• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଚ୍‌ ବଜାରରେ ସମସ୍ତଙ୍କ ସାମ୍ନାରେ ପୋଲିସ ମାରିଲା ଗୁଳି । ସେଇଠି ଟଳି ପଡ଼ିଲା ଦୁର୍ବୃତ୍ତ । ଭାଇରାଲ ହେଲା ଭିଡିଓ । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର କାଲବୁରଗାଇ ସହରର ମାର୍କେଟ ଉପରେ । ପୁରା ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଘଟଣା । ଯିଏ ବି ଭିଡିଓ ଦେଖୁଛି ପ୍ରଥମେ ଏହା କୌଣସି ଫିଲ୍ମର ଅଂଶ ବୋଲି କହୁଛି । ଆଉ ତା’ପରେ ପୁରା ଘଟଣା ଜାଣିବା ପରେ ହେଉଛି ବିଶ୍ୱାସ । 

ଜଣେ ବ୍ୟକ୍ତି ବଜାର ଉପରେ ଏକ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିଲା । ସମସ୍ତଙ୍କୁ ଧମକ ଚମକ ଦେଉଥିଲା । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲା । ଆଉ ଦୁର୍ବୃତ୍ତଙ୍କୁ ବୁଝାସୁଝା କରି କାବୁ କରିବାକୁ ଚେଷ୍ଟା କଲା । ହେଲେ ବିଫଳ ହେଲା । ପୋଲିସ ଦେଖି ଦୁର୍ବୃତ୍ତ ଜଣକ ଡରିବା ବଦଳରେ ଅଧିକ ଉତ୍ତେଜିତ ହୋଇଥିଲେ । ଆଉ ଚିତ୍କାର କରି ଲୋକଙ୍କ ଆଡ଼କୁ ଭୁଜାଲି ଧରି ମାଡ଼ି ଆସିଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଚଳାଇଥିଲା ଗୁଳି । ଦୁର୍ବୃତ୍ତର ଗୋଡ଼କୁ ଗୁଳି କରିଥିଲା ପୋଲିସ । ଆଉ ସେଇଠି ହିଁ ଚିତ୍କାର କରି ତଳେ ପଡ଼ିଯାଇଥିଲା ଦୁର୍ବୃତ୍ତ ।

ଅଧିକ ପଢ଼ନ୍ତୁ: ଚଳନ୍ତା ଗାଡ଼ିରୁ ଡେଇଁ ଫିଲ୍ମ ଷ୍ଟାଇଲ୍‌ରେ ଚୋରକୁ ଧରିଲେ କନଷ୍ଟେବଲ, ଦେଖନ୍ତୁ ଭିଡିଓ

ତାପରେ ସେହି ରାସ୍ତା ଉପରେ ଦୁର୍ବୃତ୍ତକୁ ନିର୍ଧୁମ ପିଟିଥିଲା ପୋଲିସ । ଗୋଇଠା ବିଧା ମାରିବା ସହ ଠେଙ୍ଗାରେ ବି ପିଟିଥିଲା । ଶେଷରେ ଅଧାମରା କରି ପୋଲିସ ଗାଡ଼ିରେ ଥାନାକୁ ନେଇଥିଲା । ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ରବିବାର ଏହି ଘଟଣା ଘଟିଥିବା କୁହାଯାଉଛି । ଦୁର୍ବୃତ୍ତ ଜଣକ ଫଜାଲ ଭଗବାନ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।