Astrospeak
  • Live TV
  • Read In English

Migrant Labourers: ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ, ବାନ୍ଧିକି ବାଡେଇଲେ, ଟଙ୍କା ନେଇଗଲେ

ସିନ୍ଧୁପଙ୍କ ଗ୍ରାମର ଜଣେ ଯୁବକ ଭୀମ ବେହେରା ଦାଦନ ଖଟି ଗ୍ରାମକୁ ପାହାଡ଼ କାଟି ଦୁଇ ବର୍ଷ ପୂର୍ବେ ପାଣି ଆଣିଥିଲେ । ନିଜ ଗାଁ ଲୋକଙ୍କ ପାଇଁ ସାଜିଥିଲେ ଦେବଦୂତ। ଗାଁ ଲୋକଙ୍କ ମୁହଁରେ ଫୁଟାଇଥିଲେ ହସ । ସାରା ଜିଲ୍ଲା କରିଥିଲା ଦାଦନ ଶ୍ରମିକ ଭୀମଙ୍କ ପ୍ରଶଂସା । ଏବେ ସେହି ଯୁବକଙ୍କ ସହିତ ତାଙ୍କର ଦୁଇ ସମ୍ପର୍କୀୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତିତ ହୋଇ ଫେରିଥିବା ଜଣା ପଡିଛି।

Migrant Labourer
ଦାଦନ ଶ୍ରମିକ

ଦିନେ ଗାଁ ପାଇଁ ସେ ସାଜିଥିଲେ ଦେବଦୂତ। ପାହାଡ ସେପାଖରୁ ପାଇପ୍ ପକାଇ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇଥିଲେ। ହେଲେ ଏବେ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇ ହୋଇଛନ୍ତି ନିର୍ଯାତିତ। ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ବ୍ଳକ ସିନ୍ଧୁପଙ୍କ ଗାଁରେ। ଅଭିଯୋଗ ଅନୁସାରେ, ଗାଁର ଭୀମ ବେହେରା ଦୁଇ ସାଙ୍ଗଙ୍କ ସହ କେରଳକୁ କାମ କରିବାକୁ ଯାଇଥିଲେ। ସେଠାରେ କମ୍ ମଜୁରୀ ଜାଣି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ବିସ୍କୁଟ କମ୍ପାନୀରେ କାମ କରିବାକୁ ବାହାରିଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭୀମଙ୍କ ସହ ତାଙ୍କ ଦୁଇ ସାଙ୍ଗଙ୍କୁ ଜଙ୍ଗଲ ରାସ୍ତାରେ କାରରେ ନେବା ସହ ଏକ କୋଠରୀରେ ବନ୍ଦ କରିଦେଇଥିଲା । ସେଠାରେ ପ୍ରବଳ ମାଡ଼ ମାରି ଶାରୀରିକ ନିର୍ଯାତନା ଦେଇଥିଲେ ପ୍ରାୟ ଦଶ ଜଣ ଯୁବକ।

ଘଣ୍ଟାଏ ଭିତରେ ଜଣ ପିଛା ୧୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଯୁବକଙ୍କ ପରିବାର ଲୋକ ମୋଟ ୬୦ ହଜାର ଟଙ୍କା ପଠାଇବା ପରେ ସେମାନଙ୍କୁ ଛାଡିଥିଲେ ଦୁର୍ବୃତ୍ତ। ତିନିଜଣ ଯୁବକ ଟ୍ରେନ ଯୋଗେ ଘରକୁ ଆସିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅନ୍ୟ ଯୁବକମାନଙ୍କୁ ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ବିସ୍ତୃତ ଭାବେ ଘଟଣାଟି ଥିଲା ଏହିପରି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଦୁର୍ଗମ ସିନ୍ଧୁପଙ୍କ ଗ୍ରାମର ଜଣେ ଯୁବକ ଭୀମ ବେହେରା ଦାଦନ ଖଟି ଗ୍ରାମକୁ ପାହାଡ଼ରୁ ଦୁଇ ବର୍ଷ ପୂର୍ବେ ପାଣି ଆଣିଥିଲେ । ନିଜ ଗାଁ ଲୋକଙ୍କ ପାଇଁ ସାଜିଥିଲେ ଦେବଦୂତ| ଗାଁ ଲୋକଙ୍କ ମୁହଁରେ ଫୁଟାଇଥିଲେ ହସ । ସାରା ଜିଲ୍ଲା କରିଥିଲା ଦାଦନ ଶ୍ରମିକ ଭୀମଙ୍କ ପ୍ରଶଂସା । ଏବେ ସେହି ଯୁବକଙ୍କ ସହିତ ତାଙ୍କର ଦୁଇ ସମ୍ପର୍କୀୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତିତ ହୋଇ ଫେରିଥିବା ଜଣା ପଡିଛି।

ସଂପୃକ୍ତ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁପଙ୍କ ଓ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର। ଗତ ଗୁରୁବାର ଦିନ ସିନ୍ଧୁପଙ୍କ ଗ୍ରାମର ଭୀମ ବେହେରା (୩୭),ଗଙ୍ଗାପୁର ଗ୍ରାମର କୃଷ୍ଣ କାର୍ଜି (୧୮) ଓ ଟୁନା ଶବର (୨୦) ନାମକ ତିନି ଜଣ ଯୁବକ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଉଥିଲେ। ରେଳରେ କିଛି ଦୁର୍ବୃତ୍ତ ସେଲାମ ଷ୍ଟେସନରେ ଗୋଟିଏ ଭିଜିଟିଙ୍ଗ କାର୍ଡ ଦେବା ସହ ଏକ ବଡ଼ ବିସ୍କୁଟ କାରଖାନାରେ କାମ କରିବା ପାଇଁ ଶ୍ରମିକ ଆବଶ୍ୟକ ଥିବା ନେଇ ସୂଚନା ଦେଇଥିଲେ। ତେବେ ତିନି ଜଣ ଯୁବକ ପୂର୍ବରୁ ଯାଇଥିବା ତ୍ରିଭେନ୍ଦ୍ରମ୍ ନିକଟ ଏକ କାରଖାନାରେ ପହଞ୍ଚିବା ପରେ କାମ ତୁଳନାରେ କମ୍ ଦରମା ଜାଣି ଫେରି ଆସି ରେଳ ଷ୍ଟେସନରେ ରାତିରେ ବିଶ୍ରାମ ନେବା ସହ ସଂଗ୍ରହ କରିଥିବା ଭିଜିଟିଙ୍ଗ କାର୍ଡରେ ଥିବା ଫୋନ ନମ୍ୱରରେ ଯୋଗାଯୋଗ କରିଥିଲେ। ସେହି ବ୍ୟକ୍ତି ଆସିବାକୁ କହିବା ପରେ ସକାଳେ ତାମିଲନାଡୁର ସାଲେମ୍ ଷ୍ଟେସନରେ ପହଞ୍ଚି ଯୋଗାଯୋଗ କରିଥିଲେ। ସାଲେମ୍ ଷ୍ଟେସନରେ ଦୁଇ ଜଣ ବ୍ୟକ୍ତି ଗୋଟିଏ କାରରେ ଆସି ତିନି ଆଦିବାସୀ ଯୁବକଙ୍କୁ ତିନି ଘଣ୍ଟା ଜଙ୍ଗଲ ରାସ୍ତାରେ ନେବା ପରେ ଗୋଟିଏ ବନ୍ଦ କୋଠରୀରେ ରଖି ଉଲଗ୍ନ କରି ପ୍ରବଳ ମାଡ଼ ମାରିବା ସହିତ ଶାରୀରିକ ନିର୍ଯାତନା ଦେଇଥିବା ଭୀମ କହିଛନ୍ତି।

ଅଧିକ ପଢ଼ନ୍ତୁ: ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ; ଭୋକ, ଦୁଃଖରେ ସାତ ଦରିଆ ତେର ନଈ ସେପଟେ କାନ୍ଦୁଛି ଓଡ଼ିଆ

ପ୍ରାୟ ଦଶ ଜଣ ଯୁବକ ତାଙ୍କୁ ଅଟକ ରଖି ତିନି ଜଣଙ୍କୁ ନିସ୍ତୁକ ମାଡ ମାରିବା ପରେ ତାଙ୍କୁ ଜଣକ ପିଚ୍ଛା ୧୫ ହଜାର ଟଙ୍କା ଲେଖାଏଁ ଏକ ଘଣ୍ଟା ଭିତରେ ଦେବାକୁ କହିଥିଲେ। ତେବେ ଜଣେ ଯୁବକ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା କହିବା ପରେ ତାଙ୍କୁ ମାଡରୁ ଟିକିଏ ତ୍ରାହି ମିଳିଥିଲା। ଯଦି ଟଙ୍କା ଦେବାରେ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଅଧ ଘଣ୍ଟାରେ ୫ ହଜାର ଟଙ୍କା ଅଧିକ ଦେବାକୁ ଦୁର୍ବୃତ୍ତମାନେ କହିଥିଲେ। ପ୍ରଥମେ ଭୀମ ବେହେରା ତାଙ୍କ ପତ୍ନୀଙ୍କୁ ଫୋନ୍ କରି ତୁରନ୍ତ ୧୫ ହଜାର ଟଙ୍କା ନ ପଠାଇଲେ ଜୀବନ ପ୍ରତି ବିପଦ ଥିବା କହିବା ପରେ ପତ୍ନୀ ସୁରଙ୍ଗିର ଦୁଇ ଜଣଙ୍କ ଠାରୁ ୧୫ ହଜାର ଟଙ୍କା ଧାର ଆଣି ପଠାଇଥିଲେ। ସେହିପରି ଅନ୍ୟ ଦୁଇ ଜଣ ଜଣଙ୍କ ପରିବାର ୪୫ ହଜାର ମୋଟ ୬୦ ହଜାର ଟଙ୍କା ଗୁଗଲପେରେ ପଠାଇଥିଲେ। ଅର୍ଥ ମିଳିବା ପରେ ଦୁର୍ବୃତ୍ତମାନେ ସମସ୍ତଙ୍କ ମୋବାଇଲ ଛଡାଇ ନେବା ସହ ୩ ଜଣଙ୍କ ଆଖିରେ କଳା ପଟି ବାନ୍ଧି ବେକରେ ଧାରୁଆ ଅସ୍ତ୍ର ରଖି ତିନି ଘଣ୍ଟା ଜଙ୍ଗଲିଆ ରାସ୍ତାରେ ନେବା ପରେ ତାଙ୍କୁ ମୁଖ୍ୟ ରାସ୍ତାରେ ଛାଡିବା ସହ ରାସ୍ତା ଖର୍ଚ୍ଚ ପାଇଁ ୫୦୦ ଟଙ୍କା ଦେଇ ଚାଲିଯାଇଥିଲେ।

ସେଠାରୁ ବସ୍ ଓ ପରେ ଟ୍ରେନ ଯୋଗେ ବହୁ କଷ୍ଟରେ ଆସି ଗ୍ରାମକୁ ଖବର ଦେଇଥିଲେ। ସମ୍ପର୍କୀୟମାନେ ଖବର ପାଇ ଇଚ୍ଛାପୁର ରେଳ ଷ୍ଟେସନରୁ ସେମାନଙ୍କୁ ଗ୍ରାମକୁ ନେଇଥିଲେ। ତେବେ ଭୀମକୁ ପ୍ରବଳ ମାଡ଼ ହୋଇଥିବା ଦେଖି ଆଜି ସକାଳେ ପାତ୍ରପୁରର ଏକ ବେସରକାରୀ ଡାକ୍ତରଖାନାକୁ ନେବା ପରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି। ବିଭିନ୍ନ ସମୟରେ ପାତ୍ରପୁର ବ୍ଳକରୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ନିର୍ଯାତିତ ହେଉ ଥିବା ନଜିର ରହିଛି । ଚଳିତ ମାସ ପ୍ରଥମ ସପ୍ତାହରେ ତାମିଲନାଡୁ ଅମନର ଏକ କ୍ରସରରେ କାର୍ଯ୍ୟ କରୁଥିବା ତୁମ୍ବା ପଞ୍ଚାୟତ ଢେପସାହିର ଜଣେ ଯୁବକ ଦଣ୍ଡପାଣି ଶବର ଗ୍ରାମକୁ ଫେରୁଥିବା ବେଳେ ଇରୁଡୁ ଷ୍ଟେସନ ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅର୍ଥ ଅଭାବରୁ ଶବ ଗ୍ରାମକୁ ଆସି ପାରି ନଥିଲା। ତେବେ ଦାଦନ ଖଟିବାକୁ ଯାଇ ବାରମ୍ବାର ଏହିପରି ଘଟଣା ଘଟୁଥିବାବେଳେ ଏହି ଘଟଣା ଅମାନବିକତାର ସୀମା ପାର କରିଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରିବାର ଗୁହାରି କରିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଶାସନ ବୁଲାଉଛି ସଚେତନତା ରଥ, ହେଲେ ଶବ ହୋଇ ଫେରୁଛନ୍ତି ଦାଦନ ଶ୍ରମିକ