/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749047179.jpg)
Quasi Judicial
ରାଜ୍ୟରେ ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା । ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା । ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କି ସଦସ୍ୟ। ତେଣେ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ନିରାଶ ଅଭିଯୋଗକାରୀ । ରାଜ୍ୟ ଶିଶୁ ସୁରକ୍ଷା କମିଶନ ହେଉ କି ଲୋକାୟୁକ୍ତ, ସବୁଠି ଚୌକି ଖାଲି । ସାମାଜିକ କର୍ମୀ କହିଲେଣି ଶୀଘ୍ର ପଦବୀ ପୂରଣ ନହେଲେ ବିପଦ । ତେଣେ ବିରୋଧୀ ବି କଲେଣି ସରକାରଙ୍କୁ ନିଶାନା ।
ଆଖିରୁ ଲୁହ ଶୁଖୁନି କି ଅକୁହା କୋହ ସହି ହେଉନି । ଆପଣା ଘରେ ସ୍ବାମୀ ଓ ନଣନ୍ଦ ତ ବଇରି, ଦୋଷ ନଥାଇ ୭ବର୍ଷ ହେଲା ମାଡ଼ ଗାଳିରେ ବିତୁଛି ଜୀବନ । ନ୍ୟାୟ ପାଇଁ ଶେଷ ଭରସା ଭାବି ଫେରାଦ ହେବାକୁ ଆସିଲା ବେଳକୁ ନିରାଶ କରୁଛି ମହିଳା କମିଶନ ।
ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁରର ଲିଲି ବେହେରା, ପ୍ରେମ ବିବାହ କରିଥିଲେ । ହେଲେ ଶାଶୁ ଘର ତାଙ୍କ ପାଇଁ ନର୍କ ପାଲଟିଛି । ସ୍ବାମୀଙ୍କ ସହ ମିଶି ନଣନ୍ଦ-ନଣନ୍ଦେଇ ନିର୍ଯାତନା ଦେଉଥିବା ଅଭିଯୋଗରେ ନ୍ୟାୟ ପାଇଁ ବାରମ୍ବାର ରାଜ୍ୟ ମହିଳା କମିଶନଙ୍କ ଅଫିସକୁ ଦୌଡିଥିଲେ ବି ଏଠି ଗୁହାରି ଶୁଣିବାକୁ କେହି ନାହାନ୍ତି । ସେମିତି ଆଉ ଜଣେ ହେଲେ ରମା ବେହେରା, ସେ ବି ତାଙ୍କ ଝିଅର ପାରିବାରିକ ସମସ୍ୟା ସମାଧନ ପାଇଁ ଥରକୁ ଥର ଧାଉଁଛନ୍ତି, ଦେଲେ କାହାରି ଦର୍ଶନ ନପାଇ ଫେରୁଛନ୍ତି ।
ଅଧିକ ପଢନ୍ତୁ: ଉନ୍ନତ ମାନର ଶୁଖୁଆ ବିକ୍ରି କରି ସ୍ବାବଲମ୍ବୀ ହେଉଛନ୍ତି ମହିଳା
ତାହାଲେ କଣ ରାଜ୍ୟରେ ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ? କେତେ ଦହଗଞ୍ଜ ସାଧାରଣ ମଣିଷ ? ଭାତହାଣ୍ଡିରୁ ଗୋଟିଏ ଚିପିଲା ନ୍ୟାୟରେ ରାଜ୍ୟ ମହିଳା କମିଶନ ଅଫିସରୁ ଠିକ୍ ବାରି ହୋଇପଡ଼ିଲା । କାରଣ ଏଠି ୭ ମାସ ହେଲା ନାହାନ୍ତି ଅଧ୍ୟକ୍ଷା କି ୭ଜଣ ସଦସ୍ୟା । ତଥ୍ୟ କହୁଛି ଗଲା ମେ ମାସରେ ୧୯୧ଟି ଅଭିଯୋଗ ମହିଳା କମିଶନରେ ରୁଜୁ ହୋଇଛି । ତାସହ ୭ ମାସର ହିସାବ ଦେଖିଲେ ପ୍ରାୟ ୧୧ ହଜାରରୁ ଅଧିକ ମମାଲା ବି କମିଶନଙ୍କ ପାଖକୁ ଆସିଛି । ହେଲେ ମାତ୍ର ଦୁଇ ଜଣ କାଉନସିଲରଙ୍କ ଦ୍ବାରା ଏସବୁ କେବଳ ପଞ୍ଜିକରଣ କରିବା କଷ୍ଟ ।
ରାଜ୍ୟରେ ସରକାର ବଦଳିବା ପରେ ଗତ ନଭେମ୍ବରରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ସଦସ୍ୟ ପଦ ରଦ୍ଦ କରାଯାଇଥିଲା । ଯଦିଓ ନିୟମ ଅନୁସାରେ ଅଧ୍ୟକ୍ଷା ୩ ବର୍ଷ ପାଇଁ ତାଙ୍କ ପଦବୀରେ ରହିବା କଥା, କିନ୍ତୁ ଅବଧି ପୂରଣର ବର୍ଷେ ଆଗରୁ ମିନତୀ ବେହେରାଙ୍କୁ ପଦରୁ ହଟା ଯାଇଥିଲା । ସେବେଠୁ ସେ ଚୌକି ଖାଲି ।
ଅଧିକ ପଢନ୍ତୁ: ଆସନ୍ତାକାଲିଠୁ BMC ପାଳିବ ଡ୍ରାଏ ଡେ, କାରଣ ଜାଣନ୍ତୁ
ସମାନ ଅବସ୍ଥା ରାଜ୍ୟ ଶିଶୁ ସୁରକ୍ଷା କମିଶନରେ । କୋମଳମତି ଶିଶୁଙ୍କ ସୁରକ୍ଷା ଯେମିତି ରାଜ୍ୟରେ ଠପ୍ ପଡ଼ିଛି । ସେମିତି ଦୁର୍ନୀତି ବିରୁଦ୍ଧରେ ନ୍ୟାୟ ପାଇଁ ଗଠିତ ଲୋକାୟୁକ୍ତରେ ମଧ୍ୟ ଗତବର୍ଷ ଅଗଷ୍ଟରୁ ମୁଖ୍ୟ ପଦବୀ ଖାଲି ପଡ଼ିଛି । ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅବସର ପରେ ଆଉ କାହାକୁ ନିଯୁକ୍ତି ଦିଆଯାଇନି, କି ନୂଆ କିଏ ହେବେ, ତା ସ୍ବର ଶବ୍ଦ ବି ଶୁଭୁନି । ଏଭଳି ସ୍ଥିତିକୁ ନେଇ ମହିଳା ଓ ଶିଶୁ ଅଧିକାର କର୍ମୀ ସରକାରଙ୍କୁ ଦାୟୀ କରିଥିବାବେଳେ ବିରୋଧୀ ସରକାରଙ୍କୁ ନିଶାନା କଲେଣି । ଏମିତିକି ଶୀଘ୍ର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାରେ ଆସୁଥିବା ପଦବୀ ଗୁଡ଼ିକ ପୂରଣ ନହେଲେ ଦଳ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲାଣି।
ତେବେ ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲେ ବି ସେ କିଛି ପ୍ରତିକ୍ରିୟା ରଖିନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)