Advertisment

Saif Ali Khan Stabbed: ୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍‌ଙ୍କୁ ଛୁରାମାଡ଼ର ରହସ୍ୟ; ଡାକ୍ତର କହିଲେ ସୂତା ସୂତାକରେ ବଞ୍ଚିଛି ଜୀବନ

ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' ।

author-image
Sujit kumar Swain
undefined

Saif Ali Khan Stabbed

୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ର ରହସ୍ୟ। ସ୍ପାଇନ ସର୍ଜରୀ ପରେ ସେ ବିପଦମୁକ୍ତ ଥିଲେ ବି, ସପ୍ତାହେ ଯାଏଁ ତାଙ୍କୁ ଚଲାବୁଲା ମନା। ତେବେ ଡାକ୍ତରଙ୍କ କହିବା କଥା, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୈଫ୍। ଛୁରି ଆଉ ମାତ୍ରେ ସୂତାଏ ଭିତରକୁ ପଶିଥିଲେ ସ୍ପାଇନାଲ୍ କର୍ଡରେ ବାଜିଥାନ୍ତା। ସେପଟେ ଛୁରାମାଡ଼ କରିଥିବା ଦୁର୍ବୃତ୍ତର ଆଉ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିବା ବେଳେ, ସେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ କିପରି ପଟୌଦୀ ନବାବଙ୍କ ଆପାର୍ଟମେଣ୍ଟରେ ପଶିଲା, ତାକୁ ନେଇ ଏବେବି ସପେନ୍ସ ଲାଗି ରହିଛି ।

Advertisment

ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' । ଅଢ଼େଇ ଇଞ୍ଚର ଛୁରି ଟୁକୁଡ଼ା ଯାହା ଭାଙ୍ଗି ଅଟକି ଯାଇଥିଲା ସୈଫଙ୍କ ମେରୁଦଣ୍ଡରେ। ଅଢ଼େଇ ଘଣ୍ଟାର ସ୍ପାଇନ୍ ସର୍ଜରୀ କରି କାଢ଼ିଥିଲେ ଲୀଳାବତୀ ହସ୍ପିଟାଲର ଡାକ୍ତର। ଛୁରୀ ସ୍ପାଇନାଲ୍ କର୍ଡ ଠାରୁ ଆଉ ମାତ୍ର ୨ ମିଲିମିଟର ଦୂରରେ ଥିଲା ବୋଲି କହିଛନ୍ତି ଡାକ୍ତର। ଆଉ ମାତ୍ର ୨ ମିଲିମିଟର ଗଭୀରକୁ ଯାଇଥିଲେ, ଅର୍ଥାତ୍ ଗୋଟିଏ ସୋରିଷ ଯେତିକି ଭିତରକୁ ଯାଇଥିଲେ, ତାହା ସୁଷମ୍ନାକାଣ୍ଡକୁ କ୍ଷତି କରିଥାନ୍ତା। ସୈଫ ଏବେ ବିପଦ ମୁକ୍ତ ଥିବା ବେଳେ, ତାଙ୍କୁ ଆଇସିୟୁରୁ ବାହାର କରି ସ୍ପେଶାଲ ରୁମକୁ ସ୍ଥାନାନ୍ତର କରାଯାଇଛି। ସୈଫ୍ ଯେଉଁଭଳି ଭାବେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୮ ବର୍ଷର ପୁଅକୁ ଧରି ନିଜେ ଚାଲିଚାଲି ହସ୍ପିଟାଲ ଭିତରକୁ ଆସିଥିଲେ, ସେ ଖୁବ୍ ସାହସୀ ଓ ରିୟଲ୍ ହିରୋ ବୋଲି କହିଛନ୍ତି ଡାକ୍ତର। ସେପଟେ ସୈଫ ଚାଲିପାରିବେ କି ନାହିଁ ବୋଲି ଯେଉଁ ଆଶଙ୍କା ଉପୁଜିଥିଲା, ତାକୁ ଦୂର କରିଛନ୍ତି ଡାକ୍ତର । କହିଛନ୍ତି ତାଙ୍କ ଚଳପ୍ରଚଳ କରିବାରେ କୌଣସି ସମସ୍ୟା ହେବନି । ସେ ୨-୩ ଦିନ ଭିତରେ ଡିସଚାର୍ଜ ହେବେ। । ତେବେ ସ୍ପାଇନ୍ ସର୍ଜରୀ ହୋଇଥିବାରୁ ଏବଂ ଇନଫେକ୍ସନ ଆଶଙ୍କା ଥିବାରୁ, ତାଙ୍କୁ ବିଶ୍ରାମ ଦରକାର। ପ୍ରାୟ ସପ୍ତାହେ ପାଇଁ ସୈଫଙ୍କୁ ଚଳପ୍ରଚଳ କରିବାକୁ ବାରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

Advertisment

ଏପଟେ ଦୁର୍ବୃତ୍ତର ଭିଡିଓ କଏଦ ହୋଇଥିବା ଦୁଇଟି ସିସିଟିଭି ଫୁଟେଜ ଉପରେ। ରାତି ୧ଟା ୩୭ରେ ମୁହଁକୁ ଘୋଡ଼ାଇ ପଶିଥିଲା, ୨ଟା ୩୩ରେ ବ୍ୟସ୍ତ ବିବ୍ରତ ହୋଇ ବାହାରିବା ବେଳକୁ ମୁହଁ ଢାଙ୍କିବାକୁ ତର ନଥିଲା। ସତଗୁରୁ ଶରଣ ଆପାର୍ଟମେଣ୍ଟର ୧୧ତମ ମହଲାରେ ସୈଫଙ୍କୁ ଆକ୍ରମଣ ହୋଇଥିବା ବେଳେ, ସିସିଟିଭି ଫୁଟେଜ୍ ହେଉଛି ଷଷ୍ଠ ମହଲା ଶିଡ଼ିର। ସୈଫଙ୍କ ଆପାର୍ଟମେଣ୍ଟ ଭିତରେ ପ୍ରାୟ ଅଧଘଣ୍ଟାରୁ ଘଣ୍ଟାଏ କାଳ ରହିଥିଲା ଦୁର୍ବୃତ୍ତ। ତେବେ ଗେଟ୍ ଓ ଲବି ସମେତ ଅନ୍ୟ କୌଣସି ସିସିଟିଭି କ୍ୟାମେରାରେ ତାର ଭିଡିଓ କଏଦ ହୋଇନଥିବାରୁ, ସେ ପାଖ ବିଲ୍ଡିଂର ପାଚେରି ଡେଇଁ ଆପାର୍ଟମେଣ୍ଟରେ ପଶିଥିବା ଅନୁମାନ କରୁଛି ପୋଲିସ। ଏଥିସହ ସେ ସୈଫଙ୍କ କୌଣସି ଘରୋଇ ସହାୟକଙ୍କ ପରିଚିତ ହୋଇଥାଇପାରେ। ତାକୁ ଆପାର୍ଟମେଣ୍ଟର ନକ୍ସା ସଂପର୍କରେ କେହି ପୂର୍ବରୁ ଅବଗତ କରିଛି। ନଚେତ୍ ସେ ପୂର୍ବରୁ ସେଠାରେ ରେକି କରିଛି ବୋଲି ସନ୍ଦେହ କରାଯାଉଛି। ଘରେ ଜୋରଜବରଦସ୍ତ ପଶିବାର ବି କିଛି ଚିହ୍ନବର୍ଣ୍ଣ ନାହିଁ। ଅଭିଯୁକ୍ତ ଶେଷଥର ପାଇଁ ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସେ ଡ୍ରେସ୍ ବଦଳାଇ ସକାଳୁ ଲୋକାଲ୍ ଟ୍ରେନ୍ ଧରି ୱସାଇ ବିହାର ପଳାଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସର ୨୦ଟି ଟିମ୍ ୱସାଇ ଓ ନାଲାସୋପାରା ଅଞ୍ଚଳରେ ଛାନଭିନ କରୁଛି। ଏବେବି କେବଳ ଚୋରି ଉଦ୍ୟମ ବ୍ୟତୀତ ଦୁର୍ବୃତ୍ତର ଅନ୍ୟ କୌଣସି ମୋଟିଭ୍ ଖୋଜି ପାଉନି ପୋଲିସ।

ଏସବୁ ଭିତରେ ବାନ୍ଦ୍ରା ଥାନାରେ ଅଟକ ଜଣେ ସନ୍ଦିଗ୍ଧକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାକୁ ଖଣ୍ଡନ କରିବା ସହ, ସୈଫଙ୍କୁ ଆକ୍ରମଣ ମାମଲା ସହ ତା'ର କୌଣସି ସଂପର୍କ ନାହିଁ ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

Saif Ali Khan Doctors Stabbed
Advertisment
Advertisment