• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ ଇନ୍‌ଫର୍ମର ସଂଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲିରେ ଏହି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ମୃତଦେହ ପଡ଼ି ରହିଛି । ଘଟଣା ସ୍ଥଳରେ ମାଓବାଦୀ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି । ମୃତକ ଜଣକ ହେଲେ ରମେଶ ନାୟକ । ତାଙ୍କ ଘର ସେହି ବଣ୍ଡାପିପିଲି ଗାଁରେ ବୋଲି ଜଣାପଡ଼ିଛି । ମାଓବାଦୀଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।  ଘଟଣା ସ୍ଥଳରେ ମାଓବାଦୀ ଛାଡ଼ି ଯାଇଥିବା ପୋଷ୍ଟରରେ କଣ ଲେଖା ରହିଛି ତାହା ସ୍ପଷ୍ଟ ହୋଇନାହିଁ । କୋଟଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ଅନ୍ୟପଟେ ଗତ ନଭେମ୍ବର ୨୪ରେ ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ହୋଇଥିଲା ଗୁଳି ବିନିମୟ । ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଜଙ୍ଗଲ ଭିତରେ ୫ ଜଣ ନକ୍ସଲ ଥିବା ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏଥିରେ ଦୁଇ ଜଣ ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ ଖସି ପଲାଇଥିବା ଜଣାପଡ଼ିଛି । ପରେ ଜଙ୍ଗଲରେ କୁମ୍ବିଂ ଅପରେସନ୍ କରାଯାଇଥିଲା, ଖସି ପଲାଇଥିବା ମାଓବାଦୀଙ୍କୁ ଧରିବାକୁ ଅପରେସନ୍ ଜାରି ରହିଥିଲା । ନିହତ ଦୁଇ ମାଓବାଦୀଙ୍କ ପରିଚୟ ମିଳିଛି । ଉଭୟଙ୍କ ଘର ଛତିଶଗଡ଼ । ସେମାନଙ୍କ ମୁଣ୍ଡ ପିଛା ୪ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେପଟେ ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଥିଲେ ପୋଲିସ୍ ଡିଜି ।