• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ପୋଲିସ ଅଧିକାରୀ ଏକ ଚେନ୍ ସ୍ନାଚରକୁ ଧରୁଛନ୍ତି । ତେବେ ବଡ଼ କଥା ହେଲା ଚେନ୍ ସ୍ନାଚର ବା ଚୋର ଚେନ୍‌ ଝାମ୍ପି ବାଇକ୍‌ରେ ଚମ୍ପଟ ମାରୁଥିବା ବେଳେ ସମ୍ନା ପଟରୁ ଜଣେ ପୋଲିସ କନଷ୍ଟେବଲଙ୍କ ଆସୁଥିଲେ । ସେହି ସମୟରେ କନଷ୍ଟେବଲ ଜଣକ ମଧ୍ୟ ବାଇକ୍‌ରେ ଥିଲେ ।

ହେଲେ ସେ ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ । ଏମିତିକି ଚୋରର ବାଇକ୍‌ରେ ମଧ୍ୟ ଧକ୍କା ହୋଇଥିଲା । ତାଙ୍କ ଗାଡ଼ି ତଳେ ପଡ଼ିବା ଫଳରେ ଭାଙ୍ଗିଥିବା ମଧ୍ୟ ଜଣାପଡ଼ିଛି । ସିସିଟିଭିରେ କଏଦ୍ ହୋଇଥିବା ଏହି ସମୟର ଭିଡିଓ ଦେଖିଲେ ଯେତିକି କୌତୁହଳ ଲାଗୁଛି, ସେତିକି ପୋଲିସ ବାବୁଙ୍କ ସାହସିକତା ଦେଖି ଗର୍ବ ମଧ୍ୟ ଲାଗୁଛି ।

ତେବେ ଏହି ଚୋରକୁ ଗିରଫ କରିଛି ପୋଲିସ । ଗିରଫ କରିବା ପରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପ୍ରାୟ ୧୧ଟି ପେଣ୍ଡିଂ କେସ୍‌ର ତଥ୍ୟ ଏହି ଚୋରଠୁ ଓଗାଳିଛି ପୋଲିସ । ଖୁବ୍‌ଶୀଘ୍ର ଏହି ୧୧ଟି ପେଣ୍ଡିଂ କେସ୍‌ ସାମାଧାନ ହେବ ବୋଲି ପୋଲିସ କହିଛି । ତେବେ କନଷ୍ଟେବଲଙ୍କ ଏଭଳି ସାହସିକତା ପାଇଁ ଜଣେ ମହିଳା ତାଙ୍କ ସୁନାର ହାର ତୁରନ୍ତ ଫେରିପାଇଛନ୍ତି । ପୋଲିସ ପକ୍ଷରୂ ଏନେଇ ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଖାଲି ସେତିକି ନୁହେଁ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଘଟଣାର ଭିଡିଓ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରରେ ପୋଷ୍ଟ କରାଯାଇଛି । ପୋଲିସ ଏହି ଭିଡିଓ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏମିତି ଉକ୍ତ ପୋଲିସ କନଷ୍ଟେବଲଙ୍କୁ ସମସ୍ତେ ସାଧୁବାଦ୍ ଜଣାଇଛନ୍ତି । ଏହି କନ୍‌ଷ୍ଟେବଲଙ୍କ ନାଁ ସତ୍ୟେନ୍ଦ୍ର ବୋଲି ଜଣାପଡ଼ିଛି ।