• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ । ସମସ୍ତ ସରକାରୀ ଚିଠି ପତ୍ର ଓଡ଼ିଆରେ ଲେଖିବେ ଅଧିକାରୀ । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏଭଳି କେତେ କ’ଣ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର, ହେଲେ ଏସବୁ କେବଳ ଘୋଷଣାରେ ରହିଯାଇଛି । କାଁ ଭାଁ କିଛି ଯାଗାରେ ଓଡ଼ିଆରେ ଅଣନିଃଶ୍ୱାସୀ ହୋଇପଡ଼ିଛି ଓଡ଼ିଆ ଭାଷା ।

ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟାଳୟରେ ଲାଗିଛି ଇଂରାଜୀରେ ନୋଟିସ୍ । କାର୍ଯ୍ୟାଳୟ ପରିସରରେ ପର୍ଯ୍ୟଟନ ବିଭାଗ ମାନଚିତ୍ର ଠାରୁ କାର୍ଯ୍ୟାଳୟକୁ ରାସ୍ତା ଲେଖା ମଧ୍ୟ, ଇଂରାଜୀ । ଏହି କାର୍ଯ୍ୟାଳୟକୁ ଲାଗି ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟର ନୋଟିସ୍ ବୋର୍ଡ଼ରେ ମଧ୍ୟ ଇଂରାଜୀର ଲେଖା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବି ସବୁ ସୂଚନା ରହିଛି ଇଂରାଜୀରେ ।

ଅଧିକ ପଢ଼ନ୍ତୁ: ଅନ୍ତର୍ଜାତୀୟ ମାତୃଭାଷା ଦିବସର ଗୁରୁତ୍ୱ ଓ ଇତିହାସ

ଏପରିକି ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ସୂଚନା ମଧ୍ୟ ଇଂରାଜୀରେ ହିଁ ଲେଖାଯାଇଛି । ଓଡିଆ ରାଜ୍ୟ ଓଡ଼ିଶା ରେ ଇଂରାଜୀ ଭାଷାର ଏଭଳି ବେଧଡକ ବ୍ୟବହାରକୁ ନାପସନ୍ଦ କରିଛନ୍ତି ଭାଷାବିତ୍ । କେବଳ ସରକାରୀ ସ୍ତରରେ ନୁହେଁ ବେସରକାରୀ ଅନୁଷ୍ଠାନ ମଧ୍ୟ ଓଡ଼ିଆ ବଦଳରେ ଇଂରାଜୀ ଭାଷାକୁ ଅଧିକ ବ୍ୟବହାର କରୁଛନ୍ତି ।

ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ‌ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ ।

ସେପଟେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ କହିଛନ୍ତି, ଏ ଦିଗରେ ପଦକ୍ଷେପ ନିଆଯାଇଛି । ଯିଏ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଜୋରିମାନା କରାଯିବାକୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୦୧୬ରେ ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବାକୁ ସରକାର ଘୋଷଣା କଲେ ।

ନାମଫଳକ, ବିଜ୍ଞପ୍ତି, ନିର୍ଦ୍ଦେଶନାମା ସହ ସମସ୍ତ ଚିଠିପତ୍ର ଓଡ଼ିଆରେ ଲେଖିବାକୁ ଆଇନ୍ ଅଣାଗଲା । ବେସରକାରୀ ସ୍ତରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ବାଧ୍ୟତାମୂଳକ କରାଗଲା । ହେଲେ ଘୋଷଣାର ୬ ବର୍ଷ ପରେ ବି ବାସ୍ତବସ୍ଥିତି କିନ୍ତୁ ଭିନ୍ନ । ଏବେ ଅପେକ୍ଷା ସରକାରଙ୍କ ଆଇନ୍ କେବେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଉଛି ଏବଂ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆନ୍ତରିକତା ଓ ଆଗ୍ରହ ବଢୁଛି ।