• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତାକାଲିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଏଥର ପରୀକ୍ଷା ଦେବେ ପ୍ରାୟ ସାଢେ଼ ତିନି ଲକ୍ଷ ଛାତ୍ରଛାତ୍ରୀ । କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ଅଛନ୍ତି । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ । ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।

ଗତ ଫେବୃଆରୀ ୨୫ତାରିଖରୁ ସମସ୍ତ ହବ୍‌କୁ ପ୍ରଶ୍ନପତ୍ର ପଠାସରିଛି । ଆସନ୍ତାକାଲି ସକାଳ ୭ଟାରେ ହବ୍‌ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ଦିନ ୧୦ଟାରେ ଆରମ୍ଭ ହେବ ପରୀକ୍ଷା । ସକାଳ ୯ଟାରେ କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ନିଆଯାଇପାରିବ ନାହିଁ ।

କୋଭିଡ୍ ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା ନଦେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେବେ ଏଥର କ୍ୟାରିଅରର ପ୍ରଥମ ବୋର୍ଡ ପରୀକ୍ଷା । ଏଣୁ ସେମାନେ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ଏଥର ଶତ ପ୍ରତିଶତ ସିଲାବସ୍‌ରେ ହେଉଛି ପରୀକ୍ଷା । ସେପଟେ ଆଜି ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ୬୬୨ ବର୍ଗ ଅଧ୍ୟାପକ ସଂଘର ଆଲୋଚନା ସଫଳ ହୋଇଛି । ଏହାପରେ ପରୀକ୍ଷକମାନେ ପରୀକ୍ଷା ବର୍ଜନ ନିଷ୍ପତ୍ତିରୁ ଓହରି ଥିବା ବେଳେ ପ୍ରତୀକାତ୍ମକ ଧାରଣା ଜାରି ରହିବ ବୋଲି ସଂଘ କହିଛି ।

କୋଭିଡ୍ କଟକଣା ହଟିବା ପରେ ପୁଣି ପୂର୍ବ ପରି ପୁରୁଣା ଢାଞ୍ଚାରେ ହେଉଛି ବୋର୍ଡ ପରୀକ୍ଷା । ଏପ୍ରିଲ ୫ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ସରିବ।