ଅଫିସର ଧନୁଯାତ୍ରାରେ ନିୟୋଜିତ ହେବେ । ଲୋକମାନେ ଧନୁଯାତ୍ରାକୁ କିଭଳି ଭଲ ଭାବରେ ଉପଭୋଗ କରିପାରିବେ ଓ ବିଭିନ୍ନ କାର୍ଯ୍ୟକ୍ରମର ମଜା ନେଇପାରିବେ ସେଥିପାଇଁ ବରଗଡ଼ ପୋଲିସ୍ ଦିନରାତି ସଜାଗ ଓ ପ୍ରସ୍ତୁତ ଥିବା ବରଗଡ଼ ଏସପି କହିଛନ୍ତି ।

(ରିପୋର୍ଟ- ଧର୍ମଦତ୍ତ, ବରଗଡ଼)

 

OTV is now on Whatsapp

Join and get latest news update delivered to you via whatsapp

Join Now