ନୃଶଂସ, ବୀଭତ୍ସ, ଅମାନବୀୟ... ଘର କାମ ପାଇଁ ମୂଲିଆକୁ ଡକାଇଲେ । କାମ ସରିବା ପରେ ଘରକୁ ଡାକି ମଦ ପିଇବାକୁ ଦେଲେ । ପରେ ବାଡେଇବା ସହ ଗରମ ପାଣି ଫିଙ୍ଗି କଲବଲ କରି ମାରିଦେଲେ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବନ୍ଧଗାଁ ପଞ୍ଚାୟତର ତଳସାହି ଗାଁରୁ । ଏଠାରେ ଜଣେ ମୂଲିଆକୁ ଗରମ ପାଣି ଫିଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ଗଗନ ମଲ୍ଲିକ ।
ଅଧିକ ପଢନ୍ତୁ: ମାସ ଆରମ୍ଭରୁ ଏଟିଏମ୍ ଅଚଳ କରୁଛି କିଏ ?
Also Read
ଥାନାରେ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଗଗନ ମଲ୍ଲିକ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ । ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିଲେ । ପରେ କୌଣସି କଥାକୁ ନେଇ ଗଗନକୁ ମାଡ ମାରିବା ପରେ ତାଙ୍କ ଉପରକୁ ଗରମ ପାଣି ଫିଙ୍ଗି ଦେଇଥିଲେ । ଏନେଇ ମୃତକଙ୍କ ସମ୍ପର୍କୀୟମାନେ ଖବର ପାଇ ଅଭିଯୁକ୍ତର ଘରଠାରୁ ଅଳ୍ପ ଦୂରରେ ଗୁରୁତର ଅବସ୍ଥାରେ ଗଗନକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି ।
ମୃତକଙ୍କ ବଡ଼ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଛନ୍ତି । ତେବେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି । ଏନେଇ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କହିଛନ୍ତି ଯେ, ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯାନୁଷ୍ଠାନ ନିଆଯିବ ।