• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନା ଡିଭିଏଫ୍, ନା ଏସଓଜି, ମାଓ ଅପରେସନରେ SIW । ଆଣ୍ଟି ନକ୍ସଲ ଫୋର୍ସ ପହଁଚିବା ପୂର୍ବରୁ ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ୱିଙ୍ଗର ସ୍ପେଶାଲ ଅପରେସନ୍ । ଗତକାଲି କଳାହାଣ୍ଡିର ଏମ୍. ରାମପୁର ଟାପରଙ୍ଗ ରିଜର୍ଭ ଫରେଷ୍ଟରେ ନକ୍ସଲଙ୍କୁ ଏନକାଉଣ୍ଟର କରିଛି SIW । କେବେବି ସିଧାସଳଖ ନକ୍ସଲ ଅପରେସନରେ ସାମିଲ ନଥିବା SIW ଅଧିକାରୀ ଦେଖାଇଛନ୍ତି ସାହସ । ତିନି ତିନି ଜଣ ନକ୍ସଲଙ୍କୁ କରିଛନ୍ତି ଗୁଳି ।

ମଙ୍ଗଳବାର କଳାହାଣ୍ଡିର ଟାପରଙ୍ଗ ରିଜର୍ଭ ଫରେଷ୍ଟ.. ଜଙ୍ଗଲରେ ୨୫ରୁ ୩୦ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ପାଇଥିଲା ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ୱିଙ୍ଗ । ସେଥିରୁ କିଛି ମାଓବାଦୀ ରାସନ ସାମଗ୍ରୀ କିଣିବାକୁ ପାଖ ଗାଁକୁ ଆସିଥିଲେ । ଡିଏସପି ଅତୁଲ ଦାସଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗାଁରେ ପହଁଚିଥିଲେ । କଳାହାଣ୍ଡି ପୋଲିସକୁ ଖବର ଦେଇ ନଜର ରଖିଥିଲେ ମାଓବାଦୀଙ୍କ ଉପରେ । ତେବେ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOର କମାଣ୍ଡୋ ପହଁଚିବା ପୂର୍ବରୁ ସଉଦା କିଣି ଗାଁରୁ ବାହାରିଯାଉଥିଲେ ମାଓବାଦୀ ।

ସୁଯୋଗ ହାତଛଡା ନକରି ସାହସ ଦେଖାଇଥିଲେ SIW ଟିମ୍। ମାଓବାଦୀଙ୍କୁ ସରେଣ୍ଡର କରିବାକୁ କହିଥିଲେ। ହେଲେ ଗୋଟିଏ ପରିତ୍ୟକ୍ତ ଘର ଭିତରେ ଲୁଚି ପୋଲିସ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ। ଗୁଇନ୍ଦା ଦଳ ବି ପାଲଟା ଗୁଳି ଚଳାଇଥିଲେ । ଏଥିରେ ତିନି ନକ୍ସଲ ଟଳିପଡିଥିଲେ । ନିହତ ମାଓବାଦୀ KKBN ଗ୍ରୁପର ହୋଇଥିବା ଅନୁମାନ କରାଯାଉଛି । ସେମାନଙ୍କ ଠାରୁ ଗୋଟିଏ ଏକେ-୪୭ ରାଇଫଲ ଜବତ ହୋଇଛି ।

ତେବେ ମାଓବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ଡିଏସପି । ତାଙ୍କୁ ତୁରନ୍ତ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର କାମ ହେଉଛି, ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କ ବାବଦରେ ମାଓ ବିରୋଧୀ ଅପରେସନ କରୁଥିବା ଏସଓଜି, ଡିଭିଏଫ ତଥା କେନ୍ଦ୍ରୀୟ ଫୋର୍ସକୁ ସୂଚନା ଦେବା । SIWର ସୂଚନା ଆଧାରରେ ଘଂଚ ଜଙ୍ଗଲରେ ବଡ ବଡ ମାଓ ବିରୋଧୀ ଅପରେସନ କରାଯାଇଥାଏ । ସାଧାରଣତ ସିଧାସଳଖ ମାଓ ଅପରେସନରେ SIW ସାମିଲ ହୁଏନି । ତେବେ ଛୋଟ ଛୋଟ ଅପରେସନ କରିବାର କ୍ଷମତା ଓ ଦକ୍ଷତା ରହିଛି SIW ପାଖରେ ।

ଏପଟେ ନକ୍ସଲ-ପୋଲିସ ଗୁଳି ବିନିମୟରେ ଆହତ ଡିଏସପିଙ୍କୁ ଭେଟିଛନ୍ତି ପୋଲିସ ଡିଜି । ଆଜି ଡିଜିପି ସୁନୀଲ ବଂଶଲ, ଏଡିଜି ଅପରେସନ୍ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଭୁବନେଶ୍ୱର ଏମ୍‌ସକୁ ଯାଇ ଆହତ ଡିଏସପି ଅତୁଲକୃଷ୍ଣ ଦାସଙ୍କୁ ଭେଟିଛନ୍ତି । ତାଙ୍କୁ ବାଜିଥିବା ଦୁଇଟି ଗୁଳିରୁ ଗୋଟିଏ ଗୁଳି ଗୋଡ଼ରେ ବାଜି ବାହାରି ଯାଇଛି, ଅନ୍ୟ ବୁଲେଟକୁ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ସେପଟେ କଳାହାଣ୍ଡି ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ନକ୍ସଲ ଲୁଚିଥିବା ସନ୍ଦେହରେ କମ୍ବିଂ କରୁଛନ୍ତି ସୁରକ୍ଷାକର୍ମୀ ।

  • Reported by:
  • ALOK MOHANTY , CHANDAN PAIKRAY , Rajkumar Shingdeo