Odisha Kalki Avatar Puja Incident: ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।

Vaikunth Dham Ashram

ଆସିଲା ବଡ଼ ଖବର । ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବ ବୋଲି ମିଳିଛି ସୂଚନା । ଏନେଇ ବିଡିଏ ଘୋଷଣା କରିଛି । ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଭଙ୍ଗାଯିବ ଆଶ୍ରମ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ । ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା ଭାଣ୍ଡାମୀ ।

ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିବା ପରେ ଜଣା ପଡ଼ିଥିଲା, କେମିତି ଚାଲିଥିଲା ବାବାଙ୍କ ପୂଜା। ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା । କାଳେ ବୈକୁଣ୍ଠ ଧାମରେ ବସି ବାବା ସବୁ ଦୁଃଖ କଷ୍ଟ ଲୋକଙ୍କ ଦୂର କରି ଦେବେ ବୋଲି କହୁଥିଲେ । ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମିକୁ ମାଡ଼ିବସି ଏକ ସାମ୍ରାଜ୍ୟ ଛିଡ଼ା କରାଇବାକୁ ରଚାଯାଉଥିଲା କି ମସୁଧା ? କେବେ ସେ ନିଜକୁ ଭଗବାନ କହୁଥିଲେ, ଆଉ କେବେ କହୁଥିଲେ ଶ୍ରୀ ବିଷ୍ଣୁ । ପୁସ୍ତକ ମାଧ୍ୟମରେ ଅନୁଗତ ବି ତାଙ୍କୁ ସଜାଇ ଥିଲେ ତଥାକଥିତ କୁନି କଳ୍‌କୀ । ଭକ୍ତି ନାଁରେ ଚାଲିଥିଲା ଭାଣ୍ଡାମୀ ଓ ଧର୍ମ ବିଶ୍ୱାସୀଙ୍କ ସହ ରଚାଯାଇଥିଲା ସାଂଘାତିକ ଖେଳ । ଯାହାର ଏବେ ଭଣ୍ଡାଫୋଡ୍ ହୋଇଛି । ଆଶ୍ରମ ପରିସରରୁ ମିଳିଛି ନୀଳ ଡାଏରୀ ।

ତଥାକଥିତ କୁନି କଳକୀଙ୍କ ଦରବାରରେ ଚାଲେ ଭଜନ-କୀର୍ତ୍ତନ । ବାବାଙ୍କୁ ଚାମର ଧରି ଅନୁଗତ ଦେଇଥାନ୍ତି ଆଲଟ ସେବା । ଆଉ ସେହି ଦୃଶ୍ୟ ଦେଖି କୃତ୍ୟକୃତ୍ୟ ହୋଇଥାନ୍ତି ଅନୁଗାମୀ । ଭୁବନେଶ୍ୱର ଖଣ୍ଡଗିରିର ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଆସ୍ଥାନ ଉପରେ ବିରାଜିତ ବାବାଙ୍କ ସେବା ପୂଜା କରି ଶତମୁଖରେ ପ୍ରଶଂସିତ ହୋଇଥାନ୍ତି ତାଙ୍କ ଶ୍ରଦ୍ଧାଳୁ ।

କେବଳ ଏତିକି ନୁହେଁ, ‘ଅନୁଭୂତିରେ ଭଗବାନ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ’ ଶୀର୍ଷକ ଏକ ପୁସ୍ତକ ବି ଲେଖାଯାଇଛି । ଯାହାର ପ୍ରତିଟି ପୃଷ୍ଠାରେ ଅନୁଭୂତି ବାଣ୍ଟିଛନ୍ତି ତାଙ୍କ ସେବକ ଏବଂ ଅନୁଗତ। ଜଣେ ଭକ୍ତ ଲେଖିଛନ୍ତି, ୩ ବର୍ଷ ବୟସରେ ପ୍ରଭୁ କେମିତି ବୋଲେରୋ ଗାଡ଼ି ଧରି ଯାଜପୁରର ବ୍ୟାସନଗର ବୁଲାଇଥିଲେ ଏବଂ ଧର୍ମ ସଂସ୍ଥାପନ ପାଇଁ ଧରାଧାମକୁ ଶ୍ରୀ ବିଷ୍ଣୁ ଭାବେ ଆସିଥିଲେ ।

ସେହିଭଳି ଆଉ ଜଣେ ଭକ୍ତ ଲେଖିଛନ୍ତି ବରୁଣ ଦେବ ଆସି ପ୍ରଭୁଙ୍କ ପାଦ କେମିତି ଧୋଇଦେଇ ଚାଲିଗଲେ । ଆଶ୍ରମର ସଭାପତି ପାଣ୍ଡବ ପରିଡ଼ା ଲେଖିଛନ୍ତି, ମନୁଷ୍ୟ ଶରୀର ଧାରଣ କରି ସ୍ୱୟଂ ଜଗନ୍ନାଥ ଏବେ ଧବଳଗିରିରେ ରହିଛନ୍ତି । ୩୬ ପୃଷ୍ଠା ବିଶିଷ୍ଟ ସେହି ପୁସ୍ତକରେ ଏଭଳି ଅନେକ ଅନୁଭୂତି ଲେଖିଛନ୍ତି ତଥାକଥିତ କୁନି ବାବାଙ୍କ ଅନୁଗତ । ତେବେ କଳିଯୁଗରେ ଏଭଳି ଅବତାରବାଦକୁ ନେଇ ସମାଲୋଚନା କରିଛନ୍ତି ସଂସ୍କୃତି ଗବେଷକ ।

ଅଧିକ ପଢ଼ନ୍ତୁ: 'ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ'