• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଖୋର୍ଦ୍ଧା ଜିଲ୍ଲାରେ ବିଗତ 2-3 ମାସ ଧରି ବିଭିନ୍ନ ବ୍ୟାଙ୍କର ଏଟିଏମ୍ ସବୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଅଚଳ ହେବାକୁ ନେଇ ଟେନସନରେ ଗ୍ରାହକ, ଟେନସନରେ ଏଟିଏମ୍ ବସାଇଥିବା କଂପାନି । ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମ୍କୁ ନିର୍ଦ୍ଦିଷ୍ଟ ଦିନ ପାଇଁ ଏମିତି ସମାନ ଢଙ୍ଗରେ ଟାର୍ଗେଟ୍ କରାଯାଉଥିବାରୁ ଏହା ପଛରେ ବଡ଼ ଧରଣର ରାକେଟ୍ ସଂପୃକ୍ତିର ସନ୍ଦେହ ଉଠିଛି । ଅଭିଯୋଗକୁ ନେଇ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲା ବେଳେ, ଏହାଦ୍ବାରା କାହାର କି ଫାଇଦା ହେବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦେଖିବା ଓଟିଭିର ଏକ୍ସକ୍ଲୁସିଭ ରିପୋର୍ଟ ।

Also Read


ଗୋଟିଏ କି ଦୁଇଟା ନୁହେଁ, ଗତ ଦୁଇ ମାସରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମର ଅଚଳ ସ୍ଥିତି । ଜଙ୍କିଆଠୁ ନେଇ ନିରାକାରପୁର, ଟାଙ୍ଗୀଠୁ ନେଇ ନାଚୁଣୀ, ବାଲୁଗାଁ । ସବୁ ଏଟିଏମର ସମାନ ଅବସ୍ଥା । ବଡ଼ କଥା ହେଉଛି ଆଗରୁ ସବୁ ଠିକ୍‌ଠାକ୍ । କିନ୍ତୁ ମାସ ଆରମ୍ଭରୁ ଅର୍ଥାତ୍ 1ରୁ 7-8 ତାରିଖ ଭିତରେ, ଯେତେବେଳେ ପେନସନ୍ ଭୋଗୀ ହୁଅନ୍ତୁ କି ଚାକିରିଆ ଶ୍ରେଣୀର ଲୋକ ଦରମା ଆସିବା ପରେ ଟଙ୍କା ଉଠାଇବାକୁ ଯାଉଛନ୍ତି, ସେତିକି ବେଳକୁ ଏଟିଏମ୍କୁ ଗଲେ ଦହଗଞ୍ଜ ହିଁ ସାର । 

ଦୁର୍ବୃତ୍ତମାନେ ଏଟିଏମ୍ କାର୍ଡରେ କୌଣସି ଏକ ଅଠା ଲଗାଇ ମେସିନରେ ସେଇ କାର୍ଡକୁ ଇନସର୍ଟ କରୁଛନ୍ତି, ଏଇ ଅଠା କାର୍ଡ ରିଡରରେ ଲାଗିଗଲା ପରେ ଏହା ଅଚଳ ହୋଇଯାଉଛି । ଫଳରେ ଗ୍ରାହମାନେ ଟଙ୍କା ଉଠାଇ ନପାରି ଅନ୍ୟ ଏଟିଏମ୍ କିମ୍ବା ଗ୍ରାହକ ସେବା କେନ୍ଦ୍ରରୁ ଏକ୍ସଟ୍ରା ଚାର୍ଜ ଦେଇ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛନ୍ତି ।

ଅଧିକ ପଢନ୍ତୁ: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ! ଚୌକି ପଡିଛି ଖାଲି, କିଏ ଦେବ ନ୍ୟାୟ ?

ଏବେ ମାସ ଆରମ୍ଭ ସମୟ । ତେଣୁ ଗତ 4 ଦିନ ଭିତରେ ଦୁର୍ବୃତ୍ତମାନେ ପ୍ରାୟ ୧୨ ରୁ ଅଧିକ ଏଟିଏମ୍ ଅଚଳ କରିଦେଇଥିବାର ଅଭିଯୋଗ କରିଛନ୍ତି ବିଭିନ୍ନ ବ୍ୟାଙ୍କ ପାଇଁ ଏଟିଏମ୍ ପ୍ରସ୍ତୁତକାରୀ ଏମ୍ସିଆର୍ କଂପାନି । ଏହା ପଛରେ ନିର୍ଦ୍ଦିଷ୍ଟ ଭାବେ କିଛି ଏଜେନ୍ସି କିମ୍ବା ଗ୍ରାହକ ସେବାକେନ୍ଦ୍ରମାନଙ୍କର ହାତ ଥାଇପାରେ ବୋଲି କଂପାନି ସନ୍ଦେହ କରୁଥିଲା ବେଳେ ଖୋର୍ଦ୍ଧା ଏସପି କହିଛନ୍ତି, ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି ।