• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତଧରି ଟେଲର କାମ ଶିଖାଇଥିଲେ ଯେଉଁଥିପାଇଁ ସବୁବେଳେ ଟେଲର ମାଷ୍ଟରଙ୍କୁ ଗୁରୁ ଗୁରୁ କହି ଡାକୁଥିଲା ଶିଷ୍ୟ । କିନ୍ତୁ ଶେଷରେ ସେହି ଶିଷ୍ୟ ହିଁ ସାଜିଲା ହତ୍ୟାକାରୀ । ସାମାନ୍ୟ ବଚସାରୁ ଅତି ବିଭତ୍ସ ଭାବରେ ଗୁରୁକୁ ହତ୍ୟା କଲା ଶିଷ୍ୟ । ଗତ ୩୧ ଡିସେମ୍ବର, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ତଅଁଳା ଗାଁ ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ପୁରୁଷୋତ୍ତମକୁ ହତ୍ୟା ଅଭିଯୋଗରେ ଗାଁର କଲୋନୀ ପଡାର ଶିଷ୍ୟ ହେମନ୍ତ ପୁଟିକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । 

ଗୁରୁଦ୍ରୋହୀ ଅଭିଯୁକ୍ତ ଶିଷ୍ୟକୁ ପୋଲିସ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ ପଚରାଉଚରା କରିଛି । ଆଉ ହତ୍ୟାକାଣ୍ଡର ଗୋଟି ଗୋଟି ଦୃଶ୍ୟକୁ ବେଧଡକ ବଖାଣିଛି ହତ୍ୟାକାରୀ ହେମନ୍ତ ପୁଟି । ପୋଲିସ ଆଗରେ ବିଭିତ୍ସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଥିଲା ଶୈତାନ ଶିଷ୍ୟ । କଣ ପାଇଁ ଓ କେମିତି ହତ୍ୟା କରିଥିଲା ପୁରୁଷୋତ୍ତମ ତାହା ଟିକିନିଖି କରି କହିଲା ।

ଗତ ଡିସେମ୍ବର ୩୧ ତାରିଖ, ଦିନ ୧୧ଟା । ତଅଁଳା ଗାଁ କଲୋନୀ ପଡ଼ାର ହେମନ୍ତ ପୁଟା, ଟେଲର ମାଷ୍ଟର ପୁରୁଷୋତ୍ତମକୁ ଫୋନ କରିଥିଲା । ନୂଆବର୍ଷ ପାଇଁ ଭୋଜି କରିବାକୁ ଡାକିଥିଲା । ଭୋଜି ଖାଇବାକୁ ଯାଉଛି, କହି ଘରୁ ବାଇକରେ ବାହାରିଯାଇଥିଲା ପୁରୁଷୋତ୍ତମ । ଗାଁ ନିକଟରେ ଥିବା ସାଗୁଆନ ଜଂଗଲରେ ପୁରୁଷୋତ୍ତମ, ହେମନ୍ତ ଏବଂ ଅନ୍ୟ ସାଙ୍ଗ ତପେଶ୍ୱର ଭୋଇ ମିଶି ଭୋଜିଭାତର ଆୟୋଜନ କରିଥିଲେ । ମଦ ମଧ୍ୟ ପିଇଥିଲେ ।

ତାପରେ ହେମନ୍ତ ପୁଟି ସାଇକେଲ ଧରି ଘରକୁ ବାହାରିଥିଲା । କିନ୍ତୁ ଅନ୍ୟ ଦୁଇଜଣ ସାଙ୍ଗ ଆହୁରି ମଦ ପିଉଥିଲେ । ଘରକୁ ଆସୁଥିବା ସମୟରେ ହେମନ୍ତର ସାଇକେଲ ଚେନ ଖୋଲି ଯାଇଥିଲା । ହେମନ୍ତ ସାଇକେଲ ଚେନ ଠିକ୍ କରୁଥିବା ସମୟରେ ପଛପଟୁ, ପୁରୁଷୋତ୍ତମ ଏବଂ ତପେଶ୍ୱର ଆସିଥିଲେ । ସେଠାରେ ନିଶାରେ ଥିବା ପୁରୁଷୋତ୍ତମ  ହେମନ୍ତକୁ ଟାହିଟାପରା କରିଥିଲା । ଯାହାକୁ ନେଇ ପରସ୍ପର ଭିତରେ ଗଣ୍ଡଗୋଳ ହୋଇଥିଲା । ଦୁଇଜଣ ଝଗଡା ଲାଗିବାରୁ ସେଠାରୁ ଫେରାର ମାରିଥିଲା ତପେଶ୍ୱର । ହଠାତ ରାଗିଯାଇ ହେମନ୍ତ, ପୁରୁଷୋତ୍ତମକୁ ଟାଙ୍ଗିଆରେ ଚୋଟ ଉପରେ ଚୋଟ ମାରିଥିଲା । ଆଉ ହତ୍ୟା ପରେ ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିଲା ।  

ପୁରୁଷୋତ୍ତମ ବେହେରା ଥିଲେ ଜଣେ ଜଣାଶୁଣା ଟେଲର ମାଷ୍ଟର । ନିଜ ଗାଁ କଲୋନୀ ପଡାର ହେମନ୍ତ ପୁଟି ତାଙ୍କ ନିକଟରେ କିଛି ମାସ ହେଲା ଟେଲର କାମ ଶିଖୁଥିଲା । ତେଣୁ ପୁରୁଷୋତ୍ତମଙ୍କୁ ଗୁରୁ ବୋଲି ଡାକୁଥିଲା ହେମନ୍ତ । ସେମାନଙ୍କ ଭିତରେ ଘନିଷ୍ଠ ବନ୍ଧୁତା ମଧ୍ୟ ଥିଲା । ଏକା ସାଂଗରେ ଭୋଜିଭାତର ଆୟୋଜନ ମଧ୍ୟ କରୁଥିଲେ । କିନ୍ତୁ ୨୦୨୨ ମସିହାର ଶେଷ ଦିନର ଭୋଜି, ପୁରୁଷୋତ୍ତମଙ୍କ ପାଇଁ ଥିଲା ଶେଷ ଦିନ ।

ଅଧିକ ପଢ଼ନ୍ତୁ: କଲେଜ ପରିସରରେ ଖେଳିଲେ ରକ୍ତର ହୋଲି, ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ...

ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଥିଲା ପୋଲିସ । ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ମଧ୍ୟ ଛାନଭିନ କରିଥିଲେ । ବଲାଙ୍ଗିର ଏସ୍.ପି ନୀତିନ କୁଶଳକରଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଥିଲା ପୋଲିସ । ଫୋନ ଡିଟେଲ ଏବଂ ମୃତ ପୁରୁଷୋତ୍ତମଙ୍କ ସ୍ତ୍ରୀ ଡାଲିମ୍ବ ବେହେରାଙ୍କ ବୟାନରୁ, ହେମନ୍ତ ଉପରେ ସନ୍ଦେହ କରିଥିଲା ପୋଲିସ । ତାକୁ ଅଟକ ରଖି ପଚରା ଉଚରା କରିବା ସମୟରେ, ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା ହେମନ୍ତ । ଏହା ସହିତ ନିଜେ ହତ୍ୟାକାରୀ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଏବଂ ରକ୍ତ ଭିଜା ପେଣ୍ଟସାର୍ଟ, ଲୁଚାଇଥିବା ସ୍ଥାନ ପୋଲିସକୁ ଦେଖାଇଥିଲା । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ରକ୍ତଭିଜା ପେଣ୍ଟସାର୍ଟକୁ ଜବତ କରିଛି । ଗୁରୁକୁ ହତ୍ୟା ଅଭିଯୋଗରେ, ଶେଷରେ ଜେଲ ଯାଇଛି ଅଭିଯୁକ୍ତ ଶିଷ୍ୟ ।

(ରିପୋର୍ଟ- ଘଟେଶ୍ୱର ମିଶ୍ର, ବଲାଙ୍ଗିର)