/odishatv-khabar/media/post_attachments/uploadimage/library/16_9/16_9_0/murder_1748267121.jpg)
murder
ପତ୍ନୀଙ୍କ ସହିତ ସ୍ବାମୀଙ୍କର ଆଦୌ ସମ୍ପର୍କ ଭଲ ନଥିଲା। ପରସ୍ପର ମଧ୍ୟରେ ନିୟମିତ କଳି ଲାଗୁଥିଲା। ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ରାକ୍ଷସ ସ୍ବାମୀ ମନ ଭିତରେ ରଚୁଥିଲା ଷଡ଼ଯନ୍ତ୍ର। କିନ୍ତୁ ପୁଲିସ ହାତରେ ବନ୍ଧା ହେବାର ଭୟ ଘାରିଥିଲା। ତେବେ ସେ ପତ୍ନୀଙ୍କୁ ମାରିବ କେମିତି? ସାପ ମରିବ ହେଲେ ବାଡ଼ି ଭାଙ୍ଗିବନି। ହତ୍ୟାକାଣ୍ଡକୁ କିଭଳି ଲୁଚାଯାଇପାରିବ ଏଥିପାଇଁ ଅନଲାଇନରେ ସେ ବହୁତ କୌଶଳ ଖୋଜିଲା। ଶେଷରେ ଏକ ଭିଡିଓ ତାକୁ ମିଳିଥିଲା। ଯେଉଁଥିରେ ମଣିଷ ମାରିବା ପରେ ଏହାକୁ କିଭଳି ଦୁର୍ଘଟଣାର ରୂପ ଦିଆଯିବ ଓ ପୁଲିସ ହାବୁଡ଼ରୁ ବଞ୍ଚିପାରିବ, ସେ କୌଶଳ ଦେଖିଲା। ସେହି ଅନୁଯାୟୀ ପତ୍ନୀଙ୍କୁ ଚିପ୍ସରେ ବିଷ ଦେଇ ଖୁଆଇବା ପରେ ଶ୍ବାସରୁଦ୍ଧ କରି ହତ୍ୟା କଲା। ପରେ ଗାଡ଼ିକୁ ଦୁର୍ଘଟଣା ଘଟାଇ ଦୂର୍ଘଟଣାର ରୂପ ଦେଲା। କିନ୍ତୁ ଯେତେବେଳେ ଏହି ଘଟଣାର ପର୍ଦ୍ଦାଫାସ ହେଲା ସେତେବେଳେ ରାଜସ୍ଥାନ ପୁଲିସ ଚକିତ ହୋଇଯାଇଥିଲା।
କାହିଁକି ବୁଣାହେଲା ହତ୍ୟାକାଣ୍ଡର ମଞ୍ଜି
ରାଜସ୍ଥାନ ଜୟପୁରର ଆଦର୍ଶ ବସ୍ତି ଟୋଙ୍କ ଫାଟକ ଅଞ୍ଚଳର ବାସିନ୍ଦା ମହେଶ ଓରଫ ଜିତୁ ସାଇନି। ତାଙ୍କ ପତ୍ନୀ ପାରୁଲ ସାଇନି। ଏହି ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସବୁଦିନ କଳି ଲାଗି ରହୁଥିଲା। ଅଲଗା ଅଲଗା ଘର ତିଆରି କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏଭଳି କିଛି କାରଣରୁ ହତ୍ୟାକାଣ୍ଡ ଭଳି ବଡ଼ ଷଡ଼ଯନ୍ତ୍ରର ମଞ୍ଜି ବୁଣାଯାଇଥିଲା।
ଅଧିକ ପଢ଼ନ୍ତୁ: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି
ଶିଖିଲା ହତ୍ୟାକାଣ୍ଡର କୌଶଳ
ମହେଶ ଅନଲାଇନରେ ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟାକାଣ୍ଡର କୌଶଳ ଶିଖିଲା। ବିଭିନ୍ନ ଭିଡିଓ ହତ୍ୟାକାଣ୍ଡକୁ ନେଇ ଦେଖିଲା। ଶେଷରେ ଗୋଟିଏ ଭିଡିଓ ମହେଶର ମନକୁ ପାଇଥିଲା। ଏଥିରେ ଯାହାକୁ ମାରିବ, ତାକୁ ଖାଦ୍ୟରେ ବିଷ ଦେବା ପରେ ପରେ ଶ୍ବାସରୁଦ୍ଧ କରି ହତ୍ୟା କରିବ। ଗାଡ଼ିରେ ବସାଇ ରାସ୍ତା ପାର୍ଶ୍ବକୁ ଠେଲିଦେଲେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବ। ଶେଷରେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇ ପୁଲିସ ହାବୁଡ଼ରୁ ଖସିଯିବାର ଏକ ଭଲ କୌଶଳ ମହେଶର ପସନ୍ଦ ଆସିଥିଲା। ସେହି ଅନୁଯାୟୀ ସେ ଆଗକୁ ବଢ଼ିଥିଲା।
ପାରୁଲ ଖାଇଲେ ବିଷ ଦିଆ ଚିପ୍ସ
ପତ୍ନୀ ପାରୁଲଙ୍କୁ ଉତ୍ତରପ୍ରଦେଶରେ କୁମ୍ଭମେଳା ଦେଖିବାକୁ ଯିବାକୁ ପ୍ରସ୍ତାବ ଦେଇଥିଲା। ପାରୁଲ ରାଜି ହୋଇଯାଇଥିଲେ। ପାରୁଲଙ୍କ ମନରେ ଯେଭଳି କୌଣସି ସନ୍ଦେହ ନହୁଏ ସେଥିପାଇଁ ମଥୁରାରୁ ପ୍ରୟାଗରାଜ ଯାଏ ମହେଶ ଗାଡ଼ି ଟିକଟ ମଧ୍ୟ ବୁକ କରିଥିଲା। କୁମ୍ଭମେଳା ନେବା ବାହାନାରେ ଫେବୃଆରୀ ୧୮ ସକାଳେ ଜୟପୁରରୁ ଦୌସାକୁ କାର ଯୋଗେ ଆଣିଥିଲେ। ଏହା ପରେ ସେ ସିଭିଲ୍ ଲାଇନ୍ସ ଅଞ୍ଚଳରେ ଅଟକିଥିଲା। ଶୂନଶାନ ରାସ୍ତା। ସେଠାରେ ପୁର୍ବ ଯୋଜନା ଅନୁଯାୟୀ ଚିପ୍ସରେ ବିଷ ମିଶାଇ ପାରୁଲଙ୍କୁ ଖୁଆଇଥିଲା ମହେଶ। ପାରୁଲଙ୍କ ମନରେ ଏଭଳି କୌଣସି ଷଡ଼ଯନ୍ତ୍ରର ଗନ୍ଧ ବାଜିନଥିଲା। ଏହା ପରେ ପାରୁଲଙ୍କ ନାକ ଏବଂ ମୁହଁକୁ ଚାପି ହତ୍ୟା କରିଥିଲା ରାକ୍ଷସ ମହେଶ।
ଦୁର୍ଘଟଣାର ମିଛ ନାଟକ
ପାରୁଲଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣା ବୋଲି ଦେଖାଇବା ପାଇଁ ମହେଶ କାରକୁ ରାଜପଥରୁ ଠେଲି ଦେଇଥିଲା। କାରଟି ରାସ୍ତା ପାର୍ଶ୍ବରେ ଥିବା ଏକ ବଡ଼ ଖାଲରେ ପଡ଼ିଥିଲା। ସେଠାରେ ମହେଶ ଅଚେତ ହେବାର ଅଭିନୟ କରିଥିଲା। ଦୌସା ପୁଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ପହଞ୍ଚିଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ପାରୁଲଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ମହେଶ ଜୀବିତ ଥିଲା। ସେ ଯେହେତୁ ମିଛରେ ଅଚେତର ଅଭିନୟ କରୁଥିଲା, ତାର କିଛି ହୋଇନଥିଲା। ଆଉ ମହେଶର ଯୋଜନା ସଫଳ ହୋଇଥିଲା।
ହୋସ୍ ଉଡ଼ାଇଦେଲା ବ୍ୟବଚ୍ଛେଦ ରିପୋର୍ଟ
ଉତ୍ତର ପ୍ରଦେଶର ଆଲିଗଡ଼ରୁ ମୃତ ପାରୁଲଙ୍କ ପରିବାର ସଦସ୍ୟମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ଦୁର୍ଘଟଣାକୁ କେହି ବିଶ୍ବାସ କରିନଥିଲେ। ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଥିଲେ। ସେଥିପାଇଁ ଶବ ନେବାକୁ ମନା କରିଥିଲେ। କିନ୍ତୁ ପୁଲିସ ପ୍ରଥମେ ଏହି ଅଭିଯୋଗକୁ ଗ୍ରହଣ କରୁନଥିଲା। ପରେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ତାଙ୍କ ରିପୋର୍ଟ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପରିବାର ଲୋକ ପାରୁଲଙ୍କ ଶବ ନେଇ ସଂସ୍କାର କଲେ। ତଦନ୍ତ ଚାଲିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ, ଏଫଏସଏଲ ରିପୋର୍ଟ ଯେତେବେଳେ ସାମନାକୁ ଆସିଲା ପୁଲିସର ହୋସ୍ ଉଡ଼ିଯାଇଥିଲା। ପାରୁଲଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ମିଳିଥିଲା। ତାଙ୍କୁ ଶ୍ବାସ ରୁଦ୍ଧ କରାଯାଇଥିଲା। ତେବେ ଦୁର୍ଘଟଣାରେ ଏସବୁ ଘଟିବାର କୌଣସି ସମ୍ଭାବନା ନଥିବାରୁ ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ହତ୍ୟା ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା।
ତିନି ମାସ ପରେ ଧରାପଡ଼ିଲା ସ୍ବାମୀର ଚାଲାକି
ସେଦିନ ଥାଏ ମେ ୧୭ ତାରିଖ। ହତ୍ୟାକାଣ୍ଡକୁ ପ୍ରାୟ ତିନି ମାସ ପୂରିଥାଏ। ପାରୁଲଙ୍କ ହତ୍ୟା ଘଟଣାରେ ପୁଲିସ ବଡ଼ ଖୁଲାସା କରିଥିଲା। ପାରୁଲଙ୍କ ହତ୍ୟା ଆଉ କେହି ନୁହେଁ ବରଂ ତାଙ୍କ ସ୍ୱାମୀ କରିଥିବା ପ୍ରମାଣ ମିଳିଥିଲା। ହତ୍ୟା ଦିନ ଏହି ମାମଲାକୁ ଏକ ଦୁର୍ଘଟଣା ଭଳି ଦେଖାଇଥିଲ। ମହେଶର ଚାଲାକି ଧରାପଡ଼ିବା ପରେ ପୁଲିସ ତାକୁ ସେଦିନ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)