Advertisment

Allu Arjun Returns Home: ଜେଲରେ ଗୋଟିଏ ରାତି କାଟିଲେ ଅଲ୍ଲୁ, ଘରକୁ ଫେରି ମୃତ ମହିଳାଙ୍କ ପରିବାରକୁ କହିଲେ Sorry

ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଆଜି ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଜେଲରୁ ଫେରିଲେ Sorry କହିଲେ

ଆଇନ ଜାଲରେ ଛନ୍ଦି ହୋଇ ହାଇଦ୍ରାବାଦର ଚଞ୍ଚଲଗୁଡ଼ା ଜେଲରେ ଗୋଟିଏ ରାତି କାଟିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍। ସଂଧ୍ୟା ଥିଏଟର ଦଳଚକଟା ଘଟଣାରେ ଗତକାଲି ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ହାଇକୋର୍ଟ ବେଲ ଦେଇଥିଲେ । ଏହା ସତ୍ତ୍ବେ ଜେଲ କର୍ତ୍ତୃପକ୍ଷଙ୍କୁ ଅର୍ଡର କପି ମିଳିପାରିନଥିବାରୁ ଗୋଟିଏ ରାତି ଜେଲରେ କାଟିଛନ୍ତି ଅଲ୍ଲୁ । ଆଉ ଆଜି ଅଲ୍ଲୁ ଘରକୁ ପରେ ତାଙ୍କ ପରିବାରରେ ଖେଳିଛି ଖୁସି। ଆଶ୍ବସ୍ତ ହୋଇଛନ୍ତି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ ଓ ସମଗ୍ର ସିନେ ଇଣ୍ଡଷ୍ଟ୍ରି ।

Advertisment

ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଆଜି ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ । ପୁଷ୍ପା ଟୁ ପ୍ରିମିୟର ସୋ ଦଳଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ୪ ସପ୍ତାହର ମଧ୍ୟବର୍ତ୍ତୀକାଳୀନ ଜାମିନ ପରେ ଆଜି ଘରକୁ ଫେରିଛନ୍ତି ଅଲ୍ଲୁ । ଶନିବାର ସକାଳ ପ୍ରାୟ ୬ଟା ୨୦ରେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଥିଲା ଅଲ୍ଲୁଙ୍କ ଗାଡ଼ି । ପ୍ରଥମେ ପ୍ରଡକ୍ସନ୍ ହାଉସ୍ ଗୀତା ଆର୍ଟସ ଓ ପରେ ତାଙ୍କ ଜୁବୁଲିହିଲସ ସ୍ଥିତ ଘରେ ପହଞ୍ଚିବା ବେଳକୁ ଅଲ୍ଲୁଙ୍କୁ ଅପେକ୍ଷା କରି ରହିଥିଲା ଶୁଭେଚ୍ଛୁ ଓ ସମର୍ଥକଙ୍କ ଜନସମୁଦ୍ର ।

ଏପଟେ ତାଙ୍କ ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଥିଲେ ପରିବାର ଓ ସମ୍ପର୍କୀୟ । ଏହାରି ଭିତରେ ଅଲ୍ଲୁ କାରରୁ ଓହ୍ଲାଇ ବାସଭବନକୁ ପ୍ରବେଶ ବେଳେ ସୃଷ୍ଟି ହୋଇଥିଲା ଅତ୍ୟନ୍ତ ଭାବବିହ୍ବଳ ପରିସ୍ଥିତି। ପ୍ରଥମେ ପତ୍ନୀ, ପରେ ଦୁଇ ପିଲା ଓ ତା ପରେ ବାପା, ମାଆ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ଦୃଢ଼ ଆଲିଙ୍ଗନ କରିଥିଲେ ଅଲ୍ଲୁ। ଲାଗୁଥିଲା ଯେମିତି ଅନେକ ବର୍ଷର ବ୍ୟବଧାନ ପରେ ଘର ବାହୁଡ଼ା ହୋଇଛନ୍ତି ଅଲ୍ଲୁ ଅର୍ଜୁନ୍। ପରେ ଉପସ୍ଥିତ ଗଣମାଧମ୍ୟମକୁ ଅପେକ୍ଷା କରିବାର ଇସାରା ଦେଇ ଭିତରକୁ ପ୍ରବେଶ କରିଥିଲେ। କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଥିଲେ ପୁଷ୍ପା ଷ୍ଟାର । କହିଥିଲେ ଡିସେମ୍ବର ୪ରେ ଘଟିଥିବା ସଂଧ୍ୟା ଥିଏଟରର ଅଘଟଣ ଅପ୍ରତ୍ୟାଶିତ। ମୃତ ମହିଳାଙ୍କ ପରିବାର ପ୍ରତି ତାଙ୍କ ଗଭୀର ସମବେଦନା ରହିଛି। ଆଉ ସେ ଆଇନକୁ ସମ୍ମାନ ଦେଉଥିବା ଜଣେ ନାଗରିକ ଭାବେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।

Advertisment

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ; ଜାଣନ୍ତୁ ଏମାନେ ସବୁ କିଏ…

ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପୁଷ୍ପା ଟୁ ପ୍ରିମୟର ବେଳେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଏବଂ ତାଙ୍କ ପୁଅ ଗୁରୁତର ହେବା ମାମଲାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ତେଲେଙ୍ଗାନାର ଚିକଡ଼ପଲ୍ଲୀ ପୋଲିସ । ପରେ ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହା ପରେ ପୋଲିସ ଅଲ୍ଲୁଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲକୁ ନେବା ଭିତରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହର ମଧ୍ୟବର୍ତ୍ତୀକାଳୀନ ଜାମିନ୍ ଦେବାରୁ ଆଶ୍ବସ୍ତ ହୋଇଥିଲେ ଅଲ୍ଲୁ । କିନ୍ତୁ କୋର୍ଟଙ୍କ ଅର୍ଡର କପି ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରିନଥିବାରୁ କାଲି ଜେଲରୁ ମୁକୁଳିପାରିନଥିଲେ ଅଲ୍ଲୁ । ଏହାକୁ ନେଇ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍- ଫଲୋୟର୍ସ, ପରିବାର- ସମ୍ପର୍କୀୟ ଏବଂ ସମଗ୍ର ସିନେ ଇଣ୍ଡ୍ରଷ୍ଟ୍ରିରେ ହଇଚଇ ଖେଳିଯାଇଥିଲା। ସେପଟେ ଏ ଘଟଣାକୁ ନେଇ ଚଞ୍ଚଲଗୁଡ଼ା ଜେଲ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା ସହ ଏଥିପାଇଁ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି ଅଲ୍ଲୁଙ୍କ ଓକିଲ ।

ସେପଟେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କ ଗିରଫଦାରି ପରେ ଗତକାଲି ତାଙ୍କ ବିରୋଧରେ ଚିକଡ଼ପଲ୍ଲୀ ଥାନାରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ମୃତ ମହିଳାଙ୍କ ସ୍ବାମୀ । ଦଳାଚକଟା ଘଟଣାରେ ଅଲ୍ଲୁଙ୍କ କୌଣସି ଦୋଷ ନାହିଁ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

Allu Arjun Hyderabad Pushpa
Advertisment
Advertisment