• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିବାହର ବିତି ଯାଇଥିଲା ୧୪ ବର୍ଷ । କୋଳକୁ ଦୁଇଟି ଛୁଆ ମଧ୍ୟ ଆସିଥିଲେ । କିନ୍ତୁ ସ୍ୱାମୀ ମନ ପୁରିନଥିଲା । ସନ୍ତାନର ଖୁସିକୁ ସେ ଗ୍ରହଣ କରିପାରୁ ନଥିଲା । ଦୁଇଟି ଯାକ ଝିଅ ହିଁ କଣ ପାଇଁ ହେଲା.. ଏନେଇ ପତ୍ନୀଙ୍କୁ ମାରଧର କରୁଥିଲା । ତା’ଉପରେ ବଳି ଯାଇଥିଲା ଯୌତୁକଜନିତ ଅତ୍ୟାଚାର । ଶେଷରେ ଜୀବନ ନେଇଗଲା ସୈତାନ ସ୍ୱାମୀ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଛି । ପରେ ନ୍ୟାୟ ଦାବିରେ ଅଡ଼ି ବସିଲେ ପରିବାର ଲୋକେ । ପୋଲିସ ପ୍ରତିଶ୍ରୁତି ଦେବା ପରେ ହେଲା ମୃତଦେହ ବ୍ୟବଚ୍ଛେଦ । ଭଦ୍ରକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ପୁରୁଣାବଜାର ଥାନା ମିର୍ଜାପୁର ଗାଁର ରୁନୁ ବିବି ୧୪ ବର୍ଷ ତଳେ ଗୁଜିଦରଡ଼ା ଗାଁର ସେକ୍ ମୋଜଲ ହୋସେନଙ୍କୁ ବିବାହ କରିଥିଲେ ।

ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଯୌତୁକ ଦାବିରେ ଏବଂ ଦୁଇଟି କନ୍ୟା ସନ୍ତାନ ହୋଇଥିବାରୁ ଶାଶୁଘରେ ନିର୍ଯାତନାର ଶିକାର ହୋଇ ଆସୁଥିଲେ ରୁନୁ । ତେବେ ଗତ ସୋମବାର ପାରିବାରିକ କଳହ ପରେ, ମୋଜଲ ନିଜ ପତ୍ନୀ ରୁନୁଙ୍କୁ ଭୁଜାଲିରେ ହାଣି ହତ୍ୟା କରି ଫେରାର୍ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ଗତ ୨୦୨୨ରେ ମଧ୍ୟ ମୋଜଲ୍ ରୁନୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମାମାଲା ଏବେବି କୋର୍ଟରେ ବିଚାରାଧୀନ ରହିଛି । ଗତ ୯ ଦିନ ତଳେ ବି ମୋଜଲ୍ ନିଶାସକ୍ତ ଅବସ୍ଥାରେ ରୁନୁଙ୍କୁ ମାରପିଟ କରି ଏକ ମାରଣାସ୍ତ୍ର ଧରି ରାସ୍ତାରେ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଛି ।

ତେବେ ୨୨ ତାରିଖରେ ଏହି ହତ୍ୟାକାଣ୍ଡ ପରେ, ରୁନୁଙ୍କ ଭାଇ ଥାନାରେ ରୁନୁଙ୍କ ସ୍ୱାମୀ ମୋଜଲ୍ ଏବଂ ମୋଜେଲଙ୍କ ଦୁଇ ଭଉଣୀ ଓ ଭିଣୋଇ ନାଁରେ ଏତଲା ଦେଇଛନ୍ତି । ଏଥିସହ ପୂର୍ବ ନିର୍ଯାତନା ଘଟଣାରେ ଏତଲା ଗ୍ରହଣ କରିନଥିବା ଗୁଜିଦରଡ଼ା ଫାଣ୍ଡି କନେଷ୍ଟବଳ ବରକତ ଅଲ୍ଲୀ ଖାନ୍ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି ।

ଏମାନଙ୍କ ବିରୋଧରେ ମାମଲା ରୁଜୁ ନହେଲେ ବ୍ୟବଚ୍ଛେଦ ପାଇଁ ମୃତଦେହ ଛଡ଼ାଯିବ ନାହିଁ ବୋଲି ଅଡ଼ି ବସିଥିଲେ ରୁନୁଙ୍କ ପରିବାର ଲୋକେ । ଏହାକୁ ନେଇ ଗତକାଲି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।

ତେବେ ଗୁଜିଦରଡ଼ା ଫାଣ୍ଡି ଅଧିକାରୀ, ଗ୍ରାମାଞ୍ଚଳ ଥାନାଧିକାରୀ ଏବଂ ସିଟି ଡ଼ିଏସପିଙ୍କ ଉପସ୍ଥିତିରେ ୭ ଦିନ ଭିତରେ ପୋଲିସ ତଦନ୍ତ ରିପୋର୍ଟ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।