• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନୋରଞ୍ଜନ ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । 'ମହାଭାରତ' ସିରିଏଲରେ ଶକୁନି ମାମା ଭୂମିକାରେ ଅଭିନୟ କରିଥିବା ଭେଟେରାନ ଅଭିନେତା ଗୁଫି ପେଣ୍ଟଲ ଆଉ ନାହାଁନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ମୃତ୍ୟୁ ଖବରରେ ଉଭୟ ଟିଭି ଏବଂ ସିନେ ଜଗତ ସ୍ତବ୍ଧ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ଅମିତାଭ ବଚ୍ଚନ, ଦିଲୀପ କୁମାରଙ୍କ ଅନ୍‌ସ୍କ୍ରିନ୍ ମା’ ସୁଲୋଚନା

ଅସୁସ୍ଥତା କାରଣରୁ ଅଭିନେତା ଗୁଫି ପେଣ୍ଟଲ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅନେକ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ। କିନ୍ତୁ ଆଜି ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ୭୮ ବର୍ଷ ବୟସରେ ଗୁଫି ପେଣ୍ଟଲ ଶେଷ ନିଶ୍ୱାସ ତ୍ୟାଗ କରି ସିନେ ଜଗତରୁ ସବୁଦିନ ପାଇଁ ବିଦାୟ ନେଛନ୍ତି । ଆଜି ଅପରାହ୍ନରେ ହିଁ ଅନ୍ଧେରିରେ ଅଭିନେତାଙ୍କ ଶେଷ ରୀତିନୀତି ଅନୁଷ୍ଠିତ ହେବ ।

ପୂର୍ବରୁ ସେନାରେ କାମ କରୁଥିଲେ ଗୁଫି

ଗୁଫି ପେଣ୍ଟଲଙ୍କୁ ଟିଭି ଶୋ 'ମହାଭାରତ'ର ଶକୁନି ମାମା ଭାବରେ ଜାଣନ୍ତି ଦର୍ଶକ । ତାଙ୍କର ବହୁ ସଂଖ୍ୟାରେ ପ୍ରଶଂସକ ଅଛନ୍ତି । ଗୁଫି ପେଣ୍ଟଲ ଜଣେ ଅଭିନେତା ହେବା ପୂର୍ବରୁ ସେନାରେ କାମ କରୁଥିଲେ । ତାଙ୍କ ଭାଇ ଅମରଜିତ ପେଣ୍ଟଲ ବଲିଉଡରେ ସକ୍ରିୟ ଥିଲେ । ଭାଇଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ମଧ୍ୟ ମୁମ୍ବାଇ ଆସି ଜଣେ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ।

ଏହି ଟିଭି ଶୋରେ କହିଛନ୍ତି କାମ

ଗୁଫି ପେଣ୍ଟାଲ 'ମହାଭାରତ' ସମେତ ଅନେକ ଟିଭି ଶୋ’ରେ କାମ କରିଛନ୍ତି । ସେ 'ଆକବର ବିରବଲ', 'ସିଆଇଡି' ଏବଂ 'ରାଧା କୃଷ୍ଣ' ପରି ଅନେକ ଶୋ’ରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । କିନ୍ତୁ ଗୁଫି ବି.ଆର ଚୋପ୍ରାଙ୍କ ସିରିଏଲ 'ମହାଭାରତ'ରୁ ଘରେ ଘରେ ପରିଚିତ ହୋଇପାରିଥିଲେ । ଆଜି ବି ଲୋକମାନେ ତାଙ୍କୁ ଶକୁନି ମାମା ନାମରେ ଜାଣିଛନ୍ତି । ସେସମୟରେ ତାଙ୍କର ଚରିତ୍ର ତାଙ୍କର ପରିଚୟ ପାଲଟି ଯାଇଥିଲା ।

ସେହିପରି ଗୁଫି ପେଣ୍ଟଲ(Gufi Paintal Passed Away) 'ଦାବା', 'ସୁହାଗ', 'ଦେଶ ପରଦେଶ' ଭଳି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଟିଭି ଏବଂ ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ଗୁଫି କାଷ୍ଟିଂ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଷ୍ଟାର୍ ପ୍ଲସରେ ତାଙ୍କର ଶେଷ ଶୋ’ ଥିଲା ଜୟ କାନହାଇୟା ଲାଲ୍ କି ।

ବର୍ତ୍ତମାନ ଏହି ଦିଗଜ୍‌ ଅଭିନେତାଙ୍କ ବିୟୋଗ ପରେ ଶୋକର ଛାୟା ଖେଳିଯାଇଛି । ଏହି ଅଭିନେତା ହୁଏତ ଆଜି ଦୁନିଆ ଛାଡି ଚାଲି ଯାଇଛନ୍ତି, କିନ୍ତୁ ପ୍ରଶଂସକଙ୍କ ହୃଦୟରେ ସେ ସର୍ବଦା ଜୀବନ୍ତ ରହିବେ ।