• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲିଫ୍ଟ ମାଗିବା ପରେ ଫୋନ୍ ନମ୍ବର ଦିଆନିଆ । ତା’ପରେ ମୋବାଇଲରେ କଥାବାର୍ତ୍ତାରୁ ପ୍ରେମ । ଆଉ ପ୍ରେମ ନିବିଡ଼ ହେବା ପରେ ମନ୍ଦିରରେ ବିବାହ । ଏମିତି ଧିରେ ଧିରେ ୫ ବର୍ଷ ବିତିଗଲା । ଆଉ ୫ ବର୍ଷ ଏକାଠି ରହିବା ପରେ ଧୋକା ଦେଲା ପ୍ରେମିକା । ଅଚାନକ ଗାୟବ ହୋଇଗଲା । ଆଉ ସବୁ ଲୁଟି ନେଇ ଚାଲିଗଲା । ଏମିତି କିଛି କାହାଣୀ କହିଛନ୍ତି ଧୋକା ଖାଇଥିବା ଜଣେ ଯୁବକ ।

ଏହି ଘଟଣାରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ ଦିଗ ହେଲା ଏଠି ଧୋକାବାଜ୍ ପୁରୁଷ ନୁହେଁ ବରଂ ଜଣେ ମହିଳା । ଆଶ୍ଚର୍ଯ୍ୟଜନକ ଏଥିପାଇଁ ଯେ, ଅନେକ ଥର ଆପଣ ଶୁଣିଥିବେ ପୁରୁଷ ଧୋକା ଦେଇଥାଏ । ଆଉ ଥାନା ଆଗରେ ବସି ଭୋ ଭୋ କାନ୍ଦୁଥାଏ ପ୍ରତାରଣାର ଶିକାର ହୋଇଥିବା ମହିଳା । କିନ୍ତୁ ଏହି କାହାଣୀରେ ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଯୁବକ । ଶିକାରୀ ପାଲଟିଛନ୍ତି ମହିଳା ।

ଯୁବକ ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ପତ୍ନୀ ସବୁ ଲୁଟି ନେଇ ଚାଲିଯିବା ପରେ ଏବେ ତାଙ୍କୁ ହତ୍ୟା ଧମକ ମିଳୁଛି । ତେଣୁ ଏନେଇ ସେ ଥାନାରେ ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଫିଲ୍ମ କାହାଣୀ ପରି ଲାଗୁଥିବା ଏହି ଘଟଣା ହେଉଛି ପୁରୀ ସଦର ବ୍ଲକର ।

ଆଗରୁ ଆର୍‌ଏଚ୍‌ଏସ୍‌ କଲୋନିରେ ରହୁଥିବା ୩୨ ବର୍ଷୀୟ ଯୁବକ ତଥା ଟାକ୍ସି ଡ୍ରାଇଭର ସୁଶାନ୍ତ ବେହେରା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଟାକ୍ସି ଚଲାନ୍ତି । ସେ କହିବା ଅନୁସାରେ ତାଙ୍କୁ ଦିନେ ଲିଫ୍ଟ ମାଗିଥିଲେ ପୁରୀ ଚନ୍ଦନପୁର ଜିରାକନ୍ଦି ଗାଁର ଜଣେ ଯୁବତୀ । ସେହି ଲିଫ୍ଟରୁ ଚିହ୍ନା ଜଣା, ଆଉ ତାପରେ ଫୋନ୍ ନମ୍ବର ଦିଆନିଆ ହୋଇଥିଲା । କିଛି ଦିନ କଥା ବାର୍ତ୍ତା ପରେ ପ୍ରେମ ଓ ଶେଷରେ ପୁରୀ ବାଟମଙ୍ଗଳା ମନ୍ଦିରରେ ଯୁବତୀଙ୍କ ମାଆଙ୍କ ଉପସ୍ଥିତିରେ ବାହାଘର ହେଲା ।

ଏହା ପରେ ସୁଶାନ୍ତ ଓ ଯୁବତୀ ଜଣକ ଏକାଠି ପୁରୀ ସୁଦର୍ଶନ ନଗର ସହିତ ବିଭିନ୍ନ ସ୍ଥାନରେ ଭଡ଼ାରେ ରହିଥିଲେ । ୨୦୨୧ରେ ସୁଶାନ୍ତ ଜାଣିଲେ ଯେ, ଯୁବତୀ ପୂର୍ବରୁ ପୁରୀ ବାଙ୍କୀ ମୁହାଣ ତଳ ନୂଆ ସାହିର ପ୍ରହଲ୍ଲାଦ ପ୍ରଧାନଙ୍କୁ ବାହା ହୋଇଥିଲେ । ଉଭୟଙ୍କର ଏକ ପୁଅ ବି ଅଛି । ସୁଶାନ୍ତ ଅଭିଯୋଗ କରିଛନ୍ତି ଯେ, ବହୁ ଟଙ୍କା, ସୁନା ଲୁଟି ନେବା ପରେ ଯୁବତୀ ତାଙ୍କୁ ଛାଡ଼ି ଫେରାର ହୋଇଛନ୍ତି । ଏନେଇ ସୁଶାନ୍ତ ପ୍ରଥମେ ପୁରୀ ସି-ବିଚ୍ ଥାନା ଓ ପରେ ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସେ ପୁରୀ ଏସ୍‌ଡିଜେଏମ୍ କୋର୍ଟରେ ଏକ ମାମଲା କରିଛନ୍ତି । ଏହାସହ ଯୁବତୀ ତାଙ୍କୁ ହତ୍ୟା ଧମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ସୁଶାନ୍ତ ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଯୁବତୀ ଜଣଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇ ନାହିଁ ।