/odishatv-khabar/media/post_attachments/uploadimage/library/16_9/16_9_0/Job_Fraud_1752594821.jpg)
Job Fraud
ନାଁକୁ ସମାଜସେବା, ଅସଲ ଉଦ୍ଦେଶ୍ୟ ଥିଲା ଠକେଇ। ସ୍ବାମୀ-ସ୍ତ୍ରୀ ମିଶି ଭୁବନେଶ୍ୱରରେ ଖୋଲିଥିଲେ ସମାଜ ମଙ୍ଗଳ ସଂସ୍ଥା। ରେଳବାଇରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଛନ୍ତି । ରାକେଟର ମାଷ୍ଟରମାଇଣ୍ଡ ଦମ୍ପତିଙ୍କ କାରନାମା ସାମ୍ନାକୁ ଆସିବା ପରେ ମହିଳାଙ୍କୁ ବାନ୍ଧିଛି ପୋଲିସ। ରେଲୱେରେ ସ୍କାଉଟ ଏଣ୍ଡ ଗାଇଡ୍ କୋଟାରେ ଚାକିରି କରାଇ ଦେବା ନାଁରେ ୩୦ରୁ ଉର୍ଦ୍ଧ୍ୱ ଯୁବକଯୁବତୀଙ୍କ ଠାରୁ ୫ କୋଟିରୁ ଅଧିକ ଟଙ୍କା ଠକେଇ ଘଟଣାରେ ଭୁବନେଶ୍ୱର ଜନମାନ୍ୟତା ଟ୍ରଷ୍ଟର ସଭାନେତ୍ରୀ ଶୁଭଲକ୍ଷ୍ମୀ ରାଉତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ ।
ଠକେଇ ରାକେଟର ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ତଥା ଶୁଭଲକ୍ଷ୍ମୀଙ୍କ ସ୍ବାମୀ ସମରଜିତ ରାଉତ ଫେରାର ଅଛନ୍ତି । ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି । ଏହି ଘଟଣାରେ କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ଦଲାଲ ବିଘ୍ନେଶ୍ୱର ଦୋରାଙ୍କୁ ଗିରଫ କରାଯାଇଛି । ଏମାନେ ପଶ୍ଚିମବଙ୍ଗରେ ଇଷ୍ଟର୍ଣ୍ଣ ରେଳବାଇ ଅଧିନରେ ଚାକିରି କରାଇଦବା ନାଁରେ ବହୁ ଆଶାୟୀଙ୍କୁ ଠକିଥିବା ବେଳେ ଏଥିରେ କିଛି ରେଳବାଇ କର୍ମଚାରୀ ସାମିଲ ଥିବା ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଛି ।
ଚାକିରି ଆଶାରେ ଥିବା ଯୁବକ ଯୁବତୀଙ୍କ ଠାରୁ ଜଣପିଛା ନେଇଛନ୍ତି ୧୨ରୁ ୧୬ ଲକ୍ଷ ଟଙ୍କା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୨୮ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କ ଠାରୁ ନେଇଛନ୍ତି ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଆଉ ସେହି ଟଙ୍କାରେ କରିଛନ୍ତି ୪ଟି ଲେଖାଏଁ କମ୍ପାନୀ ଏବଂ ଠକେଇ ଟଙ୍କା ଖର୍ଚ୍ଚ କରି ଦେଶ ବିଦେଶ ବୁଲି ଅଏସ୍ କରିଛନ୍ତି । ଠକ ସମରଜିତ ନିଜକୁ ବସନ୍ତ ସିଂ ଭାବେ ଏବଂ ଶୁଭଲକ୍ଷ୍ମୀ ଦିଲ୍ଲୀ ଅଫିସର ଭାବେ ପରିଚୟ ଦେଇ ରେଳବାଇର କିଛି କାଗଜପତ୍ର ଦେଖାଇ ବିଶ୍ୱାସ ଜନ୍ମାଉ ଥିଲେ । ଦଲାଲ ବିଘ୍ନେଶ୍ୱର ଦୋରାଙ୍କୁ ନିୟୋଜିତ କରି ଆଦାୟ କରିଥିଲେ ୫ କୋଟିରୁ ଅଧିକ ଟଙ୍କା । ଠକେଇର ଶିକାର ଯୁବକଯୁବତୀ ଅଭିଯୋଗ କରିବା ପରେ ପୋଲିସ ଦଲାଲ ବିଘ୍ନେଶ୍ୱର ସମେତ ଭୁବନେଶ୍ୱରରୁ ଶୁଭଲକ୍ଷ୍ମୀଙ୍କୁ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)