• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ମୃତିର ପରଦାରେ ମଲାଜହ୍ନ ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଝରଣା ଦାସଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇ ପାରିଥିଲା । ବେତାରରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ ଏହି ସ୍ୱନାମଧନ୍ୟ ଅଭିନେତ୍ରୀ । ଦିନ ଥିଲା.. ଝରଣାଙ୍କ ସ୍ୱର ଶୁଣିଲେ ହିଁ ନିଦ ଭାଙ୍ଗୁଥିଲା . . .ସବୁ ଓଡ଼ିଆଙ୍କୁ ବାନ୍ଧି ରଖିଥିଲା ଝରଣାଙ୍କ ସ୍ୱର । ଆଉ ବେତାରରେ ଲୋକପ୍ରିୟ ହେବାପରେ ଷାଠିଏ ଦଶକରେ ସେ ସିନେ ଜଗତରେ ପାଦ ଥାପିଥିଲେ । ତାଙ୍କର ଚମତ୍କାର ସ୍ୱର ଓ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା ।

କଟକ ର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସ୍ନେହରେ ସମସ୍ତେ ତାଙ୍କୁ ଝୁମୁ ଡାକୁଥିଲେ । ପିଲାଟି ଦିନୁ ଏକ ଯୌଥ ପରିବାରରେ ବଢ଼ିବା ସହ ତାଙ୍କର ଥିଲେ ଦଶ ଭାଇ ଭଉଣୀ । ବାପା, ଦାଦା ସମସ୍ତେ କଳା ଓ ସଙ୍ଗୀତର ସାଧକ ଥିଲେ । ଆଉ ମା’ ଲେଖୁଥିବା ନାଟକରେ ସମସ୍ତେ ମିଶି ଅଭିନୟ କରୁଥିଲେ । ପିଲାଟି ଦିନରୁ ତାଙ୍କର ପ୍ରତିଟି ରକ୍ତ କଣିକାରେ ଅଭିନୟର ରଙ୍ଗ ଯେପରି ଭରିରହିଥିଲା ।

କଟକ ଆକାଶବାଣୀରେ ପ୍ରଥମେ ସେ ଜଣେ ଶିଶୁ କଳାକାର ଭାବରେ ସୁନାମ ଅର୍ଜନ କରିଥିଲେ । ଅତି ଅଳ୍ପ ବୟସରୁ ହିଁ ତାଙ୍କ ସ୍ୱରର ଯାଦୁରେ ବାନ୍ଧି ହୋଇଯାଉଥିଲେ ଶ୍ରୋତା । ଏହାସହ ସେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ଶିକ୍ଷା ଲାଭ କରିଥିଲେ ।

୬୦ ଦଶକରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ୧୯୬୪ ମସିହାରେ ସେ ପ୍ରଥମ ଥର ପାଇଁ ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ । ତାଙ୍କର ପ୍ରଥମ ସିନେମା ଥିଲା ଅମଡ଼ା ବାଟ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ସାଉଁଣ୍ଟିଥିଲେ। ତାଙ୍କର ଅଭିନୟ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ । ଯେଉଁ ସମୟରେ ମହିଳାଙ୍କ ଅଭିନୟ ନେଇ ସମାଜରେ କଟକଣା ଥିଲା.. ସେହି ସମୟରେ ଝରଣା ଦାସ ଥିଲେ ସୁପରଷ୍ଟାର୍ ।

ଅମଡାବାଟ, ମଲା ଜହ୍ନ, ଅଦିନ ମେଘ, ଅଭିନେତ୍ରୀ ଥିଲା ତାଙ୍କର ଚର୍ଚ୍ଚିତ ଫିଲ୍ମ । ତାଙ୍କ ଅଭିନୀତ ଆଉ କିଛି ସିନେମା ହେଲା ସମୟ ବଡ଼ ବଳବାନ୍‌, ହୀରାନୀଳା, ଅଦିନ ମେଘ, ହିସାବ ନିକାଶ, ସମୟ ବଡ଼ ବଳବାନ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଆଶାର ଆକାଶ, କସ୍ତୁରୀ, ଲାଲପାନ ବିବି , ଟିକେ ହସ ଟିକେ ଲୁହ ଓ ସୁନାଭାଉଜ ।

୧୯୯୭ ରେ ତାଙ୍କୁ ମିଳିଥିଲା ଜୟଦେବ ପୁରସ୍କାର ସମ୍ମାନ । ଏହାସହ ୨୦୧୧ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼ ଓ ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ ୨୦୧୬ରେ (ଜୀବନବ୍ୟାପି ଅବଦାନ) ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୭ରେ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପାଇଥିଲେ ଝରଣା ଦାସ ।

ତାଙ୍କ ବ୍ୟକ୍ତିତ୍ୱ ଖୁବ୍‌ ନିଆରା ଥିଲା ବୋଲି କହିଛନ୍ତି ଅଭିନେତା ଶ୍ରୀତମ୍‌ ଦାସ । ଅତ୍ୟନ୍ତ ମିଷ୍ଟଭାଷୀ ଓ ସାଧାସିଧା ଚଳଣି । ଏତେ ସଫଳ ହୋଇଥିଲେ ସୁଦ୍ଧା ମାଟିରୁ ଉଠୁନଥିଲା ତାଙ୍କର ପାଦ । ତାଙ୍କୁ ଦେଖିଲେ ଆପେ ଆପେ ମୁଣ୍ଡ ନଇଁ ଯାଉଥିଲା ।

ସେହିଭଳି ତାଙ୍କ ଝିଅ କହିଛନ୍ତି, ମା’ ଏତେ ବ୍ୟସ୍ତ ଥିଲେ ବି ଆମକୁ ସବୁବେଳେ ସମୟ ଦେଉଥିଲେ । ନିଜେ ରୋଷେଇ କରି ଆମକୁ ଖାଇବାକୁ ଦେଉଥିଲେ । ତାଙ୍କୁ ସାମାନ୍ୟ ଥଣ୍ଡା ହୋଇଥିଲା । ହେଲେ ଗତକାଲି ବିଳମ୍ବିତ ରାତ୍ରୀରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ହେଲେ ଡାକ୍ତରଙ୍କ ପାଖକୁ ନେବା ଆଗରୁ ତାଙ୍କର ହୃଦଘାତ ହୋଇଥିଲା । ଆଉ ସେ ମୋ କୋଳରେ ହିଁ ଆଖି ବୁଜିଦେଲେ ।