• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ ଘାରିଛି ନିଜ ଜୀବନକୁ ଭୟ । ସେଇଥିପାଇଁ ଝାରସୁଗୁଡ଼ା ବଦଳରେ ଚୌଦ୍ୱାର ଜେଲ୍ ଏବେ ଗୋପାଳର ନୂଆ ଠିକଣା । ଜେଲ୍ କର୍ତ୍ତୃପକ୍ଷ ନୁହେଁ, ନିଜ ଜୀବନ ପ୍ରତି ଭୟ ଆଶଙ୍କା କରି ଖୋଦ୍ ନିଜ ଆଡୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ କୋର୍ଟଙ୍କୁ ଅନୁରୋଧ କଲା ଗୋପାଳ । ଆଉ କୋର୍ଟଙ୍କ ଅନୁମତି ପରେ ହାଇ ସିକ୍ୟୁରିଟି ସୁରକ୍ଷା ବଳୟରେ ଆଜି ତାକୁ ଝାରସୁଗୁଡ଼ା ସବ୍ ଜେଲରୁ ଚୌଦ୍ୱାର ଅଭିମୁଖେ ଅଣାଯାଇଥିଲା ।

ଦିନ ପ୍ରାୟ ଗୋଟାଏ ବେଳେ ଝାରସୁଗୁଡ଼ାରୁ ବାହାରି ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଚୌଦ୍ୱାର ଜେଲରେ ଗୋପାଳ ପହଞ୍ଚିଥିଲା । ଜେଲ ଡିଜିଙ୍କ ସୂଚନା ଅନୁଯାୟୀ, ଚୌଦ୍ୱାର ଜେଲ୍ ଭିତରେ ଗୋପାଳ ପାଇଁ ହୋଇଛି ଏକ ସ୍ୱତନ୍ତ୍ର ସେଲର ବ୍ୟବସ୍ଥା । ୨୪ ଘଣ୍ଟିଆ ସୁରକ୍ଷା ବଳୟ ସାଙ୍ଗକୁ ଏଇ ସେଲଟି ପୁରା ସିସିଟିଭି ସର୍ଭେଲାନ୍ସ ଭିତରେ ରହିବ । ଗୋପାଳର ମାମଲା ଝାରସୁଗୁଡ଼ା କୋର୍ଟରେ ଥିବାରୁ ତାର କୋର୍ଟ ହାଜିରା ପାଇଁ ଚୌଦ୍ୱାରରୁ ଭିଡିଓ କନ୍‌ଫରେନ୍ସିଂର ବ୍ୟବସ୍ଥା କରାଯିବ । ଜେଲ୍ ମାନୁଆଲ ଅନୁଯାୟୀ ତାର ହେଲ୍ଥ ଚେକ୍ ଅପ୍ ଏବଂ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜି ।

ଅଧିକ ପଢ଼ନ୍ତୁ: ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍‌ପେନ୍ସ...

ତେବେ ଏଠି ପ୍ରଶ୍ନ ଉଠୁଛି, କାହା ଆଡୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଛି ଗୋପାଳ ? ଝାରସୁଗୁଡ଼ା ସବଜେଲକୁ କାହିଁକି ନିଜ ପାଇଁ ସୁରକ୍ଷିତ ସ୍ଥାନ ମଣିପାରିଲାନି ସେ ? ତା ବିରୋଧରେ କିଛି ଷଡ଼ଯନ୍ତ୍ରର ସଂକେତ ପାଇଛି କି ଗୋପାଳ ? ମନ୍ତ୍ରୀ ନବ ହତ୍ୟା ଷଡ଼ଯନ୍ତ୍ରର ବି ଏକ ଅଂଶ ନୁହେଁ ତ ? ଅପରପକ୍ଷେ ଚୌଦ୍ୱାର ସ୍ଥାନାନ୍ତର ପୂର୍ବରୁ ଝାରସୁଗୁଡ଼ା କୋର୍ଟ ହାଜିରା ସମୟରେ ଆଜି ଗୋପାଳର ୧୬୪ ବୟାନ ରେକର୍ଡ କରାଯାଇଛି । ତେବେ ଏଇ ଷ୍ଟେଟମେଣ୍ଟରେ ଗୋପାଳ କଣ କହିଛି ତାକୁ ନେଇ ଚର୍ଚ୍ଚା ଭିତରେ ହତ୍ୟାକାଣ୍ଡର ଏତେ ବିଳମ୍ବରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୋପାଳର ୧୬୪ ବୟାନ ରେକର୍ଡ କରାଯିବାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ ରାଜ୍ୟର ଜଣେ ବିତ୍ତଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ ଯାଉଛି । ଧରାପଡ଼ିଥିବା ଅଭିଯୁକ୍ତକୁ ବି ନବଙ୍କୁ ଗୁଳି କରିଥିବା ମାନିଥିବା ପୋଲିସ୍ କହି ସାରିଛି । ହେଲେ ୟା ଭିତରେ ହତ୍ୟାକାଣ୍ଡକୁ ଦୁଇ ସପ୍ତାହ ବିତିଥିଲେ ମଧ୍ୟ ପ୍ରଥମେ ଗୋପାଳର ଡେମୋ, ସାଇକୋଲୋଜିକାଲ, ଏଲଭିଏ ଟେଷ୍ଟ ପରେ ଗୁଜୁରାଟ ଗାନ୍ଧିନଗରରେ ପଲିଗ୍ରାଫ୍ ଓ ନାର୍କୋଟେଷ୍ଟ ସତ୍ତ୍ୱେ ବି ନବଙ୍କୁ ସେ କାହିଁକି ମାରିଲା, ତାର ଉତ୍ତର ସାମ୍ନାକୁ ଆସୁନି । ଯାହାକୁ ସହଜରେ ହଜମ କରି ପାରୁନାହାନ୍ତି ନବଙ୍କ ପୁରୁଣା ଦଳର ନେତା । ଏପରିକି ନବ ଦାଦା ତମେ ବିଜେଡି ଯାଇ ଭୁଲ କଲ ବୋଲି କହିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ ।

ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ଭଳି ଘଟଣା ର ପୁନରାବୃତ୍ତିକୁ ଏଡ଼ାଇବାକୁ ଗୋପାଳକୁ ସିନା ଚୌଦ୍ୱାର ଅଣାଗଲା, ହେଲେ ନବ ହତ୍ୟାର ଉଦ୍ଦେଶ୍ୟ ଏବେ ବି ରହସ୍ୟ ଘେରରେ । ପାରିପାର୍ଶ୍ୱିକ ପ୍ରମାଣ, ଫରେନ୍‌ସିକ ରିପୋର୍ଟ, ପ୍ରତ୍ୟେକ୍ଷଦର୍ଶୀ ବୟାନ, ବ୍ରଜରାଜନଗରରୁ ଗାନ୍ଧିନଗର ଯାଏ ସତ ଖୋଜିବାକୁ କ୍ରାଇମବ୍ରାଞ୍ଚର ଝାଳବୁହା ପରିଶ୍ରମ, ଏସବୁ ହତ୍ୟା ପଛର ଉଦ୍ଦେଶ୍ୟକୁ ଉନ୍ମୋଚିତ କରେଇବାରେ ସହାୟକ ହେବ ତ । ତାହା ହିଁ ବଡ଼ ପ୍ରଶ୍ନ ।