Advertisment

Sulochana Latkar Death: ଆଉ ନାହାନ୍ତି ବଲିଉଡ୍ ମା’ ସୁଲୋଚନା

ପ୍ରସିଦ୍ଧ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ ହୋଇଛି। ସେ ଜୁନ୍ ୪ରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଅଭିନେତ୍ରୀଙ୍କ ଝିଅ କଞ୍ଚନ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତା ଖବର ଦେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Sulochana Latkar died at 94 worked in 300 bollywood and Marathi movies

Sulochana Latkar died at 94 worked in 300 bollywood and Marathi movies

'ଶ୍ରୀ ୪୨୦', 'ନାଗିନ୍' ଏବଂ 'ଅବ୍‌ ଦିଲି ଦୂର୍‌ ନହିଁ' ଭଳି ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ ହୋଇଛି। ସେ ଜୁନ୍ ୪ ରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଅଭିନେତ୍ରୀଙ୍କ ଝିଅ କଞ୍ଚନ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତା ଖବର ଦେଇଥିଲେ।

Advertisment

କଞ୍ଚନ କହିଥିଲେ, ଶ୍ୱାସକ୍ରିୟା ଏବଂ ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୩, ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ତାଙ୍କୁ ନିରନ୍ତର ଭେଣ୍ଟିଲେଟରରେ ଅମ୍ଳଜାନ ଦିଆଯାଉଥିଲା। ଦୁର୍ଭାଗ୍ୟବଶତଃ ସେ ମୃତ୍ୟୁର ଯୁଦ୍ଧକୁ ହାରିଗଲେ।

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ମହାଭାରତର ‘ଶକୁନି ମାମା’ ଗୁଫି ପେଣ୍ଟଲ୍‌

ସୁଲୋଚନା ଅମିତାଭ ବଚ୍ଚନ, ଦିଲୀପ କୁମାର ଏବଂ ଧର୍ମେନ୍ଦ୍ରଙ୍କ ପରି ଭେଟେରାନ ଅଭିନେତାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି। ସେ ୧୯୪୦ ମସିହାରେ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ବଲିଉଡ୍‌ର ଅନେକ ସେଲିବ୍ରେଟି ସୁଲୋଚନାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

Advertisment

ଅମିତାଭ ବଚ୍ଚନ ତାଙ୍କ ଅନ୍-ସ୍କ୍ରିନ୍ ମା’ଙ୍କୁ ମନେପକାଇ କହିଛନ୍ତି, "ନିରୁପା ଜୀଙ୍କ ପରେ ସେ ମୋ ମା’ ଭାବେ ସର୍ବାଧିକ ସଂଖ୍ୟକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସୁଲୋଚାନା ଜୀ ପ୍ରକୃତରେ ଉଭୟ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଜଣେ ମା’ ଥିଲେ। ମୋର ଏବେ ବି ମନେଅଛି ମୋର ୭୫ ତମ ଜନ୍ମଦିନରେ ସେ ମୋତେ ସୁନ୍ଦର ହସ୍ତାକ୍ଷରରେ ଚିଠି ପଠେଇଥିଲେ। ମୁଁ ପାଇଥିବା ସବୁଠାରୁ ପ୍ରିୟ ଉପହାର ମଧ୍ୟରୁ ଏହା ଅନ୍ୟତମ।"

ମାଧୁରୀ ଦୀକ୍ଷିତ ମଧ୍ୟ ସମବେଦନା ଜଣେଇ ଟ୍ୱିଟର୍‌ରେ ଲେଖିଛନ୍ତି, "ସୁଲୋଚନା ଦିଦି ତାଙ୍କର ଜଣେ ସବୁଠାରୁ ପ୍ରିୟ ତଥା ସ୍ନେହୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ସହିତ ମୋର ସବୁଠାରୁ ପ୍ରିୟ ଚଳଚ୍ଚିତ୍ର ହେଉଛି ‘ସାଙ୍ଗେତ ଆଇକା’। ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସ୍ମରଣୀୟ ଥିଲା। ଭାରତୀୟ ସିନେମାରେ ଆପଣଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।”

ଅଭିନେତା ରିତେଶ ଦେଶମୁଖ ଟ୍ୱିଟରରେ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, “ସୁଲୋଚାନା ଦିଦିଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ହିନ୍ଦୀ ଏବଂ ମରାଠୀ ସିନେମା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଏହି ମହାନ୍ ଅଭିନେତ୍ରୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି।”

Amitabh Bachchan Bollywood Dharmendra Dillip Kumar
Advertisment
Advertisment