• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୋବାଇଲ୍ ଉପଭୋକ୍ତାଙ୍କ ପାଖକୁ ଆସୁଛି ଅସଂଖ୍ୟ ଫେକ୍ ଫୋନ କଲ୍ । କାହାକୁ କେୱାଇସି ଅପଡେଟ୍ ନାଁରେ କଲ୍ ଆସୁଛି ତ ଆଉ କାହା ପାଖକୁ କଲ୍ ଆସୁଛି ଋଣର ପ୍ରଲୋଭନ ଦେଖାଇ । ଏହି ଲୋଭନୀୟ ଅଫର୍ ମୋହରେ ପଡ଼ି ବହୁ ଲୋକ ହରାଇ ସାରିଛନ୍ତି ନିଜର କଷ୍ଟ ଉପାର୍ଜିତ ଟଙ୍କା । ସେଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରି, ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେଉଁମାନେ ଦୁର୍ଗମ ଅଞ୍ଚଳରେ ରହି କେମିତି ଲୁଟ୍ କରୁଥିଲେ । ତାହାର ଚାଞ୍ଚଲ୍ୟକର ଖୁଲାସା କରିଛି କ୍ରାଇମ୍‌ବ୍ରାଞ୍ଚ ା ବଜାରରେ ସହଜରେ ଓ କମ୍ ଦାମ୍‌ରେ ଉପଲବ୍ଧ ହେଉଥିବା ଏକ ସିମ୍‌ବକ୍ସ ଜରିଆରେ କେମିତି ଚଳାଉଥିଲେ ନିଜର କ୍ରାଇମ ନେଟ୍‌ୱର୍କ ତାକୁ ବି ସାମ୍ନାକୁ ଆଣିଛି କ୍ରାଇମ୍‌ବ୍ରାଞ୍ଚ ।

ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ । ଫେକ୍ ଫୋନ୍ କଲ୍ ଆଉ ମେସେଜ୍ ଜରିଆରେ ନୀରିହଙ୍କୁ ଚୁନା ଲଗାଉଥିବା ଦୁର୍ବୃତ୍ତଙ୍କ ମୁଖା ଖୋଲିଲା କ୍ରାଇମବ୍ରାଞ୍ଚ। ଯେଉଁମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୁଲାଉଥିଲେ କଳାକନା । ଠକେଇ ନେଟ୍‌ୱର୍କର ମାଷ୍ଟରମାଇଣ୍ଡ ନାଁ ବିଶାଳ ଖଣ୍ଡେଲୱାଲ୍ । ବିଶାଳ ସହ ୬ ଜଣ ସାଇବର ଲୁଟେରା ଏବେ କ୍ରାଇମବ୍ରାଞ୍ଚ କବଜାରେ । ସେମାନେ ସବୁ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରୁ ଧରାପଡ଼ିଛନ୍ତି । 

ପ୍ରଥମେ ଧରାପଡ଼ିଥିଲା ତାପସ ପାତ୍ର । ପରେ ପରେ ବିଶାଳ ଖଣ୍ଡେଲୱାଲ, ନିଗମ ପାତ୍ର, ସୁଧାଂଶୁ ଦାସ, ଅଜୁ ପାତ୍ର ଏବଂ ଅଜୟ ପାତ୍ର ଧରାପଡିଥିଲେ । କାହାକୁ ଏମାନେ କଲ୍ କରି KYC ଅପଡେଟ୍ କଥା କହୁଥିଲେ ତ ଆଉ କାହାକୁ ଲକ୍ଷ ଲକ୍ଷ ଟଙ୍କାର ଋଣର ଲୋଭ ଦେଖାଉଥିଲେ । ଟେଲିକମ୍ ବିଭାଗର ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି । ତାସହ ସିମ୍‌ବକ୍ସ ଏବଂ ବହୁ ପ୍ରି-ଆକ୍ଟିଭେଟେଡ୍ ସିମ୍‌କୁ ଜବତ କରିଛି । ଏହି ସିମ୍‌ବକ୍ସ ଜରିଆରେ ହିଁ ଏମାନେ ଚଳାଉଥିଲେ ରାକେଟ୍ । ମୟୂରଭଞ୍ଜ ଜିଲ୍ଲା ର ଅପହଞ୍ଚ ଇଲାକାରେ ଆତ୍ମଗୋପନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ଜାରି ରଖିଥିଲେ ସାଇବର ଲୁଟ୍ । 

 

ଯେଉଁ ଯନ୍ତ୍ର ଦ୍ୱାରା ଲୁଟ୍‌ ହେଉଥିଲା, ତାହାର ନାଁ ସିମ୍‌ବକ୍ସ । ଶହ ଶହ ସିମ୍‌କୁ ଆସେମ୍ବଲ କରିପାରୁଥିବା ଏକ ଡିଭାଇସ୍ ମାଧ୍ୟମରେ କମ୍ ସମୟ ମଧ୍ୟରେ ଏକାସଙ୍ଗେ ବହୁ ଲୋକଙ୍କୁ ମେସେଜ୍ ପଠାଯାଇପାରିବ । ଜବତ ହୋଇଥିବା ସିମ୍‌ବକ୍ସରେ ସିମ୍ ସବୁ ଖଞ୍ଜାଯାଇଛି ।

ବିଶେଷଜ୍ଞଙ୍କ କହିବା କଥା, ଏହି ବକ୍ସରେ ପ୍ରି-ଆକ୍ଟିଭ୍ ସିମ୍‌କୁ ବ୍ୟବହାର କରନ୍ତି ସାଇବର ଲୁଟେରା । ଗୋଟିଏ ଲେଖାଏଁ ବକ୍ସରେ ବହୁ ପରିମାଣର ସିମ୍ ଖଂଜା ଯାଇପାରିବ । ବକ୍ସରେ ପ୍ରି ଆକ୍ଟିଭେଟେଡ୍ ସିମ୍ ଖଂଜିବା ପରେ ଦୁର୍ବୃତ୍ତଙ୍କ ଦ୍ୱାରା ପୂର୍ବରୁ ଚୟନ ହୋଇଥିବା ଏକାଧିକ ମୋବାଇଲ୍ ନମ୍ବରକୁ ଇଣ୍ଟରନେଟ୍ ମାଧ୍ୟମରେ ମେସେଜ୍ କରନ୍ତି । ଆଉ ସେହି ମେସେଜ୍‌ର ଉତ୍ତର ଦେବା ପରେ ବିଭିନ୍ନ ସେବା ପ୍ରଦାନର ଆଳ କରି ଚୁନା ଲଗାଉଥିଲେ ମୋବାଇଲ୍ ବ୍ୟବହାରକାରୀଙ୍କୁ । ଏଭଳି ସିମ୍‌ବକ୍ସ ବଜାରରେ ଶସ୍ତାରେ ମିଳୁଥିବାରୁ ସହଜରେ ହାତେଇନେଉଛନ୍ତି ଦୁର୍ବୃତ୍ତ । 

ଓଡ଼ିଶାରେ ଏଭଳି ସିମ୍‌ବକ୍ସ ରାକେଟ୍ ନୁଆ ନୁହେଁ । ୨୦୧୭ ଜୁଲାଇ ବ୍ରହ୍ମପୁର ରେ ଏସ୍.ୱାର୍ଲଡ ନାମକ ଏକ ସଂସ୍ଥା ଖୋଲି ସିମବକ୍ସ ଜରିଆରେ ଅପରାଧର ସାମ୍ରାଜ୍ୟ ବିଛାଇଥିଲେ ୪ ଅଭିଯୁକ୍ତ, ତାହାର ହୋଇଥିଲା ପର୍ଦ୍ଦାଫାସ୍ । ଏଭଳି ସିମବକ୍ସ ଜରିଆରେ ହଙ୍ଗକଙ୍ଗରୁ ଫୋନ୍ କରି ମୁମ୍ବାଇର ଜଣେ ରିୟଲଇଷ୍ଟେଟ୍ ବ୍ୟବସାୟୀଙ୍କୁ ଦାଦାବଟି ମାଗିଥିଲା ଅଣ୍ଡରୱାର୍ଲଡ ଡନ୍ ଛୋଟାରାଜନର ସହଯୋଗୀ ସୁରେଶ ପୂଜାରୀ । ଯାହାର ଖୋଳତାଡ଼ କରୁ କରୁ ବ୍ରହ୍ମପୁରରେ ଚାଲିଥିବା ସିମବକ୍ସ ରାକେଟ୍‌ର ଖୁଲାସା ହୋଇଥିଲା । 

ରିପୋର୍ଟର- ବାରିପଦାରୁ ମାଣିକଲାଲ ପାଣି, କଟକରୁ ପ୍ରଭାତ ବିଶୋୟୀ ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତି