• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପଛରେ ରାଗ ନା ରୋଗ ? କୌଣସି ଶତ୍ରୁତାରୁ ରାଗିଯାଇ ହତ୍ୟା କରିଛି କି ଗୋପାଳ ନା ମାନସିକ ରୋଗ ପ୍ରଭାବରେ ଭିଆଇଛି ହତ୍ୟାକାଣ୍ଡ ? ଭିଡ଼ ଭିତରେ ପଶି ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଗୁଳି କରିବାର କାରଣ କ’ଣ ? ୫୦ରୁ ଅଧିକ ପ୍ରଶ୍ନ ସହ ପ୍ରାୟ ୭ ଘଣ୍ଟାର ନାର୍କୋଟେଷ୍ଟରୁ ସତ ଆଦାୟ କରିଛି ବିଶେଷଜ୍ଞ ଟିମ୍ । ଗୁଜରାଟ ଗାନ୍ଧୀନଗରର DFSରେ ହୋଇଥିଲା ନାର୍କୋଟେଷ୍ଟ । ଏହି ଟେଷ୍ଟବେଳେ ସୋଡିୟମ ପେଣ୍ଟୋଥାଲ୍ ତଥା ଟ୍ରୁଥ୍ ସେରମ୍ ଡ୍ରଗ୍ସ ଦେଇ ପ୍ରଥମେ ଅବଚେତନ ଅବସ୍ଥାକୁ ଅଣାଯାଇଥିଲା ଗୋପାଳକୁ ।

ଏହି ଡ୍ରଗ୍ସ ଥରେ ଦେଲେ ପ୍ରାୟ ୨୦ ମିନିଟ୍ ଯାଏଁ ପ୍ରଭାବ ରହେ । ତେବେ ଦୀର୍ଘ ସମୟ ଧରି ନାର୍କୋଟେଷ୍ଟ କରାଯାଇଥିବାରୁ ସୋଡିୟମ ପେଣ୍ଟୋଥାଲକୁ ଗୋପାଳ ଶରୀରରେ ଅନେକ ଥର ପ୍ରୟୋଗ କରାଯାଇଥିବା ଚର୍ଚ୍ଚା ହେଉଛି । ଅବଚେତନ ଅବସ୍ଥାରେ ଥିବା ଗୋପାଳ ବିଳମ୍ବିତ ରାତିରେ ସ୍ୱାଭାବିକ ଅବସ୍ଥାକୁ ଆସିଥିବା କୁହାଯାଉଛି । ତାହାରି ଭିତରେ ନାର୍କୋଟେଷ୍ଟ ବେଳେ ନବ ଦାସଙ୍କୁ ହତ୍ୟାର ମୋଟିଭ୍ ଗୋପାଳ କହିଥିବା ଜଣାପଡ଼ିଛି । ଯାହା ସବୁ ରେକର୍ଡ ହୋଇଛି ଏକ ସିଡ଼ିରେ । DFS ସେହି ସିଡିକୁ ବନ୍ଦ ଲଫାପାରେ ଝାରସୁଗୁଡ଼ା କୋର୍ଟକୁ ପଠାଇବ ବୋଲି ଜଣାପଡ଼ିଛି ।

ଗୁଜରାଟରେ ପଲିଗ୍ରାଫ୍ ସହ ନାର୍କୋଟେଷ୍ଟ ସାରି ଗୋପାଳକୁ ଧରି ଓଡ଼ିଶା ଫେରୁଛି କ୍ରାଇମବ୍ରାଞ୍ଚ । ନାର୍କୋଟେଷ୍ଟରୁ କି ନିର୍ଯାସ ବାହାରିଛି ? ପଲିଗ୍ରାଫ୍ ଟେଷ୍ଟରେ ସତ କହିଛି ତ ଗୋପାଳ ? ସେହି ତଥ୍ୟକୁ ଗୋପନ ରଖିଛି ତଦନ୍ତକାରୀ ସଂସ୍ଥା । ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସଂପର୍କରେ କ’ଣ ଦର୍ଶାଯାଇଛି, ସେହି ତଥ୍ୟକୁ ବି ଗୁପ୍ତ ରଖାଯାଇଛି । କେବଳ ଯାହା ଡେମୋ 
ବେଳେ ଗୋପାଳ କେମିତି କରିଥିଲା ଗୁଳି, ତାହା ହିଁ ଦେଖିଥିଲେ ସମସ୍ତେ ।

ତେବେ ମନ୍ତ୍ରୀଙ୍କ ଶରୀରକୁ ଭେଦିଥିବା ଗୁଳି ଏବେ କେଉଁଠି ? କ୍ରାଇମସ୍ପଟରୁ ଯେଉଁ ଖୋକାଟି ମିଳିଥିଲା ତାହା ନବ ଦାସଙ୍କ ଦେହରେ ବାଜିଥିବା ଗୁଳିର ତ ? ଏହି ଖୋକାଟି ଗୋପାଳ ଧରିଥିବା ବନ୍ଧୁକର ବୋଲି ଆସିଲାଣି କି ବାଲିଷ୍ଟିକ ରିପୋର୍ଟ ? ପାଇଖାନା ଟାଙ୍କିରୁ ମିଳିଥିବା କାଗଜଖଣ୍ଡରେ କିଏ ଏବଂ କଣ ଲେଖିଛି ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କ୍ରାଇମବ୍ରାଞ୍ଚ ଆଗରେ ଅପରାଧକୁ ସ୍ୱୀକାର କରୁଥିବା ଗୋପାଳକୁ କେମିତି ଦୋଷୀ ପ୍ରମାଣିତ କରିବ ବ୍ରୋଥ୍ରା ଆଣ୍ଡ କୋ, ସେନେଇ ଆଶଙ୍କା ଉପୁଜିଛି ।

କାଲି ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ତେଣୁ ଗୁଜରାଟରୁ ଗୋପାଳକୁ ଧରି ଓଡ଼ିଶା ଆସୁଥିବା କ୍ରାଇମବ୍ରାଞ୍ଚ କାଲି ତାକୁ ଝାରସୁଗୁଡ଼ା JMFCରେ ହାଜର କରିବ ।