Glory Fest 2025: ସାଂସ୍କୃତିକ ମହୋତ୍ସବ ଗ୍ଲୋରୀ ଫେଷ୍ଟକୁ ମିଳୁନି ସରକାରୀ ପ୍ରୋତ୍ସାହନ

ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।

ଗ୍ଳୋରୀ ଫେଷ୍ଟକୁ ଅଣଦେଖା ।

ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଉତ୍ସବ ୨୮ ତମ ଗ୍ଲୋରୀ ଫେଷ୍ଟ- ୨୦୨୫ ପୁରୀ ଟାଉନ ହଲରେ ଉଦ୍‌ଘାଟିତ ହୋଇଛି । ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗ ନଥିବାରୁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗ୍ଲୋରୀ ଫେଷ୍ଟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ମଞ୍ଚରେ ସୁଯୋଗ ଦେଇ ସେମାନଙ୍କ ପ୍ରତିଭାର ଭରପୁର ପ୍ରଦର୍ଶନ ସହ ଭାବ ବିନିମୟ ପାଇଁ ଏକ ବଡ଼ ସୁଯୋଗ ଆଣିଛି । ପୁରୀର କିଛି ଉଦୀୟମାନ ଯୁବକଙ୍କ ସହଯୋଗ ଓ ନିଜସ୍ୱ ପ୍ରଚେଷ୍ଟାରେ ଗତ ୨୮ ବର୍ଷ ଧରି ଏହା ଆୟୋଜିତ ହୋଇଆସୁଛି ।

ସମଗ୍ର ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି । ବାରମ୍ବାର ବିଭିନ୍ନ କର୍ପୋରେଟ ସଂସ୍ଥା ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାଏଁ ସରକାରୀ ସହାୟତା କିମ୍ବା ଅନୁଦାନ ପାଇ ପାରିନାହିଁ ଅନୁଷ୍ଠାନ । ଫଳରେ ଆଗାମୀ ଦିନରେ ଏହା ବନ୍ଦ ହୋଇଯିବାର ଆଶଙ୍କା ପ୍ରକାଶ କରିଛନ୍ତି ଆୟୋଜକ ।

ଅଧିକ ପଢନ୍ତୁ: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ

ଉଦ୍‌ଘାଟନୀ ଉତ୍ସବରେ ଅନେକ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଉତ୍ସବ ୨୮ ତମ ଗ୍ଲୋରୀ ଫେଷ୍ଟିଭାଲ ୨୦୨୫ ଉଦ୍‌ଘାଟିତ ହୋଇଛି । ଗ୍ଲୋରୀ ଫେଷ୍ଟରେ ୨୦ଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ବକ୍ତୃତା ,ତର୍କ, ସାଧାରଣ ଜ୍ଞାନ ,ଅନ୍ତାକ୍ଷରୀ,ସ୍ପଟ ପେଣ୍ଟିଂ,ରେକର୍ଡ଼ ଡ୍ୟାନ୍ସ,ଲୋକନୃତ୍ୟ, ନୃତ୍ୟ, ନାଟକ,ଯନ୍ତ୍ର ସଙ୍ଗୀତ,ଲଘୁ ସଙ୍ଗୀତ ଆଦି ବିଭାଗରେ ପ୍ରତିଯୋଗୀତା ହେବ । ଗ୍ଲୋରୀ ଫେଷ୍ଟର ମୁଖ୍ୟ ଆକର୍ଷଣ ହେଉଛି ଗ୍ଲୋରୀ କୁଇନ୍ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

୧୪ ତାରିଖ ସନ୍ଧ୍ୟାରେ ଆକର୍ଷଣୀୟ ଗ୍ଲୋରୀ କୁଇନ୍ ଫାଇନାଲ ସହ ବଲିଉଡ ନାଇଟ ଅନୁଷ୍ଠିତ ହେବ । ଆର୍ଥିକ ପ୍ରୋତ୍ସାହନ ଅଭାବରୁ ଚଳିତ ବର୍ଷ ସ୍ବର୍ଣ୍ଣାଭ ବେଳାଭୂମି ପରିବର୍ତ୍ତେ ଟାଉନ ହଲରେ ସମସ୍ତ ପ୍ରତିଯୋଗୀତା ହେଉଛି । ରାଜ୍ୟ ସଂସ୍କୃତି ବିଭାଗ ଆର୍ଥୀକ ସହାୟତା ନ ଯୋଗାଇଲେ ଆଗାମୀ ଦିନରେ ହୁଏତ ଗ୍ଲୋରୀ ଫେଷ୍ଟିଭାଲ ବନ୍ଦ ହୋଇ ଯାଇପାରେ । ଉଦଘାଟନୀ ଉତ୍ସବରେ ବନମାଳୀ ମିଶ୍ର,ପ୍ରଫେସର ହରେକୃଷ୍ଣ ଶତପଥୀ,ପ୍ରଶାନ୍ତ କୁମାର ସାହୁ,ରାଜେଶ ମହାନ୍ତି,ବିଦ୍ରୋହ ସିଂହ,ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଅଧିକ ପଢନ୍ତୁ: ଷ୍ଟ୍ରବେରୀ ଚାଷରେ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାମଚନ୍ଦ୍ର ସାହୁ