• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଶ୍ନକାଳରେ ପ୍ରଶ୍ନପତ୍ର ଲିକ୍ ନେଇ କମ୍ପିଲା ଗୃହ। ପରୀକ୍ଷା ଶେଷ ଦିନରେ ବି ଥମିଲାନି ମାଟ୍ରିକ୍ ବିଭ୍ରାଟ । ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗକୁ ନେଇ ଗୃହ ହୁଲସ୍ତୁଲ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗୃହ ମଧ୍ୟ ଭାଗକୁ ଆସି ସକାଳ ୭ଟା ୨୦ରେ ଗଣିତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆଣିଥିଲେ । ୮ଟାରେ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପ୍ରଶ୍ନ ପତ୍ର ସୋସିଆଲ ମିଡିଆକୁ କେମିତି ଆସିଲା ତାକୁ ନେଇ ସରକାରଙ୍କୁ ଘେରିଥିଲେ ।

ମୋହନ ମାଝୀଙ୍କୁ ସମର୍ଥନ ଦେଇ ବିଜେପିକଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିଅମ୍ ତଳେ ପ୍ରବଳ ହଟ୍ଟଗୋଳ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ପ୍ରବଳ ହଟ୍ଟଗୋଳ ଲାଗି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ ବାଚସ୍ପତି । ସେପଟେ ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି ।

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ ଘଟଣା ନଜର କୁ ଆସିଥିଲା । ତେବେ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଗଣଶିକ୍ଷା ବିଭାଗ ଏହାକୁ ଅସ୍ୱୀକାର କରିଛି । କିନ୍ତୁ ପ୍ରତି ବର୍ଷ ଭାଇରାଲ୍ ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ବୋର୍ଡ ପକ୍ଷରୁ ନା କୌଣସି ଠୋସ୍ ପଦକ୍ଷେପ ନିଆଯାଉଛି ନା ଭାଈରାଲ ପାଇଁ କୌଣସି ସ୍ପଷ୍ଟୀକରଣ ଦିଆଯାଉଛି । ତେବେ ଚଳିତ ବର୍ଷ ମାଟ୍ରିକ ବିଭ୍ରାଟ ଆହୁରି ସାଙ୍ଘାତିକ ହୋଇଛି । ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଥିଲା । ଯାହାକୁ ବୋର୍ଡ ବି ସ୍ୱୀକାର କରିଛି।

ଏଣେ ପରୀକ୍ଷା ଟେନ୍‌ସନ୍ ହଟିବା ପରେ ଢେଙ୍କାନାଳ ର ଏକ ପରୀକ୍ଷା କେନ୍ଦ୍ର ବାହାରେ ପିଲାମାନେ ଖୁସି ମନାଇଥିଲେ । ପରସ୍ପରକୁ ଅବିର ବୋଳି ହୋଲି ଖେଳିଥିଲେ । ପୁଣି କିଏ ସେଲଫି ନେଇଥିଲା ତ ଆଉ କିଏ ସାର୍ଟରେ ନାଁ ଲେଖିଥିଲା । ଏହାରି ଭିତରେ ଆସନ୍ତା ଏପ୍ରିଲ ୩ ରୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।