• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସ୍କୁଲ୍‌ ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ । ଖରାଛୁଟି ଶେଷ ହେବାକୁ ଥିବାବେଳେ ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ମୁଖ୍ୟତଃ ରଜ ପର୍ବ ପରେ ପରେ ବିଦ୍ୟାଳୟ ଖୋଲିଥାଏ । ତେବେ ସ୍କୁଲ କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯେଉଁ ଦ୍ୱନ୍ଦ୍ୱରେ ରହିଥିଲେ ତାହା ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆସନ୍ତା ୨୦ ତାରିଖରେ ସମସ୍ତ ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

୨୦ ରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଖୋଲିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ସରକାର ନିଷ୍ପତ୍ତି ନେଇଛନ୍ତି ୨୦ରେ ହିଁ ଖୋଲିବ । ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି । ସ୍କୁଲ୍‌ ଖୋଲିବା ପୂର୍ବରୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।"

ପୂର୍ବରୁ ଜୁନ  ୧୮ ତାରିଖରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା । ପରବର୍ତ୍ତୀ ସମୟରେ ୧୮ ପରିବର୍ତ୍ତେ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ଦ୍ୱନ୍ଦ୍ୱରେ ରହିଥିଲେ । ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା ସହ ସ୍କୁଲ ୨୦ରେ ଖୋଲିବା ନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏନେଇ ସମସ୍ତ ଡିଇଓ ଏବଂ ବିଇଓଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । 

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ଚିଠି କରିଛି । ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ନିର୍ଦ୍ଦେଶ ପାଇଁ ଗଣଶିକ୍ଷା ବିଭାଗ ଚିଠି କରିଛି । ସ୍କୁଲର ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଭୋଜନ ସାମଗ୍ରୀର ମାନ ଯାଞ୍ଚ କରାଇବେ । 

ସେହିପରି ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ । ସବୁ ବିଦ୍ୟାଳୟରେ ଫୁଡ୍‌ ଟେଷ୍ଟିଂ ରେଜିଷ୍ଟର୍ ରହିବ । ଅଭିଭାବକ ବିଶେଷ କରି ମା'ମାନେ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ: ଜୁନ୍‌ ୧୮ ବଦଳରେ ୨୦ ତାରିଖରେ ଖୋଲିବ ସ୍କୁଲ୍‌