• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ମହାନବମୀ । କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରେ ଆଜି ନବମୀପୂଜା ଅନୁଷ୍ଠିତ ହୋଇଯାଇଛି । ତେବେ ଆଜି ନବମୀରେ କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ମାଛଭୋଗ ଓ ଦହି ପଖାଳ ଭୋଗ କରାଯିବାର ପରମ୍ପରା ଚାଲିଆସିଛି।

ବ୍ୟସ୍ତ ରୋଷେଇୟା । ପ୍ରସ୍ତୁତି ବି ବେଶ ରୋଚକ । ପ୍ରଥମେ ଅନ୍ନ ରୋଷେଇ ପରେ ତାକୁ ଥଣ୍ଡା କରାଯାଇଥାଏ । ଏହା ପରେ ଏଥିରେ ବସା ଦହି ମିଶାଯାଇଥାଏ । ପରେ ଶୁଖିଲା ଲଙ୍କା, ସୋରିଷ ଓ ଭୁଷଙ୍ଗପତ୍ରର ଛୁଙ୍କ ଦିଆଯାଇଥାଏ । ପରେ କଞ୍ଚା ଲଙ୍କା, ଧନିଆ, ପୋଦିନା, କଳାଲୁଣ, ଧଳାଲୁଣ ଓ ଆମ୍ବକଷିଆ ଅଦା ପକାଯାଇ ପ୍ରସ୍ତୁତ ହୁଏ ଦହିପଖାଳ ।

ଏହାକୁ ଆହୁରି ସୁସ୍ୱାଦୁ କରବା ପାଇଁ କଦଳୀ, ବେଦନା ଓ ଫଳଶେଓ ପକାଯାଇଥାଏ । ମା’ ଦୁର୍ଗା ମହିଷାସୁରକୁ ବଧ କରିବା ପରେ ଉଗ୍ର ରୂପ ଧାରଣ କରିଥାନ୍ତି । ଏଣୁ ଶୀତଳ ଦହି ଓ ଅନ୍ନ ରେ ମା’ଙ୍କୁ ଶାନ୍ତି କରାଯାଇଥାଏ ।

ତେବେ କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ । ମହାନଦୀରୁ ସ୍ୱତନ୍ତ୍ର ଭାବେ ମାଛ ଆସିଥାଏ । ଅଷ୍ଟମୀ ଦିନ ମା’ଙ୍କ ଆଜ୍ଞାମାଳ ଯାଇ କୈବର୍ତ୍ତ ଡଙ୍ଗାରେ ଲାଗିଲା ପରେ ଧୀବର ମାନେ ମାଛ ଧରିଥାନ୍ତି । ପାଖାପାଖି ୫ ହଜାର ଭକ୍ତଙ୍କ ପାଇଁ ପ୍ରତିବର୍ଷ ମାଛ ଭୋଗ ପ୍ରସ୍ତୁତ କରାଯାଇଥାଏ ।

  • Reported by:
  • PRAVAT BISOI