• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନକଲି ଔଷଧର ସ୍ୱର୍ଗ ପାଲଟିଛି କି ଓଡ଼ିଶା । ଲାଭ ଲୋଭରେ ରୋଗୀଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହାନ୍ତି କି ମେଡିସିନ୍ ମାଫିଆ । ଟେଲ୍‌ମା ଫର୍ଟି ହଇଚଇ ପରେ ପୁଣି ଓଡ଼ିଶା ବଜାରରେ ଧରାପଡିଛି ଆଉ ଏକ ନକଲି ଔଷଧ । ଜଣାଶୁଣା ବ୍ରାଣ୍ଡ ଆଲ୍‌କେମ୍‌ ଦ୍ୱାରା ପ୍ରସ୍ତୁତ କ୍ଲାଭାମ-୬୨୫ର ନକଲି ଟାବଲେଟ୍ ଝାରସୁଗୁଡା ରୁ ଧରା ପଡିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି । 

ଥଣ୍ଡାଜ୍ୱର ଭଳି ଭାଇରାଲ ଇନଫେକସନର ଉପଚାର ଲାଗି ବ୍ୟବହୃତ ଏହି ଆଣ୍ଟି ବାୟୋଟିକର ୨୨୪୪୧୦୮୮ ବ୍ୟାଚ୍ ନକଲି ବୋଲି ଜଣାପଡିଛି । ଝାରସୁଗୁଡାରେ ଏହି ବ୍ୟାଚର କ୍ୟାପସୁଲ ମିଳିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ତୁରନ୍ତ ନମୁନା ଯାଞ୍ଚ ପାଇଁ ପଠାଇଛନ୍ତି । ତେବେ ଟେଷ୍ଟ ରିପୋର୍ଟ ଆସିନଥିଲେ ମଧ୍ୟ ଏହି ବ୍ୟାଚ୍ ନମ୍ବର କୌଣସି ମେଡିସିନ୍ ବଜାରକୁ ଛାଡି ନଥିବା କଂପାନି ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଏହି ବ୍ୟାଚ୍‌ର ମେଡିସିନ୍ ବିକ୍ରି ଉପରେ ଗତ ସେପ୍ଟେମ୍ବର ୧୫ରୁ କଟକଣା ଲଗାଯାଇଥିଲେ ମଧ୍ୟ ଦୋକାନୀ ଏହାକୁ ନିର୍ଭୟରେ ବିକ୍ରି କରୁଛନ୍ତି । ଗତକାଲି ଡ୍ରଗ୍ସ କଣ୍ଟ୍ରୋଲର ଭୁବନେଶ୍ୱର ଆଶୋକ ନଗର ସ୍ଥିତ କିରନ୍ ଫାର୍ମାସିଟିକାଲ ଉପରେ ଚଡାଉ କରି ଏହି ବ୍ୟାଚ୍‌ର ମେଡିସିନ୍‌ ଜବତ କରିଥିବା ବେଳେ ଅନ୍ୟ କାହା ପାଖରେ ଥିଲେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମେଡିସିନ୍ କେଉଁଠୁ ଆଣିଲେ ସେ ସଂପର୍କରେ ତଥ୍ୟ ଦେବାକୁ ମନା କରିଛନ୍ତି ସଂପୃକ୍ତ ଡିଷ୍ଟ୍ରିବ୍ୟୁଟର ।

ଅଧିକ ପଢ଼ନ୍ତୁ: କିଡନୀ ରୋଗୀଙ୍କୁ ଔଷଧ ନୁହେଁ, ବିଷ ଦେଉଛନ୍ତି ସରକାର!

ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ମେଡିସିନ ନକଲି ଜଣାପଡିବା ପରେ ଚିନ୍ତାରେ ରୋଗୀ ଓ ପରିବାର ।

କେମିତି ରୋକିବ ଓଡ଼ିଶାରେ କାୟା ବିସ୍ତାର କରୁଥିବା ନକଲି ମେଡିସିନର କଳା ସାମ୍ରାଜ୍ୟ । ନକଲି ଟେଲମା ୪୦ର ଚେର ଖୋଜିବାରେ ଡ୍ରଗ୍ସ କଣ୍ଟ୍ରୋଲର ଏଯାଏଁ ସଫଳ ହୋଇନଥିବା ବେଳେ ନକଲି କ୍ଲାଭାମ ୬୨୫ ମେଡିସିନ୍ ପ୍ରସ୍ତୁତକାରୀଙ୍କ ନିକଟରେ କେବେ ପହଞ୍ଚିବ, କହିବା ମୁସ୍‌କିଲ । ତେବେ ଏଭଳି ନକଲି ମେଡିସିନ୍ ରୋଗୀଙ୍କ ଜାବନକୁ ବିପନ୍ନ କରିବ ନାହିଁ ତ, ତାହା ବର୍ତ୍ତମାନର ବଡ଼ ପ୍ରଶ୍ନ ।

(ରିପୋର୍ଟର- ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ)