ଚାକିରି କନିଷ୍ଠ ଯନ୍ତ୍ରୀ । ହେଲେ ସମ୍ପତ୍ତି, ଅଚଳାଚଳ । ଭୁବନେଶ୍ୱରରେ ଦୁଇ ଦୁଇଟି ବହୁତଳ କୋଠା, 9ଟି ଦାମୀ ପ୍ଲଟ୍, ଫାର୍ମ ହାଉସ୍, 50 ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ବାଲାନ୍ସ ଏମିତି କେତେ କଣ । ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ରେଡରୁ ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପାଖରୁ ଏମିତି ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଭୁବନେଶ୍ବର ଘରେ ଚଢ଼ାଉ ବେଳେ ସୁଶାନ୍ତଙ୍କ ପତ୍ନୀଙ୍କ ରୋବାବ୍ ଦେଖି ତାଜୁବ୍ ତଦନ୍ତକାରୀ ଟିମ୍ ।
ଭିଜିଲାନ୍ସ ଜାଲରେ ଇଞ୍ଜିନିୟର ସ୍ବାମୀ । ରେଡ୍ ବେଳେ ପତ୍ନୀଙ୍କ ରୋବାବ୍ ଦେଖି ତାଜୁବ୍ ତଦନ୍ତକାରୀ ଟିମ୍ । ପୂର୍ତ୍ତ ବିଭାଗର ନୂଆପଡ଼ା ଖରିଆର ରୋଡ୍ ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଭୁବନେଶ୍ବର ଘରେ ଭିଜିଲାନ୍ସ ରେଡ୍ ବେଳେ ପୂରା ଯୁଦ୍ଧଂଦେହୀ ମୁଦ୍ରାରେ ସୁଶାନ୍ତଙ୍କ ପତ୍ନୀ । ଘରେ ପଶିବାକୁ ବାଟ ଛାଡୁନାହାନ୍ତି କି ତଦନ୍ତକାରୀ ଅଧିକାରୀଙ୍କୁ ଜବତ୍ ଜିନିଷ ବି ଛାଡୁନାହାନ୍ତି । ଝିଙ୍କାଝିଙ୍କି, ଛଡ଼ାପଡ଼ା । କଥା କଥାକେ ତଦନ୍ତକାରୀ ଟିମକୁ ପଢ଼ାଉଛନ୍ତି ଆଇନର ପାଠ ।
Also Read
ଅଧିକ ପଢ଼ନ୍ତୁ: କାନ୍ଦୁଛି ଜେଜେମା', ମାତ୍ର ୨୦ ହଜାର ଲୋଭରେ ବୋହୂ ଘଟାଇଛି ଏମିତି କାଣ୍ଡ
ଏପଟେ ଏକକାଳୀନ 8ଟି ସ୍ଥାନରେ ରେଡରୁ ସାମ୍ନାକୁ ଆସିଛି ଇଞ୍ଜିନିୟର ସୁଶାନ୍ତ ବାବୁଙ୍କ ଅସତ୍ ଅର୍ଜନର କଳା ଚିଠା । ପୁଳା ପୁଳା ଦାମୀ ପ୍ଲଟ ସହ, କୋଠା, ଫାର୍ମ ହାଉସ୍ ଏମିତି କେତେ କଣ । ଭୁବନେଶ୍ବର ଗଙ୍ଗୋତ୍ରୀ ନଗରରେ ଥିବା ୩ ମହଲା ବିଶିଷ୍ଟ ବହୁତଳ ପ୍ରସାଦ କୌଣସି ହୋଟେଲଠୁ କମ୍ ନୁହେଁ । ୨୫ ଶହ ବର୍ଗଫୁଟ ଜମି ଓ 65 ଶହ ବର୍ଗଫୁଟରେ ତିଆରି ଏ କୋଠାରେ ପାଖାପାଖି ୫ରୁ ୬ଟି ପରିବାରକୁ ଭଡା ସୂତ୍ରରେ ଘର ଦିଆଯାଇଛି ।
ଘର ପାଖକୁ ଲାଗି ୧୫ ଶହ ବର୍ଗ ଫୁଟରେ ଜମିରେ ଆଉ ଏକ କୋଠା ବି ବାଡ଼ିଆ ଚାଲିଛି। ଏତିକି ନୁହେଁ ବାବୁଙ୍କର ଭୁବନେଶ୍ବର ଓ ପୁରୀରେ ୯ ଟି ଦାମୀ ପ୍ଲଟ୍ ତ ଅଛି ତା ସାଙ୍ଗକୁ ପିପିଲି ବିଲିପଡାରେ ବିରାଟ୍ ଫାର୍ମ ହାଉସ୍ ବି ଅଛି । ଏଥିସହ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମାରାଶି, ଗୋଟିଏ ଦାମୀ କାର ସହ ଆଉ ଏକ ବେନାମୀ ଦାମୀ କାରର ସନ୍ଧାନ ବି ପାଇଛି ଭିଜିଲାନ୍ସ ଟିମ୍ ।
ଭୁବନେଶ୍ୱର ସମେତ ଖରିଆରରେ ଥିବା ସୁଶାନ୍ତଙ୍କ ସରକାରୀ କ୍ୱାର୍ଟର, ଅଫିସରେ ରେଡ ଜାରି ରହିଥିବା ବେଳେ ସମ୍ପତ୍ତିର ତାଲିକା ଆହୁରି ଲମ୍ବିବା ନେଇ ଆଶା ରଖିଛି ଭିଜିଲାନ୍ସ ।
ଅଧିକ ପଢ଼ନ୍ତୁ: ଧରାପଡିଲା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ