• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨ ବର୍ଷୀୟ ପୁଅର ତଣ୍ଟି କାଟି ସାବତ ମାର ଆତ୍ମହତ୍ୟା । ଏହି ବୀଭତ୍ସ ଆଉ ବର୍ବରକାଣ୍ଡ ସଂପର୍କରେ ଯିଏ ଶୁଣୁଛି, ନା କେହି ବିଶ୍ୱାସ କରିପାରୁଛି ନା ସହଜରେ କେହିଗ୍ରହଣ କରିପାରୁଛି । କାରଣ କଟକ ଭଳି ଶିକ୍ଷିତ ଆଉ ସଂଭ୍ରାନ୍ତ ସହରରେ ଘଟିଛି ଲୋମଟାଙ୍କୁରା କାଣ୍ଡ । ମୃତ ସାବତ ମାଆ ହେଉଛନ୍ତି ଶିଳ୍ପୀ ଦାସ । ସେ ସାବତ ପୁଅ ଶିବାଂଶର ତଣ୍ଟି କାଟିଥିବା କୁହାଯାଉଛି ।

ଆକସ୍ମିକ ଭାବେ ଆଜି କଟକ ଶ୍ରୀରାମନଗରର ଭଡ଼ା ଘରୁ ମିଳିଛି ଦୁଇ ଦୁଇ ଜଣଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାଂଶ ଏବଂ ଝୁଲନ୍ତା ଅବସ୍ଥାରେ ଡେଡ୍‌ବଡି ଉଦ୍ଧାର କରାଯାଇଛି ଶିଳ୍ପୀଙ୍କର । ଆଜି ସକାଳ ଯାଏଁ ଭିତର ପଟୁ ଘର ବନ୍ଦ ଥିବାରୁ ସନ୍ଦେହ ହେଲା । ଘର ମାଲିକ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ମଧୁପାଟଣା ପୋଲିସ ସହାୟତାରେ ଘର କବାଟ ଖୋଲି ବନ୍ଦ ଘରୁ ଉଦ୍ଧାର କରାଯାଇଥିଲା ୨ଜଣଙ୍କ ମୃତଦେହ ।

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି, ଶିଳ୍ପୀ ହିଁ ପୁଅକୁ ପ୍ରଥମେ ତଣ୍ଟିକାଟି ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ସନ୍ତୋଷ ଖୁଣ୍ଟିଆ ୩ ବର୍ଷ ତଳେ ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମ ବିବାହ କରିଥିଲେ । ଯାହାଙ୍କ ଔରସରୁ ୨ ବର୍ଷ ତଳେ ଜନ୍ମ ନେଇଥିଲା ପୁଅ ଶିବାଂଶ । ଶିବାଂଶ ଯେଉଁଦିନ ଜନ୍ମ ହୋଇଥିଲା, ସେଦିନ ହିଁ ପ୍ରାଣ ହରାଇଥିଲେ ତା ମା । ସମୟକ୍ରମେ ସୋସିଆଲ୍ ମିଡିଆ ମାଧ୍ୟମରେ ଇଞ୍ଜିନିୟର ଥିବା ଶିଳ୍ପୀଙ୍କ ସଂସ୍ପର୍ଶରେ ଆସିଲେ ସନ୍ତୋଷ ଏବଂ ବର୍ଷେ ତଳେ ସନ୍ତୋଷଙ୍କ ପୁଅ ଥିବା ଜାଣି ବି ବିବାହ କରିନେଇଥିଲେ ଶିଳ୍ପୀ । ଦିନ କେଇଟା ପରେ ଶିଳ୍ପୀ ଓ ସନ୍ତୋଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହି ବିବାଦ କ୍ରମେ ଉଗ୍ରରୂପ ନେଇଥିଲା । ସ୍ଥିତି ଏମିତି ହେଲା ଯେ, ଫେସବୁକରେ I QUIT ବୋଲି ବି ଲେଖିଥିଲେ ଶିଳ୍ପୀ । ଏହାର କେଇ ଘଣ୍ଟା ପରେ ସତକୁ ସତ ସ୍ୱାମୀ ସନ୍ତୋଷଙ୍କ ଅନୁପସ୍ଥିତିରେ ପୁଅ ଶିବାଂଶଙ୍କ ହତ୍ୟା ସହ ଶିଳ୍ପୀ ସୁଇସାଇଡ୍ କରିଦେଇଥିବା କୁହାଯାଉଛି ।

ତେବେ ଏମିତି କେଉଁ ପରିସ୍ଥିତି ବାଧ୍ୟ କଲା ଯେ, ଏଭଳି ଚରମ ନିଷ୍ପତ୍ତି ନେଲେ ଶିଳ୍ପୀ ଦାସ ? ନିଜେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ଶିଳ୍ପୀ ୨ ବର୍ଷିୟ ପିଲାକୁ ମାରିବା ପଛର ଉଦ୍ଦେଶ୍ୟ କଣ ? ଦାମ୍ପତ୍ୟ ବିବାଦରୁ ଶିଳ୍ପୀଙ୍କ ଏହା ଚରମ ପ୍ରତିଶୋଧ ନା ଅତି ଭଲ ପାଉଥିଲେ ବୋଲି ନିଜ ସହ ପୁଅ ଶିବାଂଶର ବି ନେଇଗଲେ ପ୍ରାଣ ? ଦାମ୍ପତ୍ୟ କଳିର ନିଆଁରେ ଘିଅ ଢାଳୁଥିଲେ କି ସଂପର୍କୀୟ ମାନେ ?

ସେପଟେ ଏହି ମାମଲାରେ କଟକ ଲାଲବାଗ୍ ଥାନା ASIଙ୍କ ଗତିବିଧିକୁ ନେଇ ଚର୍ଚ୍ଚା । ଆଜି ସଂପୃକ୍ତ ASIଙ୍କୁ ଘଟଣାସ୍ଥଳରେ ଦେଖି ତାଙ୍କୁ ଦୋଷାରୋପ କରିଛନ୍ତି ଝିଅର ସଂପର୍କୀୟ । ନିଜ ଥାନା ଅଞ୍ଚଳର ହୋଇନଥିଲେ ବି ସେ ମାମଲାରେ ହସ୍ତକ୍ଷେପ କରିବାକୁ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଆସିଥିବା ଅଭିଯୋଗ କରିଥିଲେ । ଏପରିକି ସଂପୃକ୍ତ ASI ପୂର୍ବରୁ ବି ଝିଅର ପରିବାରକୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଳ୍ପୀଙ୍କ ମାମୁ । ତେବେ ଡିସିପି କହିଛନ୍ତି, ସଂପୃକ୍ତ ASI ଘଟଣାସ୍ଥଳକୁ କାହିଁକି ଓ କେଉଁ ପରିସ୍ଥିତିରେ ଆସିଥିଲେ, କାହିଁକି ଘଟିଲା ଏତେବଡ଼ ଅଘଟଣ, ତାର ତଦନ୍ତ କରାଯାଉଛି ।