• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଁଖାଇ । ଦୁଇ ଦିନ ଧରି ଖୁବ୍‌ ମଜା ମସ୍ତି ହେଲା । ପୂରା ପଶ୍ଚିମ ଓଡ଼ିଶାରେ ଥିଲା ଉତ୍ସବର ମାହୋଲ । ଏବେ ବି ଉତ୍ସବ ସରିନି । ଘରେ ଘରେ ଚାଲିଛି ପିଠା ପଣା । କିଏ ତେଲ କରେଇରେ ଭଳିକି ଭଳି ପିଠା ଛାଣୁଛି ତ ଆଉ କିଏ ଦେଶୀ ଷ୍ଟାଇଲ୍‌ରେ ନୋଳରେ ବିରି ଚୁନା ବାଟୁଛି । ବର୍ଷ ତମାମ ଯେଉଁମାନେ ପରିବାରଠାରୁ ଦୂରରେ ରହୁଥିଲେ ସେମାନେ ଆଜି ଘରକୁ ଫେରିଛନ୍ତି । ତେଣୁ ଘରେ ଘରେ ହସଖୁସିର ମାହୋଲ । ସମସ୍ତେ ନୂଆ ଜାମା ପିନ୍ଧି ନବାନ୍ନ ଖାଇ ବଡ଼ ମାନଙ୍କର ଆର୍ଶୀବାଦ ନେଇଛନ୍ତି ।

ତେବେ ନୂଆଁଖାଇରେ ପିଠା ପଣା ତ ହେଲା । ସାଙ୍ଗ ସାଥି ସବୁ ଆସିଛନ୍ତି, ସେମାନଙ୍କ ସହ ମଜା ମସ୍ତି ବି ହେଲା । ତାପରେ ଏବେ ବୁଲାବୁଲି ପାଳି । ଆଉ ବୁଲାବୁଲି କଥା ଉଠିଲେ, ପ୍ରଥମେ ଆସେ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳି କଥା । ସେଠାରେ ଏହି ସମୟରେ ଜମୁଛି ପ୍ରବଳ ଭିଡ଼ି । ଯେମିତିକି ଗାଁରେ ମେଳଣ କିମ୍ବା ଯାତ୍ରା ଚାଲିଛି । ଶୋରିଷ ପକେଇବାକୁ ବି ଯାଗା ନାହିଁ ।

ତେବେ ସେହି ସ୍ଥାନଟି ହେଲା ଖଡ଼ିଆଳ ବ୍ଲକର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ରିଶିପିଟି । ଏଠାରେ ନାହିଁ ନଥିବାର ଭିଡ ଦେଖିବାକୁ ମିଳିଛି । ହଜାର ହଜାର ଲୋକ ପରିବାର ସହ ପାହାଡ ଚଢ଼ି ନୂଆଁଖାଇର ମଜା ନେଇଛନ୍ତି । ମାଆ ରିଶିପିଟିଏନ୍‌ଙ୍କ ଦର୍ଶନ ସହ ଅନ୍ୟାନ୍ୟ ସ୍ମୃତି ପୀଠ ବୁଲି ଦେଖିଛନ୍ତି ଲୋକେ । ବିଶ୍ୱାସ ଅନୁସାରେ ମାଆ ରିଶିପିଟିଏନ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ତାଙ୍କୁ ଯାହା ମାଗିଲେ ତାହା ଦିଅନ୍ତି । ତେଣୁ ଲୋକେ କୁହନ୍ତି ମାଆଙ୍କ ପାଖକୁ ଖାଲି ହାତରେ ଯାଆନ୍ତି କିନ୍ତୁ ଖାଲି ହାତରେ କେହି ଫେରନ୍ତିନି ।

ସେମିତି ଆଉ ଏକ ପର୍ଯ୍ୟଟନ ସ୍ଥଳୀ ହେଲା ତିଖାଲି । ଏଠାରେ ବି ଲୋକଙ୍କ ଭିଡ । ତିଖାଲି ଡ୍ୟାମ, ପାର୍କ ଓ ମନ୍ଦିର ବୁଲି ଦେଖିବାକୁ ଲୋକେ କାହିଁ କେତେ ଦୂରରୁ ଆସିଛନ୍ତି । ଏଠାରେ ଥିବା ଏକ ବିରାଟ ପଥର ଯାହା ଦେଖିବାକୁ ହାତୀ ପରି ଦିଶେ, ତାଙ୍କୁ ପୂଜା କରିବାକୁ କୁମାରୀ ଝିଅମାନେ ନୂଆଁଖାଇ ଦିନ ଆସିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ସେହି ଡଙ୍ଗରକୁ ମାଆ ଲକ୍ଷ୍ମୀ ନିଜ ବାହନ ସହ ଆସୁଥିଲେ ଓ ତାଙ୍କ ବାହନ ପ୍ରତୀକ ହେଉଛି ସେହି ପଥର, ଯାହାକୁ ଲୋକେ ଶ୍ରଦ୍ଧାରେ ହାତୀ ପଖାନ କହନ୍ତି । କେହି କେହି ଭଗବାନ ଯେଉଁ ହାତୀକୁ ମାରି ଗଣେଶଙ୍କ ମୁଣ୍ଡରେ ଲଗାଇଥିଲେ ଏହା ସେହି ହାତୀର ସ୍ମୃତି ବୋଲି ମଧ୍ୟ କୁହନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now