Allu Arjun Stampede Row: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ

ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍‌ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।

Allu Arjun

ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍‌ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ । କିଛି ଏଭଳି ବଡ଼ ଓ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ତା ପୁଣି ବିଧାନସଭା ଭିତରେ...ସନ୍ଧ୍ୟା ଥିଏଟରକୁ ଆସିବାକୁ ଗତ ୨ ତାରିଖ ଦିନ ଅନୁମତି ମଗାଯାଇଥିଲା ।

ହେଲେ ସଂଧ୍ୟା ଥିଏଟରରେ ଗୋଟିଏ ଗେଟ୍ ଥିବାରୁ ବାରଣ କରିଥିଲା ପୋଲିସ୍ । ତଥାପି ୪ ତାରିଖ ରାତିରେ ଅଲ୍ଲୁ ସେଠି ପହଞ୍ଚିଥିଲେ । ଖାଲି ସେତିକି ନୁହେଁ କାର୍‌ର ସନରୁଫରୁ ବାହାରି ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ଯାହା ଭିଡ଼କୁ ଅଧିକ ପ୍ରଭାବିତ କରିଥିଲା । ହଲ୍ ଭିତରେ ପୁରା ଫିଲ୍ମ ଦେଖିବାକୁ ବସିଥିଲେ ।

ଯେତେ ନେହୁରା ହେଲେ ବି ବାହାରିନଥିଲେ । ଏପରିକି ହଲ୍‌ରୁ ପୋଲିସ୍ ତାଙ୍କୁ ଜୋରଜବରଦସ୍ତ ବାହାରିବାକୁ କହିବା ସହ ଗିରଫଦାରୀ ଭୟ ଦେଖାଇବା ପରେ ସେ ସେଠୁ ଯାଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀ ଲଗାଇଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଲ୍ଲୁ । ଯାହା ଯାହା ଅଭିଯୋଗ ଲାଗିଛି ଶତ ପ୍ରତିଶତ ମିଛ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତମାସ ୪ ତାରିଖରେ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ପାଇଁ ହାଇଦ୍ରାବାଦର ସଂଧ୍ୟା ସିନେମା ହଲକୁ ଅଲ୍ଲୁ ଅର୍ଜୁନ ଆସିବା ବେଳେ ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ଦଳାଚକଟାରେ ସେଠାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୮ ବର୍ଷର ନାବାଳକ ପୁଅ ଶ୍ରୀତେଜ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି ।

ଅଧିକ ପଢ଼ନ୍ତୁ: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ

ଏହି ଘଟଣାରେ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନ, ତାଙ୍କ ସିକ୍ୟୁରିଟି ଟିମ ଓ ସିନେମା ହଲ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଗତ ୮ ତାରିଖରେ ସିନେମା ହଲ ମାଲିକ, ସିନେମା ହଲର ଜେନେରାଲ ମ୍ୟାନେଜର ଓ ଅଲ୍ଲୁ ଅର୍ଜୁନଙ୍କ ସିକ୍ୟୁରିଟି ମ୍ୟାନେଜରଙ୍କୁ ଗିରଫ କରିଥିଲା ପୋଲିସ ।

ଗତ ୧୩ ତାରିଖରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ସିଟି ପୋଲିସ । ଗିରଫର ପରଦିନ ତେଲେଙ୍ଗାନା ହାଇକୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ଦେବା ପରେ ସେ ଜେଲରୁ ମୁକୁଳିଥିଲେ । ତେବେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ ଅଲ୍ଲୁ ଅର୍ଜୁନ । ସେହିପରି ପୁଷ୍ପା-୨ ସିନେମାର ପ୍ରଯୋଜକ ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ସେପଟେ ଅଲ୍ଲୁଙ୍କ ଘର ଭଙ୍ଗାରୁଜା ଘଟଣାରେ ତେଲେଙ୍ଗାନା କଂଗ୍ରେସର ଲିଙ୍କ ଆସିବା ପରେ ରାଜନୀତି ଜୋର ଧରିଛି । କଂଗ୍ରେସର କହିବା କଥା ଗିରଫ ହୋଇଥିବା କଂଗ୍ରେସ କର୍ମୀ ପୂର୍ବରୁ ବି.ଆର.ଏସର ଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ଭଲ ସମ୍ପର୍କ ଥିବା ଅଭିଯୋଗ କରିଛି କଂଗ୍ରେସ ।

ଏ ନେଇ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଜେପି କହିଛି କଂଗ୍ରେସ ଜାଣିଶୁଣି କରିଛି । ନିର୍ବାଚନ ସମୟରେ ଅଲ୍ଲୁ କଂଗ୍ରେସ ପାଇଁ ପ୍ରଚାର କରିବାକୁ ମନା କରିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବିଜେପି କହିଛି । ଘଟଣାରେ ତେଲେଙ୍ଗାନା ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ କଂଗ୍ରେସ କର୍ମୀ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ