Advertisment

ଏଥର ଜମିବ ଧନୁଯାତ୍ରା ! ପୁରିଲା ୭୫ ବର୍ଷ, ପାଳନ ହେବ ଡାଇମଣ୍ଡ ଜୁବ୍‌ଲି

୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dhanuyatra

Dhanuyatra

ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆରମ୍ଭ ହୋଇଛି କଳାକାର ଚୟନ ପ୍ରକ୍ରିୟା । ଧନୁଯାତ୍ରା କଳାକାର ଚୟନ କମିଟି ପକ୍ଷରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅଡିସନ୍ ଆରମ୍ଭ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରର ୭ ଜଣିଆ ଜୁରି କମିଟି ବିଚାରକ ଭାବେ ଯୋଗଦେଇ କଳାକାର ମାନଙ୍କ  ଅଡିସନ୍ ନେଉଛନ୍ତି ।

Advertisment

ପ୍ରଥମ ଦିନରେ ଯାତ୍ରାର ପାର୍ଶ୍ୱ ଚରିତ୍ର ଯଥା ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଓ ସେନପତି ଭୂମିକା ପାଇଁ ଚୟନ ପ୍ରକ୍ରିୟା ଚାଲିଥିଲା । ଚଳିତ ବର୍ଷ ଉଗ୍ରସେନ ଭୂମିକା ପାଇଂ ୭ ଜଣ, ବସୁଦେବ ପାଇଁ ୧୯ ଜଣ, ନାରଦ ପାଇଁ ୧୪, ସେନାପତି ପାଇଁ ୩୭ ଓ ଦେବକୀ ଭୂମିକା ପାଇଁ ୮ଜଣ କଳାକାର ଅଡିସନରେ ସାମିଲ ହୋଇଛନ୍ତି । ଜଣଙ୍କ ପରେ ଜଣେ କଳାକାର ଜୁରି କମିଟି ଆଗରେ ନିଜ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି । ଆସନ୍ତା ୯ ତାରିଖରେ ଚାଣୁର ମୁଷ୍ଟିକ, ଆକ୍ରୁର ଭୂମିକା ପାଇଁ କଳାକାର ଚୟନ କରାଯିବ । ସେହିପରି ୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।

ତେବେ ଏଥର କିଏ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ? ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂଆ କରି ହେବ କଳାକାର ଚୟନ। ଯାତ୍ରାର ମହାନାୟକ କଂସ ମହାରାଜଙ୍କ ସମେତ ଦେବକୀ, ବସୁଦେବ, ଉଗ୍ରସେନ, ମହାମନ୍ତ୍ରୀ, ସେନାପତି, ଆଦି ପ୍ରମୁଖ ଚରିତ୍ର ପାଇଁ ଆବେଦନ ଲାଗି ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ବିଜ୍ଞାପନ ପରେ ଜିଲ୍ଲାପାଳଙ୍କ ଅଫିସରେ କଳାକାରଙ୍କ ଗହଳି ଦେଖିବାକୁ ମିଳିଥିଲା ।

Advertisment

କଳାକାର ପାଇଁ ଆବେଦନର ଶେଷ ତାରିଖ ଥିଲା ଅକ୍ଟୋବର ୩୧ ତାରିଖ । ଏପରିକି ଅନଲାଇନ୍‌ରେ ବି ଦରଖାସ୍ତ ଦାଖଲର ସୁବିଧା ଥିଲା । ଏଥିପାଇଁ ଯୋଗ୍ୟତା ଥିଲା- ଖୋଲା ମଞ୍ଚରେ ବିନା ପାଣ୍ଡୁଲିପିରେ ଅଭିନୟ ଦକ୍ଷତା । ସର୍ତ୍ତ ହେଲା- ଏଠି ଅଭିନୟ କରୁଥିବା କଳାକାର ଅନ୍ୟସ୍ଥାନରେ ସେହି ଭୂମିକାରେ ଅଭିନୟ କରିପାରିବେ ନାହିଁ । ତେବେ କେବଳ କଂସ ଭୂମିକା ୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ବୟସସୀମା ରହିଛି ।

ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ । ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା । ତେଣୁ ଏହି ଚରିତ୍ରର ଡିମାଣ୍ଡ ଅଧିକ ନାମୀ ଦାମୀ କଳାକାରଙ୍କ ଇଚ୍ଛା, କଂସ ଭୂମିକାଟି ମିଳନ୍ତା କି । କାରଣ କଳା ପ୍ରଦର୍ଶନ ସହିତ ଆଧ୍ୟାତ୍ମିକ ଦିଗ ବି ରହିଛି। ହେଉ ପଛେ ଅଭିନୟ, ଶ୍ରୀକୃଷ୍ଣଙ୍କ ମାମୁଁ ହେବା ବଡ଼ ସୌଭାଗ୍ୟର କଥା । ତେଣୁ ଏଇ ଭୂମିକାରେ ଅଭିନୟ ପାଇଁ ଏଥର ୪୦ରୁ ଅଧିକ ଆଶାୟୀ ରହିଥିଲେ ।

ଏ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ପୂରିବ । ହୀରକ ଜୟନ୍ତୀ ପାଳନ କରିବ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚର ନାଟକ । ତେଣୁ ଏଥର ଯାତ୍ରାକୁୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ଲକ୍ଷ୍ୟ ରଖିଛି ଧନୁଯାତ୍ରା ମହୋତ୍ସବ ସମିତି । ଡିସେମ୍ବର ୨୩ରୁ ଜାନୁଆରି ୬ ତାରିଖ ଯାଏ ହେବ ବରଗଡ଼ ଧନୁଯାତ୍ରା ।

Dhanu Jatra Dhanuyatra
Advertisment
Advertisment