/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680446005.jpg)
Choudwar news
କ୍ରିକେଟ୍ ଫିଲଡରେ ବଡ଼ ଅଘଟଣ । ସମସ୍ତଙ୍କ ସାମ୍ନାରେ ଅମ୍ପାୟାରଙ୍କୁ ଛୁରାମାଡ। ଏପରିକି ବ୍ୟାଟରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ପରେ କଟକ ଚୌଦ୍ୱାର ଥାନା ମହିଁଶାଲଣ୍ଡା ଗାଁରେ ଫୋର୍ସ ମୁତୟନ ହୋଇଛନ୍ତି। ଛୁରାମାଡ କରି ଆକ୍ରମଣକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ହିଂସା । ପଡିଆ ଭିତରେ ଛୁରୀରେ ଆକ୍ରମଣ, ବ୍ୟାଟରେ ବାଡେଇ ବାଡେଇ ହତ୍ୟା । ତାହା ପୁଣି ଜଣେ ଅମ୍ପାୟାରଙ୍କୁ । ଗାଁ କ୍ରିକେଟରେ ଏଭଳି ବଡ ଅଘଟଣ ଘଟିଛି ଚୌଦ୍ୱାର ଥାନା ମହିଁଶାଲଣ୍ଡାରେ । ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ପ୍ରଥମେ ଯୁକ୍ତିତର୍କ ପରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଯେଉଁଥିରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ମୃତକ ହେଉଛନ୍ତି ସେହି ଗାଁର ଲକି ରାଉତ । କ୍ରିକେଟ୍ ମ୍ୟାଚରେ ଅମ୍ପାୟାର ସାଜି ଲକି ଦେଇଥିବା ଆଉଟ୍ ଡିସିସନ୍ ତାଙ୍କ ଜୀବନ ନେଇଯାଇଥିବା ଅଭିଯୋଗ ହୋଇଛି।
ମହିଁଶାଲଣ୍ଡା ଗାଁରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହୋଇଥିଲେ ବ୍ରହ୍ମପୁର ଓ ଶଙ୍କରପୁର । ପ୍ରଥମ ବଲରେ ଆଉଟ୍ ହୋଇଯାଇଥିଲେ ବ୍ରହ୍ମପୁରର ବ୍ୟାଟସମ୍ୟାନ୍ । ଏହାପରେ ପଡିଆରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଦେଖୁ ଦେଖୁ ଧସ୍ତାଧସ୍ତି ଏବଂ କଥା ମରାମରି ଯାଏଁ ଯାଇଥିଲା । ଆଉଟ୍ ନିଷ୍ପତ୍ତି ଦେଇଥିବା ଅମ୍ପାୟାର ଲକି ରାଉତଙ୍କୁ ହଠାତ୍ ଛୁରୀ ମାଡ ସହ ବ୍ୟାଟରେ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।
ଗୁରୁତର ଲକିଙ୍କୁ ତୁରନ୍ତ କଟକ ବଡ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ସ୍ମୃତିରଂଜନ ରାଉତ ଓରଫ୍ ମୁନା । ତେବେ ଗାଁଲୋକ ତାର ସାଥୀକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ଚୌଦ୍ୱାରରୁ ପ୍ରକାଶ ନାୟକଙ୍କ ସହ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ ଓଟିଭି..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)