• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଞ୍ଚ ଅଛି, ମାଇକ୍ ଅଛି । ଆଉ ତାଳି ମାରିବା ଅପେକ୍ଷାରେ ଅଛନ୍ତି ମନୋରଞ୍ଜନ ପିପାସୁ ଦର୍ଶକ । ହେଲେ ସେମାନଙ୍କୁ ହସାଇ ହସାଇ ବେଦମ୍ କରିଦେଉଥିବା ମଣିଷଟି ଚିରଦିନ ପାଇଁ ନିରବି ଯାଇଛି । ପ୍ରାୟ ୨ ଦଶନ୍ଧି ଧରି ହସ ବାଣ୍ଟୁଥିବା ମଣିଷଟି ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛି ଅଫେରା ରାଇଜକୁ। ଦିନ ଥିଲା କେବଳ ଫିଲ୍ମ, ଟିଭି ଓ ନାଟକର ଚରିତ୍ରମାନଙ୍କ କମେଡି ସହ ପରିଚିତ ଥିଲେ ଭାରତୀୟ ଦର୍ଶକ । ହେଲେ ଯେଉଁ ହାତଗଣତି ହାସ୍ୟ କଳାକାର ଦେଶରେ ଷ୍ଟାଣ୍ଡ୍ଅପ୍ କମେଡିର ଧାରା ଆରମ୍ଭ କରିଥିଲେ, ରାଜୁ ଶ୍ରୀବାସ୍ତବ ଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ । ବାଦ୍ୟଯନ୍ତ୍ରର ଧୁନରେ ମଞ୍ଚକୁ ଆସି କେବଳ ଗୋଟିଏ ମାଇକ୍ ଧରି ଅନେକ ମଜାଳିଆ କଥା, କମେଡି ଟାଇମିଂ ଓ ମିମିକ୍ରିରେ ଦର୍ଶକଙ୍କୁ ହସର ଅସରନ୍ତି ଖୋରାକ୍ ଯୋଗାଇ ଆସୁଥିବା ରାଜୁ, ୨୦୦୫ରେ ଏକ ଟିଭି କମେଡି ସୋରୁ ପାଇଥିଲେ ବିପୁଳ ଆଦୃତି । ପ୍ରଶଂସକଙ୍କ ମନରେ ଘର କରିଯାଇଥିଲେ ଗଜୋଧର ଭୈୟା ଭାବରେ ।

୨୦୦୫ରୁ ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ପାଇଥିଲେ ବି, ଟିଭି ଓ ସିନେମା ଶିଳ୍ପ ପାଇଁ ନୂଆ ନଥିଲେ ରାଜୁ ଶ୍ରୀବାସ୍ତବ । ଉତ୍ତରପ୍ରଦେଶ କାନପୁରରେ ଜନ୍ମିତ ରାଜୁଙ୍କୁ ମିମିକ୍ରି ବା ଅଭିନେତାଙ୍କ ନକଲ ପାଇଁ ଗାଁରେ ବେଶ୍ ପ୍ରଶଂସା ମିଳୁଥିଲେ ମଧ୍ୟ ୨୦ ବର୍ଷ ବୟସରେ ମୁମ୍ବାଇ ଆସିବା ପରେ ବେଶ୍ କିଛି ବର୍ଷ ସଂଘର୍ଷ କରିବାକୁ ପଡ଼ିଥିଲା । ରୋଲ ଟିଏ ପାଇବା ପାଇଁ ମୈନେ ପ୍ୟାର୍ କିୟା, ବାଜିଗର, ବମ୍ବେ ଟୁ ଗୋଆ ଓ ଆମଦାନୀ ଅଠନ୍ନି ଖର୍ଚ୍ଚା ରୂପୟା ଆଦି ଫିଲ୍ମ ସହିତ; ଦେଖ୍ ଭାଇ ଦେଖ୍, ଶକ୍ତିମାନ ଆଦି ଟିଭି ସିରିଆଲରେ ସେ ଅଭିନୟ କରିଥିଲେ । ତେବେ ତାଙ୍କ ଭାଗ୍ୟ ବଦଳାଇଦେଇଥିଲା ୨୦୦୫ର ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ସ ଚ୍ୟାଲେଞ୍ଜ । ବିଭିନ୍ନ କମେଡି ସୋ ବ୍ୟତୀତ ସେ ବିଗବସ୍ ଓ ନାଚ୍ ବାଲିୟେଁ ଆଦି ସୋରେ ମଧ୍ୟ ଭାଗ ନେଇଥିଲେ । ୨୦୨୦ରେ ତରଙ୍ଗ ସିନେ ଆଓ୍ୱାର୍ଡସରେ ଯୋଗଦେବା ପାଇଁ ଓଡ଼ିଶା ଆସଥିଲେ । ରାଜନେତା ଭାବେ ୨୦୧୪ରେ ସମାଜବାଦି ପାର୍ଟି ପକ୍ଷରୁ ତାଙ୍କୁ ଲୋକସଭା ଟିକେଟ ଦିଆଯାଇଥିଲା । କିନ୍ତୁ ଏହାକୁ ସେ ଗ୍ରହଣ କରି ନଥିଲେ ଏବଂ ବିଜେପିରେ ମିଶିଥିଲେ । ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ ବି ଥିଲେ ରାଜୁ ଶ୍ରୀବାସ୍ତବ ।

ଗତ ଅଗଷ୍ଟ ୧୦ରେ ଜିମରେ ଟ୍ରେଡମିଲ୍ ଉପରେ ଓ୍ୱାର୍କ ଆଉଟ୍ କରୁକରୁ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ। ହାର୍ଟ ଆଟାକ୍ ଯୋଗୁଁ ବ୍ରେନ୍ ଡ୍ୟାମେଜ୍ ହୋଇଥିବାରୁ ସେ ସେବେଠାରୁ ୪୦ରୁ ଅଧିକ ଦିନ ପାଇଁ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କର ମେଡିସିନ୍ ଡୋଜ୍ କମିଥିଲା ଏବଂ ଆଉ ୨-୩ ଦିନ ପରେ ଭେଣ୍ଟିଲେଟର କଢାଯାଇଥାନ୍ତା । ତେବେ ଆଜି ପୁଣି ଦ୍ୱିତୀୟ ଥର ହାର୍ଟ ଆଟାକ୍ ହେବାରୁ ଚିର ଦିନ ପାଇଁ ଆଖି ବୁଜିଲେ ରାଜୁ ।

ତାଙ୍କ ବିୟୋଗରେ ବହୁ ବିଶିଷ୍ଟ କଳାକାର ଫିଲ୍ମ ନିର୍ମାତା ଓ ପ୍ରଶଂସକ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜୁଙ୍କ ସ୍ମୃତିରେ ପୁରୀ ବେଳାଭୂମିରେ ବାଲୁକା କଳାକୃତି ତିଆରିଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆସନ୍ତାକାଲି ସକାଳ ସାଢ଼େ ୯ଟା ବେଳେ ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।