Loot in Bhubaneswar: ରାଜଧାନୀ ମାତିଲେ ଲୁଟେରା, ଝରକା ତାଡ଼ି ଘରୁ ଲୁଟିନେଲେ ସୁନା ଓ ଟଙ୍କା

ଏହି ଲୁଟ୍‌ ଖବର ପାଇ ଘଟଣାସ୍ଥଳରେ ସାଣ୍ଟିଫିକ୍ ଟିମ୍ ସହ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଜଧାନୀ ପୁଣି ମାତିଲେ ଲୁଟେରା

ରାଜଧାନୀରେ ପୁଣି ମାତିଲେ ଲୁଟେରା । କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରରେ ଲୁଟେରା ଆତଙ୍କ ରଚିଲେ । ଆଉ ତ୍ରାହି ମିଳୁନି ଲୁଟେରାଙ୍କ ଲୁଟତରାଜରୁ । କମିଶନରେଟ୍‌ ପୋଲିସ୍‌ର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଲୁଟ୍‌ କରିଚାଲିଛନ୍ତି ଲୁଟେରା ଗ୍ୟାଙ୍ଗ୍‌ । ତେବେ ଗତକାଲି ଭୁବନେଶ୍ୱର ଇନଫୋସିଟି ଥାନା ଶ୍ରୀ ଗଣେଶ ବିହାର ବଡ଼ ଧରଣର ଲୁଟ୍‌ ହୋଇଛି । ରାତିରେ ସ୍ଥାନୀୟ ବଂଶୀଧର ଗଉଡଙ୍କ ଘରେ ପଶି ୨୦ ଭରି ସୁନା ଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘରର ଝରକା ତାଡି ପଶିବା ସହ ଆଲମିରା ଖୋଲି ସବୁ ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ ।

ତେବେ ଏହି ଲୁଟ୍‌ ଖବର ପାଇ ଘଟଣାସ୍ଥଳରେ ସାଣ୍ଟିଫିକ୍ ଟିମ୍ ସହ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ପୂର୍ବରୁ ଗତ ୧୫ ଦିନ ତଳେ ପଡ଼ୋଶୀଙ୍କ ଘରୁ ଏଭଳି ଢଙ୍ଗରେ ଲୁଟ୍‌ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଦୀପାବଳି ପୂର୍ବରୁ ମଧ୍ୟ ରାଜଧାନୀରେ ମାତିଥିଲେ ଲୁଟେରା । ମେଡିସିନ ଦୋକାନର ସଟର ତାଡି ଲୁଟି ନେଇଥିଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଶ୍ରମିକ ବେଶରେ ଲୁଚି ଲୁଚି ଆସିଲେ, କାଇଦାରେ କବାଟ ତାଡ଼ି ଭିତରେ ପଶି ଲୁଟିନେଲେ ନଗଦ ୫ ଲକ୍ଷ ଟଙ୍କା । ଭରତପୁର ଥାନା କଳିଙ୍ଗ ନଗର ଅଞ୍ଚଳର ମେଡିସିନ୍ ଦୋକାନରୁ ଏହି ବଡ଼ ଧରଣର ଲୁଟ୍‌ ହୋଇଥିଲା ।

ସେପଟେ ଚଳିତ ବର୍ଷ ପାର୍ବଣ ଆସିବା ସହ ଲୁଟେରା ରାଜଧାନୀରେ ତାଙ୍କ ଉପସ୍ଥିତ ମଧ୍ୟ ଜାହିର କରିଥିଲେ । କମିଶନରେଟ୍‌ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ଆପାର୍ଟମେଣ୍ଟରେ ବୁଲାଇଥିଲେ କଳା କନା । ଚନ୍ଦକା ଥାନା ଗୋଠପାଟଣା ଆକ୍ରୋପଲିସ୍ ଆପାର୍ଟମେଣ୍ଟ । ଫ୍ଲାଟ୍ ନମ୍ବର E-506 । ମାଲିକ ନାରାୟଣ ପରିଡ଼ା ଓ ପତ୍ନୀଙ୍କ ପାଦତଳୁ ଖସିଯାଇଥିଲା ମାଟି । ଜୀବନ ତମାମ ଯାହା ସମ୍ପତ୍ତି ଅର୍ଜିଥିଲେ ସେ ସବୁ ନେଇଯାଇଥିଲେ ଚୋର । ବିଦେଶରେ ରହୁଥିବା ପୁଅ ପାଖକୁ ଏହି ଦମ୍ପତି ଯାଇଥିବାବେଳେ ତାଙ୍କ ଘରେ କଳା କନା ବୁଲାଇଥିଲେ ଲୁଟେରା ।

ସେହିପରି କଟକ ତ୍ରିଶୁଳିଆ ନିକଟ ଡିଅନ୍ ଆପାର୍ଟମେଣ୍ଟରେ ଲୁଟେରା ଗ୍ୟାଙ୍ଗ ପଶୁଥିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ଲୁହା ରଡ୍ ଆଉ କଟୁରୀ ବ୍ୟବହାର କରି ଗେଟ୍‌ ତାଡ଼ିଥିଲେ । ପଶିଥିଲେ ଜଣଙ୍କ ପରେ ଜଣେ। କିନ୍ତୁ ସାଇରନ୍ ବାଜିବାରୁ ଫେଲ୍ ମାରିଥିଲା ତାଙ୍କ ମିଶନ୍। କିନ୍ତୁ ବାରଙ୍ଗ ଥାନା ଅନ୍ତର୍ଗତ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ଗତ ସେପ୍ଟେମ୍ବର ୧୨ ତାରିଖ ରାତିରେ ୩୦ ଭରି ସୁନା ଗହଣା ନେଇ କଳାକନା ବୁଲାଇ ଦେଇଥିଲେ ।

ସୂଚନା ଅନୁସାରେ ଗତବର୍ଷ ପାର୍ବଣ ବେଳେ କେବଳ ରାଜଧାନୀର ପ୍ରାୟ ୧୬ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟରେ ପଶି କଳାକନା ବୁଲାଇଥିଲେ ଲୁଟେରା । ବିଶେଷ କରି ବରିଷ୍ଠ ନାଗରିକ ରହୁଥିବା କିମ୍ବା ତାଲା ବନ୍ଦ ଥିବା ଫ୍ଳାଟ୍ ହିଁ ରହୁଛି ଏମାନଙ୍କ ଟାର୍ଗେଟରେ ।

ସେପଟେ ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସ ପଦକ୍ଷେପ ଗ୍ରହଣ କରିଛି । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା । ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଥିଲା କମିଶନରେଟ୍ ପୋଲିସ । ଏପରି କରିବା ଦ୍ୱାରା ଚୋରି ହ୍ରାସ ହେବା ସହ ଲୋକଙ୍କ ସୁରକ୍ଷା ବି ବୃଦ୍ଧି ପାଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।

ସେପଟେ କଟକ ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଯୁବକ-ଯୁବତୀଙ୍କ ଠାରୁ ଲୁଟ୍ ହୋଇଛି । ମାଡ଼ମାରି ଫାଙ୍କା ଗୁଳି ଚଳାଇ ଲୁଟିନେଲେ ସୁନା ଚେନ୍ । ରାତି ପ୍ରାୟ ୧୦ଟା ବେଳେ ସ୍କୁଟରରେ ଯାଉଥିବା ଯୁବକ-ଯୁବତୀଙ୍କୁ ଅଟକାଇଥିଲେ ୬ ଜଣ ଦୁର୍ବୃତ୍ତ । ସେମାନଙ୍କ ପାଖରୁ ଟଙ୍କା ପଇସା କିଛି ନ ପାଇବାରୁ ଯୁବତୀଙ୍କ ବେକରୁ ସୁନାଚେନ ଛଡ଼େଇ ନେଇଥିଲେ । ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ଭାଙ୍ଗି ଥିଲେ । ବିଚ୍ ରାସ୍ତାରେ ଏଭଳି ଘଟଣା ଦେଖି କିଛି ଟ୍ରକ ଡ୍ରାଇଭର ଅଟକିଥିଲେ । ମାତ୍ର ଦୁର୍ବୃତ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରିବା ସହ ଫେରାର ମାରିଛନ୍ତି । ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁଇଦିନ ପୂର୍ବରୁ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ମଧ୍ୟ ଆଇନଜୀବୀଙ୍କ ଠାରୁ ସମାନ ଢଙ୍ଗରେ ଲୁଟ କରିଥିଲେ ଦୁର୍ବୃତ୍ତ ।