• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଣେ ଝିଅ ଆଉ ଜଣେ ଝିଅକୁ ବିବାହ କରିବା । ପ୍ରେମ ସମ୍ପର୍କ ରଖିବା । ଶାରୀରିକ ସମ୍ପର୍କ ରଖିବା । ଏବେ ଏସବୁ ଏକ ସାଧାରଣ କଥା ହୋଇସାରିଲାଣି । ପୂର୍ବରୁ ଏସବୁ କାଁ ଭାଁ ଶୁଣାଯାଉଥିଲେ ମଧ୍ୟ ଏବେ ଏହା ଅନେକାଂଶରେ ଦେଖାଦେଲାଣି । ବାରମ୍ବାର ଏଭଳି ଖବର ସାମ୍ନାକୁ ଆସୁଛି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ ।

ଏହି କାହାଣୀଟି ଆରମ୍ଭ ହୁଏ ଦୁଇ ଜଣ ଯୁବତୀଙ୍କୁ ନେଇ । ସେମାନେ ହେଲେ ସୋନାଲ ଓ ସାନା । ସୋନାଲ ଓ ସାନା ପ୍ରଥମେ ସାଙ୍ଗ ହେଲେ ପରେ ପ୍ରେମ ସମ୍ପର୍କରେ ବାନ୍ଧି ହେଲେ । ଆଉ ତାପରେ ସମ୍ପର୍କ ନିବିଡ଼ ହେଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ରହିଲା । ପରେ ସେମାନେ ସାରା ଜୀବନ ପାଇଁ ଏକାଠି ହୋଇ ରହିବାକୁ ବି ସ୍ଥିର କଲେ । ହେଲେ କିଛି ଦିନ ରହିବା ପରେ ସବୁ ବଦଳିଗଲା । ଉତ୍ତର ପ୍ରଦେଶ ଝାନ୍‌ସିର ଏହି କାହାଣୀ ।

ଝାନ୍‌ସିରେ ସୋନାଲ ନିଜ ପରିବାର ସହ ରହୁଥିଲେ । ସେଠାକୁ ପେଇଂ ଗେଷ୍ଟ ଭାବେ ରହିବାକୁ ଆସିଲେ ସାନା । ସେହି ଘରର ଉପର ମହଲାରେ ରହିଲେ ସାନା । ଧିରେ ଧିରେ ସୋନାଲ ଓ ସାନାଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିଲା । ମାତ୍ର ଚାରି ମାସରୁ କମ୍‌ ସମୟ ମଧ୍ୟରେ ସେମାନେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଗଲେ ।ଉଭୟଙ୍କ ମଧ୍ୟରେ ନିବିଡ଼ତା ଦେଖି ସୋନାଲଙ୍କ ପରିବାର ସାନାଙ୍କୁ ଘରୁ ବାହାରିଯିବା ପାଇଁ କହିଲେ । କାରଣ ସୋନାଲଙ୍କ ପରିବାର ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରିପାରୁ ନଥିଲେ ।

ଅଧିକ ପଢ଼ନ୍ତୁ: ଫିଲ୍ମ ଷ୍ଟାଇଲ ଲଭ୍‌ଷ୍ଟୋରୀ ! ଲିଫ୍ଟ.. ପ୍ରେମ.. ବିବାହ, ୫ ବର୍ଷ ପରେ ଧୋକା ଦେଇ ଲୁଟ୍

ସାନା ଜଣେ ସରକାରୀ ଚାକିରିଆ । ସେ ୨୦୧୬ରୁ ଝାନ୍‌ସିରେ ହିଁ ନିଯୁକ୍ତି ପାଇଛନ୍ତି । ଚାକିରିର ପ୍ରାୟ ବର୍ଷେ ପରେ ତାଙ୍କୁ ସରକାରୀ କ୍ୱାର୍ଟର ଆଲର୍ଟ ହୋଇଥିଲା । ତେଣୁ ସେ ସୋନାଲଙ୍କ ଘର ଛାଡ଼ି କ୍ୱାର୍ଟରରେ ରହିବାକୁ ନିଷ୍ପତ୍ତି ନେଲେ ।

ସାନାଙ୍କ କହିବାନୁଯାୟୀ, ୨୦୧୭ ଅଗଷ୍ଟ ୧୦ରେ ସେ ସମ୍ପୂର୍ଣ୍ଣ ରୂପେ ସରକାରୀ କ୍ୱାର୍ଟରକୁ ସିପ୍ଟ ହୋଇସାରିଥିଲେ । କିନ୍ତୁ ସେପଟେ ସୋନାଲ ଆଉ ଏକା ରହିପାରୁ ନଥିଲେ । ସାନା ଘର ଛାଡ଼ିବାର ମାତ୍ର ୪ ଦିନ ପରେ ସୋନାଲ ମଧ୍ୟ ନିଜ ଘର ଛାଡ଼ି ସାନାଙ୍କ ସହ ରହିବା ପାଇଁ କ୍ୱାର୍ଟରକୁ ସିପ୍ଟ ହୋଇଗଲେ । ଉଭୟ କିଛି ଦିନ ଏକାଠି ରହିବା ପରେ, ସାନାଙ୍କୁ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ସୋନାଲ ଉସ୍‌କାଇଥିଲେ ।

ସୋନାଲଙ୍କ କଥାରେ ରାଜି ହୋଇ, ସାନା ଓ ସୋନାଲ ଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ସାନାଙ୍କର ବିଭିନ୍ନ ପରୀକ୍ଷା କରିବା ପରେ ଲିଙ୍ଗ ପରିବର୍ତ୍ତନ ପାଇଁ ସେ ଫିଟ୍‌ ରହିଥିବା ରିପୋର୍ଟ ଦେଇଥିଲେ । ସର୍ଜରୀ ପରେ ୨୦୨୦ ଜୁନ ୨୨ ତାରିଖରେ ସାନା ନିଜ ନାଁକୁ ଅଫିସିଆଲି ବଦଳାଇ ସୋହେଲ ଖାନ୍‌ କରିଥିଲେ । ସାନା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ସୋନାଲ ତାଙ୍କ ପତ୍ନୀ ବୋଲି ସବୁ କାଗଜପତ୍ରରେ ଦସ୍ତଖତ ମଧ୍ୟ କରିଥିଲେ ।

ସୋନାଲଙ୍କ ସରକାରୀ ଚାକିରି ବଦଳାଇଲା ମୋଡ଼

ସାନା ଆରମ୍ଭରୁ ସରକାରୀ ଚାକିରି କରୁଥିଲେ । ତେଣୁ ସୋନାଲଙ୍କର ମଧ୍ୟ ସରକାରୀ ଚାକିରି ପାଇଁ ଖୁବ୍‌ ଆଗ୍ରହ ରହିଥିଲା । ତେବେ ୨୦୨୨ରେ ସୋନାଲ ଅଥର୍ବ ହସ୍ପିଟାଲ୍‌ରେ ଏକ ଚାକିରି ପାଇଲେ । ସୋନାଲଙ୍କ ଏହି ଚାକିରି ଉଭୟ ସମ୍ପର୍କରେ ବଢ଼ାଇଥିଲା ଫାଟ । ସାନା ଅନୁଭବ କରିଥିଲେ ଯେ ସୋନାଲ ତାଙ୍କଠାରୁ ଦୂରେଇ ଦୂରେଇ ଯାଉଛନ୍ତି । କାରଣ ସୋନାଲଙ୍କ ହାବଭାବରେ ପରିବର୍ତ୍ତନ ଦେଖିଥିଲେ ସାନା ।

ସାନାଙ୍କ ଅଭିଯୋଗ ଯେ, ସେହି ମେଡିକାଲରେ ଚାକିରି କରିବାର କିଛି ଦିନ ପରେ ସୋନାଲ ତାଙ୍କୁ ଧିରେ ଧିରେ ଅଭୋଏଡ୍‌ କରିବାକୁ ଲାଗିଲେ । ଏମିତିକି ଅଧିକାଂଶ ସମୟ ସେ ହସ୍ପିଟାଲରେ ବିତାଇବାକୁ ଲାଗିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବାରମ୍ବାର ଯୁକ୍ତି ତର୍କ ମଧ୍ୟ ହେଉଥିଲା । ଦିନେ ରାତିରେ ସାନା ଦେଖିଲେ ସୋନାଲ କାନ୍ଦୁଛନ୍ତି । ଆଉ ଏକ ଗ୍ରୁପ୍‌ କଲ୍‌ରେ କହୁଛନ୍ତି ସେ ତାଙ୍କ ପରିବାରକୁ ଖୁବ୍ ମିସ୍‌ କରୁଛନ୍ତି ।

ଏହାର କିଛି ଦିନ ଭିତରେ ସାନା ଜାଣିବାକୁ ପାଇଲେ ଯେ, ସୋନାଲ ଆଉ ଜଣଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି । ଯାହାର ନାଁ ଜ୍ଞାନ । ସେ ମଧ୍ୟ ସେହି ସମାନ ହସ୍ପିଟାଲରେ କାମ କରୁଛନ୍ତି । ଏସବୁ ଜଣାପଡ଼ିବା ପରେ ସୋନାଲ ସିଧା ସିଧା କହିଲେ ସେ ଜ୍ଞାନଙ୍କ ସହ ରହିବାକୁ ଚାହୁଁଛନ୍ତି ।

ସୋନାଲ ପୋଲିସ ଆଉ ସାନା କୋର୍ଟଙ୍କ ଦ୍ୱାରସ୍ଥ

ଏତେ ସବୁ ଘଟଣା ପରେ ସାନାଙ୍କ କ୍ୱାର୍ଟର ଛାଡ଼ି ସୋନାଲ ତୁରନ୍ତ ନିଜ ଘରକୁ ଫେରି ଆସିଲେ । ଖାଲି ସେତିକି ନୁହେଁ ନିଜ ପରିବାର ଲୋକଙ୍କ ସହ ମିଶି ସାନାଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଲେ। ସୋନାଲଙ୍କ ସହ ସାନା ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଲେ ପରିବାର ଲୋକ । ଅଭିଯୋଗକୁ ଭିତ୍ତ କରି ସାନାଙ୍କୁ ପଚରାଉଚରା କଲା ପୋଲିସ।

ପରେ ସାନା ଏହି ମାମଲା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସାନାଙ୍କ ଅଭିଯୋଗ ପରେ କୋର୍ଟରୁ ସୋନାଲଙ୍କୁ ସମନ କରାଯାଇଥିଲା। ହେଲେ ସୋନାଲ ଆଉ ଧରା ଛୁଆଁ ଦେଇ ନଥିଲେ । ବାରମ୍ବାର ସମନ ପରେ ବି ସୋନାଲ ହାଜର ହୋଇନଥିଲେ । ପରେ ଜାନୁଆରୀ ୧୮ରେ ସୋନାଲଙ୍କୁ ଗିରଫ କରାଯାଇଥିଲା। ଏବେ ସେ ବେଲ୍‌ରେ ଅଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣୀ ଫେବ୍ରୁରୀ ୨୩ରେ ରହିଛି।