• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ ନାହାନ୍ତି ବର୍ଷିୟାନ୍ ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଝରଣା ଦାସଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଆଖିବୁଜିଛନ୍ତି ଝରଣା ଦାସ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି  ।  

୬୦ ଦଶକରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ଯେତେବେଳେ ଓଡିଆ ଫିଲ୍କ ଇଣ୍ଡଷ୍ଟ୍ରିରେ ନାୟିକାର ଅଭାବ ଥିଲା ସେତେବେଳେ ସେ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ତାଙ୍କୁ ଦେଖିବା ପାଇଁ ଅନେକ ଦର୍ଶକଙ୍କ ଭିଡ ଜମୁଥିଲା । ତାଙ୍କର କଣ୍ଠସ୍ୱର ମଧ୍ୟ ଅତ୍ୟନ୍ତ ଜୀବନ୍ତ ଥିଲା ।

କଳା ସହ ଜଡ଼ିତ ପରିବାରରେ ଜନ୍ମ ନେଇଥିଲେ ଝରଣା ଦାସ । ଝରଣା ଦାସଙ୍କ ବାପା, କକା ଆଦି ସଙ୍ଗୀତ ସାଧକ ଥିବାସହ ବିଭିନ୍ନ ବାଦ୍ୟଯନ୍ତ୍ରରେ ନିପୁଣ ଥିଲେ । କେବଳ ଏତିକି ନୁହେଁ ତାଙ୍କ ମା’ ଜଣେ ଲେଖିକା ଥିଲେ । ଆଉ ମା’ ଲେଖିଥିବା ନାଟକରେ ସମସ୍ତେ ଭାଇଭଉଣୀ ମିଶି ଅଭିନୟ କରୁଥିଲେ । ଜଣେ ଶିଶୁ କଳାକାର ଭାବରେ କଟକ ଆକାଶବାଣୀରୁ ଅଭିନୟ ଆରମ୍ଭ କରିଥିଲେ ଝରଣା ଦାସ । ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ ।  

୧୯୬୪ ମସିହାରେ ସେ ପ୍ରଥମ ଥର ପାଇଁ ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ । ତାଙ୍କର ପ୍ରଥମ ସିନେମା ଥିଲା ଅମଡ଼ା ବାଟ  ।  ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର  ମଲାଜହ୍ନରେ  ସତୀ ଭୂମିକାରେ ଅଭିନୟ କରି,ସେ ବେଶ୍ ଲୋକପ୍ରିୟତା ସାଉଁଣ୍ଟିଥିଲେ । ତେବେ ଆକାଶବାଣୀ ଓ ଦୂରଦର୍ଶନରେ ତାଙ୍କ ପରିଚୟ ଥିଲା ସ୍ୱତନ୍ତ୍ର। 

ଅମଡାବାଟ, ମଲା ଜହ୍ନ, ଅଦିନ ମେଘ, ଅଭିନେତ୍ରୀ ଥିଲା ତାଙ୍କର ଚର୍ଚ୍ଚିତ ଫିଲ୍ମ । ତାଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।  ଅନେକ ଓଲିଉଡ୍ କଳାକାର ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି  । 

ସେପଟେ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ୱୀ କଳାକାର ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।