/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752577471.jpg)
୭ ମହଲା କୋଠା, ଲିଫ୍ଟ ଅଚଳ
ଶିଳ୍ପ ସମୃଦ୍ଧ ରସୁଗୁଡ଼ା ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଲାଗିଛି। ୭ମହଲା ଚିକିତ୍ସାଳୟରେ ନାନା ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ଆମ୍ବୁଲାନ୍ସ ଅଚଳ, ମହାପ୍ରଣାୟ ଗାଡ଼ି ନାହିଁ କହିଲେ ଚଳେ, ବର୍ନ ୱାର୍ଡ ନାହିଁ ଓ ଲିଫ୍ଟ ଅଧିକାଂଶ ସମୟରେ କାମ କରୁନି। ଏମିତି ନାନା ସମସ୍ୟା ଲାଗିରହିଥିବେ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି।
୭ ମହଲା କୋଠା ବିଶିଷ୍ଟ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା। ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ଲଖନପୁର, କୋଲାବିରା, କିର୍ମିରା, ଲାଇକେରା ଆଦି ବ୍ଲକ ଓ ଝାରସୁଗୁଡା, ବ୍ରଜରାଜନଗର, ଓ ବେଳପାହାଡ଼ ଆଦି ମୁନିସିପାଳିଟିର ହଜାର ହଜାର ଜନସାଧାରଣ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। ଅଭିଯୋଗରୁ ପ୍ରକାଶଯେ, ସକାଳ ୯ ଟା ପରେ ଅନେକ ଡାକ୍ତର ଆସିଥାନ୍ତି ।
12 ଟା ପରେ ଡାକ୍ତରଖାନାରେ OPD ରେ ଡାକ୍ତରମାନେ ବସୁନଥିବାରୁ ରୋଗୀ ହତାଶ ହୋଇ ପଳାଇ ଯାଆନ୍ତି । ଉପରବେଳା ବିଶେଷଜ୍ଞ ଡାକ୍ତରମାନେ ରହୁନାହାନ୍ତି। ଯାହାର ଭାଗ୍ୟ ଭଲ ଥିବ ସେ ଦିନ ଡାକ୍ତରଙ୍କୁ ଦେଖାଇବ। ଆଉ ଦିନ 12 ଟା ପରେ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଏଠାରେ ଦେଖିବାକୁ ମିଳେନାହିଁ । ଯାହାର ପ୍ରଭାବ ରୋଗୀମାନଙ୍କ ଉପରେ ପଡ଼ୁଛି। ରୋଗୀମାନେ ଡାକ୍ତରଙ୍କୁ ନଦେଖାଇ ଫେରୁଛନ୍ତି । ବାଧ୍ୟ ହୋଇ ଘରୋଇ ମେଡିକାଲରେ ଡାକ୍ତରଙ୍କୁ ଦେଖାଉଛନ୍ତି ।
ଝାରସୁଗୁଡ଼ା ସ୍ବତନ୍ତ୍ର ହେବା ପରେ ଜିଲାବାସୀ କୌଣସି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହେଲେ ବୁର୍ଲା ମେଡିକାଲ ଉପରେ ନିର୍ଭର କରୁଥିଲେ। ମେଡିକାଲର ଆବଶ୍ୟକତା ଦୃଷ୍ଟିରୁ ୪୨ କୋଟି ୨୩ ଲକ୍ଷ ଟଙ୍କାରେ ୭ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଗଲା । ୩୦୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ସେତେବେଳର ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ୨୦୧୮ ଜାନୁୟାରୀ ୪ ତାରିଖରେ ଉଦ୍ଘାଟନ କରିଥିଲେ । ୨୦୧୯ ନିର୍ବାଚନ ପରେ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇ ସ୍ୱର୍ଗତ ନବ କିଶୋର ଦାସ ସ୍ଵାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ନିର୍ମଳ ଯୋଜନା ମାଧ୍ୟମରେ ଚିକିତ୍ସାଳୟରେ ଠିକା କର୍ମଚାରୀଙ୍କୁ ନିୟୋଜିତ କରାଗଲା ।
ଏବେ ସଂପୂର୍ଣ ଭାବେ ସରକାରଙ୍କ ହାତରେ ଅଛି। ଗର୍ଭବତୀ ମହିଳା କିମ୍ବା ହାତ ଗୋଡ଼ ଭାଙ୍ଗି ଯାଇଥିବା ରୋଗୀ ଯେତେବେଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସନ୍ତି, ଲିଫ୍ଟ ଅଚଳ ହୋଇରହିବାରୁ ଉପର ମହଲାକୁ ଯିବାକୁ ନେଇ ହଇରାଣ ହେଉଛନ୍ତି। ଡାକ୍ତରଙ୍କୁ ଦେଖାଇବାକୁ ନେଇ ଅସୁବିଧା ଭୋଗୁଛନ୍ତି । ଯେଉଁ ରୋଗୀ ଦିନ ବେଳା ଆସୁଛନ୍ତି, ସେମାନେ ଡାକ୍ତରଙ୍କୁ ଦେଖାଇବା ସୁଯୋଗ ପାଉଛନ୍ତି। ଦିନ ୨ ପରେ ଆସୁଥିବା ରୋଗୀମାନେ ଡାକ୍ତରଙ୍କୁ ଦେଖାଇ ନପାରି ଫେରି ଯାଉଛନ୍ତି। ଯେଉଁ ଗୁରୁତର ରୋଗୀ ଆସୁଛନ୍ତି, ସେମାନଙ୍କୁ ରଖି ଦିଆଯାଉଛି। ପରଦିନ ଡାକ୍ତର ଆସିବା ପରେ ଦେଖୁଛନ୍ତି। ଡାକ୍ତର ଦେଖିବା ପରେ ପରୀକ୍ଷାନିରୀକ୍ଷା ହେଉଛି।
ଏଭଳି ଅବ୍ୟବସ୍ଥାରେ ଯେଉଁ ରୋଗୀର ଭାଗ୍ୟ ଭଲ ସେ ପରଦିନକୁ ଅପେକ୍ଷା କରି ରହୁଛନ୍ତି। ନ ହେଲେ ଯନ୍ତ୍ରଣାରେ ରୋଗୀଙ୍କ ଅବସ୍ଥା କ'ଣ ହେଉଥିବ ସ୍ପଷ୍ଟ ଅନୁମେୟ। ଦିନ ବେଳା ଡାକ୍ତର ରହୁଥିବା ବେଳେ ଗୋଟାଏ କିମ୍ବା ୨ଟା ପରେ ଆଉ ଡାକ୍ତରଙ୍କ ଦେଖା ମିଳୁନାହିଁ। ପ୍ରସୂତି ବିଭାଗର ଡାକ୍ତର ରହୁ ନଥିବାରୁ ଉପରବେଳା ଆସୁଥିବା ରୋଗୀମାନେ ହଇରାଣ ହେଉଛନ୍ତି । କେବଳ ପ୍ରସୂତି ବିଭାଗର ଡାକ୍ତର ନୁହେଁ, ଆଖ୍, କାନ ଏବଂ ଅସ୍ଥିଶଲ୍ୟ ବିଭାଗର ଡାକ୍ତରମାନେ ମଧ୍ୟ ରହୁନାହାନ୍ତି । ତେବେ ଲିଫ୍ଟ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି CDMO କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)