• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚୋର । ଗୋଟିଏ ବିଚିତ୍ର ପ୍ରଜାତି । ୟାଙ୍କ ଲାଗି କର୍ମର ସମୟ କେବଳ ରାତି । ସବୁ ନିସ୍ତବ୍ଧ ହେଲେ ଏମାନେ ଉଠନ୍ତି । ନିଜ କାମରେ ମାତନ୍ତି । ୟା ତା ଘରେ ଚୁପ୍ ଚାପ ପ୍ରବେଶ କରନ୍ତି । କେତେବେଳେ ମୁହଁରେ କଳାକନା ତ କେତେବେଳେ ଚାକୁ ଚଲେଇ ଚକମା ଦେଖାନ୍ତି । କିନ୍ତୁ ଏତେ ସବୁ ଗୌରଚନ୍ଦ୍ରିକା ପରେ ଆମେ ଯେଉଁ ୨ ଜଣ ବିଚିତ୍ର ଚୋରଙ୍କ ସମ୍ପର୍କରେ କହିବୁ, ସେମାନଙ୍କୁ ଆପଣ ଚକୁଳିଖିଆ ଚୋର କହିପାରନ୍ତି ।

ଆଜ୍ଞା ହଁ, ଘଟଣାଟା ଆମ ଭଞ୍ଜନଗରର । ଆଉ ଦୁବୃର୍ତ୍ତଙ୍କ ଏକ୍ସପେରିମେଣ୍ଟର ପ୍ରାକ୍ଟ୍ରିକାଲ ଫିଲ୍ଡଟା ହେଉଛି, ଜଜ୍ ସାହେବଙ୍କ ବଙ୍ଗଳା । ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକ । କାଳି ପୂଜା ଛୁଟିରେ ସାର୍ ଯାଇଛନ୍ତି ଗାଁକୁ । ଘରେ ତାଲା ପଡ଼ିଛି । ଦୁବୃର୍ତ୍ତଙ୍କୁ ଏ ଖବର ମିଳିବା ପରେ ସେମାନେ ନିଜ ଅଭିଯାନ ଆରମ୍ଭ କରନ୍ତି । ଜଜଙ୍କ ବାସଭବନରେ ପ୍ରବେଶ କରନ୍ତି । କେହି କୁଆଡେ ନ ଥିବାରୁ ଜମେଇକି ଚୋରି କରିବାକୁ ମନସ୍ତ କରନ୍ତି । ହେଲେ ଏତିକି ବେଳେ ଫ୍ରିଜ ଖୋଲି ଥଣ୍ଡା ପାଣି ପିଇବାକୁ ଇଚ୍ଛା ହୁଏ । ଆଖିରେ ପଡେ ବିରି ଚାଉଳ ଆଣ । ବାସ୍ ତା ପରେ ଚୋର ପାଲଟନ୍ତି ଚକୁଳିଖିଆ ଚୋର । ତାଉଆ ଉପରେ ଆଣ ପକେଇ ଚକୁଳି ଲେଉଟାନ୍ତି । ଫ୍ରିଜ ଭିତରୁ ମିଠା କାଢି ଚକୁଳି ଲଗେଇ ଲଗେଇ ଖାଆନ୍ତି।

ଅଧିକ ପଢ଼ନ୍ତୁ: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ପେଟ ପାଟେଣା ଶାନ୍ତି ହେଲା ପରେ, ଆଲମାରି ଭାଙ୍ଗି ସୁନା ଗହଣା ଲୁଟନ୍ତି । କାମ ସାରି ଲେଉଟିଲା ବେଳେ ଆଲମାରି ଭିତରେ ଆଉ ଗୋଟାଏ ବ୍ୟାଗ ଉପରେ ନଜର ପଡେ । ଜଜ ସାହେବଙ୍କ ଘରୁ ବାବୁ ଭାୟା ମାର୍କା ଡ୍ରେସ ପିନ୍ଧି ବାହାରିବାକୁ ଇଚ୍ଛା କରନ୍ତି ଚୋର ବାବୁ । ବ୍ରାହ୍ମଣ ଦାନ ପରେ ଦକ୍ଷିଣା ନେଲା ପରି, ଦୁଇ ଦୁର୍ବୃତ୍ତ ଚକୁଳି ଖାଇ ଚୋରି କରନ୍ତି । ଆଉ ଗଲା ବେଳକୁ ପ୍ୟାଣ୍ଟ ସାର୍ଟ ଭର୍ତ୍ତି ବ୍ୟାଗ ବି ସାଙ୍ଗରେ ନେଇ ପଳାନ୍ତି ।

ହେଲେ ଚୋର ଭୁଲଟା ଏଇଠି କରିଦିଅନ୍ତି । ଘରେ ସିସିଟିଭି ଲାଗିଛି ବୋଲି ଚୋର-ବାବୁଙ୍କ ମଗଜରେ ପଶିଲାନି । ବୋଧହୁଏ ଖାସ୍ ସେଇଥିପାଇଁ ଅନ୍ଧାର ରାତିର ଚକୁଳିଖିଆ ପ୍ରସଙ୍ଗଟା ଆମେ ସମସ୍ତେ ଜାଣିବାକୁ ପାଇଲେ । ହାକିମଙ୍କ ଘରୁ ଚୋରି ହେଇଛି । ତେଣୁ ପୁଲିସ ଆଉ କାଳ ବିଳମ୍ବ ନ କରି ଦୁଇ ଅଭିଯୁକ୍ତ ଶିବ ମଳିକ ଓରଫ ଚଗଲା ଓ ତୋଫାନ ମହାରଣାକୁ ଥାନାକୁ ଆଣିଛି । ଚୋରି ସାମଗ୍ରୀ ଜବତ ହେବ ବୋଲି ସମସ୍ତଙ୍କ ଆଶା । ହେଲେ, ଏ ଖବର ପଢି ଆପଣ ସମସ୍ତେ ହସିଲା ପରି ପୁଲିସ ବି ହସି ହସି ବେଦମ୍ ହେଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now