ଡ୍ୟୁଟିରେ ଖିଲାପ କରୁଥିବା ଶିକ୍ଷକଙ୍କ ଉପରେ ଲଗାମ କସିଲା ଗଣଶିକ୍ଷା ବିଭାଗ । ନିୟମିତ ସ୍କୁଲରୁ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୋଧରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ଚାକିରିରୁ ବହିଷ୍କାର ହେଲେ ମାଲକାନଗିରି ଜିଲ୍ଲା ର ୧୦ ଶିକ୍ଷକ । ସ୍କୁଲରେ ଅନୁପସ୍ଥିତିକୁ ନେଇ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏମାନଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ମାତ୍ର ୩ ଜଣ ନୋଟିସ୍ର ଜବାବ ଦେଇଥିବା ବେଳେ ଅନ୍ୟମାନେ କୌଣସି ଉତ୍ତର ଦେଇନଥିଲେ । ଏହାକୁ ନେଇ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
Also Read
ଦୀର୍ଘ ଦିନ ଧରି ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁ ପାଠପଢାରେ ଘୋର ବାଧା ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ତାଲିକାରେ ନାଁ ଗଡୁଥିବାରୁ ସେମାନଙ୍କ ସ୍ଥାନରେ ନୂଆ ଶିକ୍ଷକ ନିଯୁକ୍ତ ବି ହୋଇପାରୁନାହିଁ । ଯାହାର କୁପରିଣାମ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡୁଛି ।
ସମଗ୍ର ରାଜ୍ୟରେ ସ୍କୁଲରେ ନିୟମିତ ଅନୁପସ୍ଥିତ ରହୁଥିବା ଏବଂ ପାଠପଢାରେ ଖିଲାପ କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିଷ୍ପତ୍ତି ହୋଇଛି । ନିକଟରେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଇଓ ଏବଂ ଡିଇଓମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ଖିଲାପକାରୀ ଶିକ୍ଷକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁସାରେ କର୍ତ୍ତବ୍ୟରେ ଅବହେଳା ପାଇଁ ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଦୀର୍ଘ ଦିନ କାର୍ଯ୍ୟରେ ଯୋଗ ଦେଇନଥିବା ୧୫୪ ପ୍ରାଥମିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଅନ୍ୟପକ୍ଷରେ କନିଷ୍ଠ ପ୍ରାଥମିକ ଶିକ୍ଷକ ବର୍ଗର ୯୬ ଜଣଙ୍କୁ ବି ଚାକିରିରୁ ବହିଷ୍କାର କରାଯାଇଛି । ଏଠି ପ୍ରଶ୍ନ ଏତେ ଦିନ ଧରି ଶିକ୍ଷକମାନେ ଅନୁପସ୍ଥିତ ରହୁଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ସରକାରଙ୍କ ଏଭଳି ଉଦାସୀନତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବ ନାହିଁ ତ ?
ରାଜ୍ୟରେ ଶିକ୍ଷକ ଅଭାବ ପିଲାଙ୍କ ପାଠପଢାରେ ପ୍ରମୁଖ ବାଧକ । ଏହାସତ୍ତ୍ୱେ ବହୁ ଶିକ୍ଷକ ମାସ ମାସ ଅନୁପସ୍ଥିତ ରହୁଥିଲେ ବି ସରକାର ଏହାକୁ ନେଇ ତତ୍ପରତା ନଦେଖାଇବା ଚିନ୍ତାର କାରଣ । ତେବେ ସରକାର ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ଅନ୍ୟ ଖିଲାପକାରୀଙ୍କ ପାଇଁ ଏହା ସତର୍କ ଘଣ୍ଟି ହେବ ବୋଲି ଆଶା କରାଯାଉଛି ।