/odishatv-khabar/media/post_attachments/uploadimage/library/16_9/16_9_0/PDS_1670474459.jpg)
PDS
୫ ମାସ ହେଲାଣି ମିଳୁନି ରାସନ ଚାଉଳ । ମାଗିଲେ ମିଳୁଛି ଧମକ । ହଇରାଣ ହେଉଛନ୍ତି ୫ ଗାଁର ୧୦୦ ଲୋକ । ସରକାର ଦେଉଛନ୍ତି, ହେଲେ ଲୋକ ପାଉନାହାନ୍ତି । ମାସେ କି ଦୁଇମାସ ନୁହେଁ ବରଂ ୫ ମାସ ହେଲାଣି ମିଳୁନି ରାସନ । ଆଉ ନିଜ ପ୍ରାପ୍ତ ବାବଦକୁ ମିଳୁଥିବା ଚାଉଳ କଥା ପଚାରିଲେ ମିଳୁଛି ଖୋଲା ଧମକ । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଖଇରା ଅଂଚଳରୁ ।
ଜିଲ୍ଲାର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତର ୫ ଟି ଗାଁର ପ୍ରାୟ ୧୦୦ ଲୋକଙ୍କୁ ୫ ମାସ ହେବ ମିଳୁନି ରାସନ । କାହିଁକି ରାସନ ସେମାନଙ୍କୁ ମିଳୁନାହିଁ, ଏନେଇ ହିତାଧିକାରୀଙ୍କ ପାଖରେ ବି କିଛି ସୂଚନା ନାହିଁ । ପଂଚାୟତରେ ଶଶିକାନ୍ତ ମୁଦୁଲି ଡିଲର ଅଛନ୍ତି। ସରକାରୀ ନିୟମ ଅନୁସାରେ, କିଶୋରନଗର,ଅଳଦା, ରାମକୃଷ୍ଣପୁର,ବରୁଣପଦୀ ଓ ସୁବଳିଆପାଟଣା ଗାଁର ଲୋକଙ୍କୁ ରାସନ ଦେବାର କଥା ।
କିନ୍ତୁ ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ଅଧିକାଂଶ ସମୟ ସେମାନେ ରାସନ ପାଉନାହାନ୍ତି । ଏମିତିକି କରୋନା ପାଇଁ ଯେଉଁ ମାଗଣା ଚାଉଳ ମିଳିଥିଲା ତାହା ବି ଠିକ୍ରେ ବିତରଣ କରିନାହାନ୍ତି ଡିଲର । କିନ୍ତୁ ହିତାଧିକାରୀଙ୍କ ନାଁରେ ଚାଉଳ ଓ ଗହମ ଦିଆଯାଇଥିବା ରେକର୍ଡ କହୁଛି। ଜଣେ କି ଦୁଇ ଜଣ ନୁହେଁ ବରଂ ୧୦୦ ଜଣଙ୍କ ରାସନ କାର୍ଡରେ ଏମିତି ହୋଇଛି ଗଫଲତି । ଆଉ ସତ ଜାଣିବା ପରେ ହାତରେ ରାସନ କାର୍ଡ ଧରି ଏମିତି ଆନ୍ଦୋଳନ କରୁଛନ୍ତି ହିତାଧିକାରୀ ।
ଅଧିକ ପଢ଼ନ୍ତୁ: ଦୁର୍ନୀତିର ଚରମ ସୀମା ! ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ
ସରକାର ଦେଉଥିବା ଗଣ୍ଡାଏ ଚାଉଲରେ ଏମାନଙ୍କର ସଂସାର ଚାଲେ । ହେଲେ ଏଇ ଖଟିଖିଆଙ୍କ ପେଟରେ ନାତ ଦେଇ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଡିଲର ମହାଶୟ । ଡିଲରଙ୍କ ମନମାନିକୁ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକେ ହେଲେ କିଛି କାର୍ଯ୍ୟାନୁଷ୍ଠାନ ନାହିଁ ।
ଅଭିଯୋଗ କେବଳ ଏତିକିରେ ସରିନି ବରଂ ଚାଉଳ ଆଣିବାକୁ ଯିବା ବେଳେ ଡିଲରଙ୍କ ପରିବାର ଲୋକ ହିତାଧିକାରୀଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ସଙ୍ଗୀନ ଅଭିଯୋଗ ବି ହୋଇଛି । ତେବେ ଏନେଇ ଖଇରା ବିଡ଼ିଓଙ୍କୁ ପଚାରିବାରୁ ଡିଲର ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିବା ସହିତ ହିତାଧିକାରୀଙ୍କୁ ପାଇନଥିବା ରାସନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ଦେଖିବାକୁ ବାକି ରହିଲା କେବେ ଚାଉଳ ପାଉଛନ୍ତି ହିତାଧିକାରୀ ।
(ରିପୋର୍ଟ- ବାଲେଶ୍ୱର ସୋରରୁ ନିରଞ୍ଜନ ବେହେରା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)