• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯାଇଥିଲେ ଗଂଜେଇ ଧରିବାକୁ ହେଲେ ପାଇଗଲେ ମାଳ ମାଳ ରୂପା ଇଟା । ଖାଲି ରୂପା ଇଟା ନୁହଁ, ବିପୁଳ ଅଳଙ୍କାର ସହ ମିଳିଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ଦେଖି ତାଜୁବ୍ ଅବକାରୀ ଅଧିକାରୀ । ଗଂଜେଇ ଚାଲାଣ ଖବର ପାଇ କଟକ ଟାଙ୍ଗି ଟୋଲ୍ ଗେଟ୍‌ରେ ଚେକିଂ ବେଳେ ହାତରେ ଲାଗିଛି ଏସବୁ ସାମଗ୍ରୀ । କୁହାଯାଉଛି, ଗଞ୍ଜାମ ଆସିକାରୁ ପଶ୍ଚିମବଙ୍ଗକୁ ଏହା ଚାଲାଣ ହେଉଥିଲା । କାର୍‌ରେ ସିକ୍ରେଟ ଚାମ୍ବର କରି ଚାଲାଣ କରୁଥିଲେ ଦୁର୍ବୃତ୍ତ । ତେବେ ଚୋରାଚାଲାଣର ଉଦ୍ଦେଶ୍ୟ ଏବଂ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଜିଏସ୍‌ଟି ବିଭାଗକୁ ମାମଲା ହସ୍ତାନ୍ତର କରିଛି ଅବକାରୀ ବିଭାଗ । ୨ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରୁଥିବାବେଳେ ଚୋରାଚାଲାଣର କଟକ ଭାୟା ଗଂଜାମ ଲିଙ୍କ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

ଆଳୁ ଖୋଳୁ ଖୋଳୁ ମହାଦେବ । ଖୋଜା ଚାଲିଥିଲା ଗଂଜେଇ ହେଲେ ମିଳିଲା ମାଳ ମାଳ ରୂପା ଇଟା। ଗୋଟିଏ କି ଦୁଇଟି ନୁହେଁ ୪୭ଟି ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ତାସହ ୧୪ ପ୍ୟାକେଟ୍ ରୂପା ଅଳଙ୍କାର । କେବଳ ଏତିକି ନୁହଁ, ଜବତ ହୋଇଛି ବିଡ଼ା ବିଡ଼ା ନୋଟ୍ । ସକାଳ ପ୍ରାୟ ୯ଟାରେ ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା ଗଂଜେଇ ଚୋରାଚାଲାଣର ଖବର । ସେହି ଖବର ଅନୁଯାୟୀ, କଟକ ଟାଙ୍ଗି ଟୋଲ୍ ଗେଟ୍ ନିକଟରେ ଛକି ବସିଥିଲା ଅବକାରୀ ଟିମ୍ । ଆଉ ସେହି ସମୟରେ ପହଞ୍ଚିଥିଲା ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାର୍ । 

ଯାଞ୍ଚବେଳେ ମିଳିଲା ଆଖି ତରାଟିଲା ଭଳି ୧୩୯ କେଜିର ରୂପା ଇଟା, ୩୭ କେଜିର ଚାନ୍ଦି ଅଳଙ୍କାର ଓ ପାଖାପାଖି ୧୨ ଲକ୍ଷ ନଗଦ ଟଙ୍କା । ଅଧିକାରୀଙ୍କ କହିବା କଥା, ଗଞ୍ଜାମ ଜିଲ୍ଲା ଆସିକାରୁ ପଶ୍ଚିମବଙ୍ଗକୁ ଏସବୁକୁ ଚାଲାଣ କରାଯାଉଥିଲା । ତେବେ କିଏ ଏବଂ କେଉଁଠାରୁ କିଣିଥିଲେ ? କାହା ପାଖକୁ ଯାଉଥିଲା ଏସବୁ ? ତାର ଜିଏସ୍‌ଟି ଭରଣା ହୋଇଛି କି ନାହିଁ ? ସେସବୁର ତଦନ୍ତ ପାଇଁ ଏବଂ ୨ ଜଣଙ୍କୁ ଧରି ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି ଅବକାରୀ ବିଭାଗ ।

 

କାର୍‌ରେ ରହିଥିଲା ସିକ୍ରେଟ୍ ଚାମ୍ବର । ସିଟ୍‌କୁ କାଟି ସିକ୍ରେଟ ଚାମ୍ବର କରାଯାଇଛି । ଫିଲ୍ମ ଷ୍ଟାଇଲ୍‌ରେ ଏହି ସିକ୍ରେଟ ଚାମ୍ବରରେ ୭୮ ଲକ୍ଷରୁ ଅଧିକ ଟଙ୍କାର ରୂପା ଇଟା, ୨୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଆଉ ବିଡ଼ା ବିଡ଼ା ନୋଟ୍‌କୁ ଥାକ ମରାଯାଇଥିଲା । କାର୍‌ର ଡ୍ରାଇଭରଙ୍କ କହିବା କଥା, ମାଲିକର ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସ୍ଥାନରେ ମାଲ୍ ପହଞ୍ଚାଇବା ତାଙ୍କର ଦାୟିତ୍ୱ ଥିଲା । ଏ ବାବଦକୁ ମିଳେ ୩ ହଜାର ଟଙ୍କା । ଗାଡ଼ିରେ କଣ ଥାଏ, ତାଙ୍କୁ ଜଣାନଥାଏ । ଏଭଳି ଅନେକ ଥର ମାଲ୍ ପରିବହନ କରିଥିବା କହିଛନ୍ତି ଡ୍ରାଇଭର ।

ପୂର୍ବରୁ ବ୍ରହ୍ମପୁର-କଟକ ଲିଙ୍କ୍‌ରେ ଏକାଧିକ ଚୋରାଚାଲାଣ ମାମଲା ସାମ୍ନାକୁ ଆସିଥିଲା । ଗତ ୧୩ ତାରିଖରେ ଗଂଜେଇ ଖୋଜୁ ଖୋଜୁ ବ୍ରହ୍ମପୁର ଲାଞ୍ଜିପଲ୍ଲିରେ କଟକ ଯାଉଥିବା ଜଣେ ବସ୍ ଯାତ୍ରୀଙ୍କଠୁ ମିଳିଥିଲା ୩୩ ଲକ୍ଷ ଟଙ୍କାରୁ ଅଧିକ ନୋଟ୍ । ତା ପୂର୍ବରୁ ଅଗଷ୍ଟ ୯ରେ ବି ସେହି ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଆଉ ଏକ ବସ୍‌ରୁ ମିଳିଥିଲା ୧ କୋଟି ୨୨ ଲକ୍ଷ ଟଙ୍କା । ଆଉ ସେହି ଲିଙ୍କ୍‌ରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କଠାରୁ ଜବତ କରାଯାଇଥିଲା ୨୩ଟି ସୁନା ବିସ୍କୁଟ୍ ।

ସେହିପରି ଆଜି ଗଞ୍ଜାମ ଆସିକାରୁ ଚାଲାଣବେଳେ ରୂପା ଇଟା ସହ ଧରାପଡ଼ିଛନ୍ତି ଚାଲାଣକାରୀ । ପୋଲିସ, ଆୟକର ବିଭାଗ ଓ ଜିଏସ୍‌ଟି ବିଭାଗ ଆଖିରେ ଧୂଳି ଦେଇ ଏଭଳି କୋଟି କୋଟି ଟଙ୍କାର ଖେଳ କରୁଛନ୍ତି ଅସାଧୁ ବ୍ୟବସାୟୀ । ତେବେ କିଏ ଏହି ଚୋରାଚାଲାଣର ମାଷ୍ଟରମାଇଣ୍ଡ ? କେମିତି ଚଳାଇଛନ୍ତି ଏହି କଳାଧନ୍ଧାର ନେଟୱର୍କ ? ତାର କେବେ ଖୁଲାସା ହେଉଛି ? ତାକୁ ଅପେକ୍ଷା ରହିଛି ।

(ରିପୋର୍ଟର- ଦେବାଶିଷ ମହାନ୍ତି, କଟକ)