Advertisment

ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ, ଘୋଷଣା କଲେ ସରକାର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଛୁଟିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କାରଣ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି। କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Nuakhai

Nuakhai

ନୂଆଁଖାଇରେ ବନ୍ଦ ରହିବ  ବ୍ୟାଙ୍କ । ସେପ୍ଟେମ୍ବର ୧ ତାରିଖ ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବି ବନ୍ଦ ରଖାଯିବାକୁ ସରକାର ଘୋଷଣା କରିଛନ୍ତି । ନୂଆଁଖାଇରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କରିଛି ରାଜସ୍ୱ ବିଭାଗ ।

Advertisment

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧର୍ଯ୍ୟ ହୋଇସାରିଛି ଲଗ୍ନ । ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ସକାଳ ୧୦.୦୭ରୁ ୧୦.୨୧ ମଧ୍ୟରେ ସୁବର୍ଣ୍ଣପୁରରେ ଲାଗିହେବ ନବାନ୍ନ । ସେପଟେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ମଧ୍ୟ ଲଗ୍ନ ଧାର୍ଯ୍ୟ ହୋଇସାରିଛି । ମାଆଙ୍କଠାରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ଲାଗି ହେବ ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆ ଖାଇବେ।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଛୁଟିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କାରଣ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି। କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି। ଏହି ପ୍ରସଙ୍ଗ ନେଇ ବରଗଡ଼, ବଲାଙ୍ଗିର, ସମ୍ବଲପୁର ସମେତ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେଡି ନେତା କଳୀକେଶ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଛୁଟି ବଢ଼ାଇବାକୁ ନିବେଦନ କରିଛନ୍ତି।

Advertisment

ଏହାକୁ ନେଇ ବରଗଡ଼ରେ ଜୋରଦାର ଢଙ୍ଗରେ ବର୍ଷିଛି କୋଶଳ ସେନା। ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ କରିବା ସହ ଦାବିପତ୍ର ଦେଇଛି। କେବଳ ବରଗଡ଼ ନୁହେଁ, ତିନିଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି କୋଶଳ ସେନା ସ୍ମାରକପତ୍ର ଦେଇଥିଲା। ସମସ୍ତଙ୍କ ଦାବି ପଶ୍ଚିମ ଓଡ଼ିଶାବାସୀଙ୍କ ସାମୂହିକ ସ୍ୱାର୍ଥ ଏବଂ ସୁବିଧାକୁ ନେଇ ନୂଆଁଖାଇ ଛୁଟିକୁ ୩ଦିନ ଘୋଷଣା କରାଯାଉ।

ଆସନ୍ତା ୧ ତାରିଖରେ ପାଳନ ହେବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ। ଏହି ଗଣପର୍ବ ପାଇଁ କାମଧନ୍ଧା, ଚାକିରି, ବ୍ୟବସାୟକୁ ଛାଡ଼ି ବହୁ ଦୂର ଦୂରାନ୍ତରୁ ଘରକୁ ଫେରନ୍ତି ସମସ୍ତେ। ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇକୁ କେବେଳ ଦିନଟିଏ ଛୁଟି ଘୋଷଣା କରାଯାଇଛି। ଫଳରେ ଦୂରଦୂରାନ୍ତରୁ ଘରକୁ ଯାଇଥିବା ଲୋକଙ୍କ ପାଇଁ ସମସ୍ୟା ବଢୁଛି।

ଏପରିକି, କେନ୍ଦ୍ର ସରକାରଙ୍କ କୌଣସି ଅଫିସ କିମ୍ବା ବ୍ୟାଙ୍କ୍‌ ସମୂହର ଛୁଟି ତାଲିକାରେ ନୂଆଁଖାଇ ନ ଥିବାରୁ ସାରା ପଶ୍ଚିମ ଓଡିଶାରେ ଅସନ୍ତୋଷ ଦେଖାଦେଇଛି। ଏହାର ସମାଧାନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୨ ଦିନ ରାଜ୍ୟସ୍ତରୀୟ ଛୁଟି ଘୋଷଣା ଦାବି କରିଛନ୍ତି।

ତେଣେ ଆଉ ପାଦେ ଆଗକୁ ଯାଇ ୨ ବଦଳରେ ୩ ଦିନ ଛୁଟି ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା କଳୀକେଶ ସିଂଦେଓ। ପଶ୍ଚିମ ଓଡ଼ିଶାର ସବୁ ଅଫିସ୍‌, ବ୍ୟାଙ୍କ୍‌, ଶିକ୍ଷାନୁଷ୍ଠାନ ପାଇଁ ୩ ଦିନ ଛୁଟି ଘୋଷଣା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଳୀକେଶ।

Western Odisha Nuakhai Bank Closed
Advertisment
Advertisment