• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଟ୍ୟୁବ୍‌ ଦେଖି ପିଲା ଜନ୍ମ ଦେବା ପରେ ନବଜାତକଙ୍କୁ ମାରିଦେଲା କୁଆଁରୀ ମା’ । ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷିୟ ନାବାଳିକା ୟୁଟ୍ୟୁବ ଭିଡିଓ ଦେଖିବା ପରେ ନିଜେ ନିଜର ସନ୍ତାନ ଜନ୍ମ ଦେଇଛି । ଆଉ ପିଲା ଜନ୍ମ ହେବା ମାତ୍ରେ ହିଁ ନବଜାତକର ଗଳା କାଟି ହତ୍ୟା କରି ଏକ ବାକ୍ସରେ ଲୁଚାଇ ରଖିଥିଲା । ଝିଅର ମା ଘରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ନବଜାତକ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି ।

ପିଲା ଜନ୍ମ ଦେବା ପରେ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହେତୁ ନାବାଳିକାର ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି । ନାଗପୁର ସହରର ଅମ୍ବାଜାରୀ ଥାନା ଷ୍ଟେସନ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୀଡିତାଙ୍କ ମା’ କାମ କରିବାକୁ ଯାଇଥିବା ବେଳେ ନାବାଳିକାଟି ୟୁଟ୍ୟୁବରେ ଭିଡିଓ ଦେଖି ପିଲାଟିକୁ ନିଜେ ଜନ୍ମ ଦେଇଥିଲା ।

ଅଧିକ ପଢ଼ନ୍ତୁ: ‘ଜୋରରେ ଶବ୍ଦ ହେଲା, ଦେଖିଲା ବେଳକୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ନବଜାତକ’

ପୋଲିସ ସୂଚନା ଅନୁସାରେ, ସୋସିଆଲ ମିଡିଆ ରେ ନାବାଳିକା ଜଣକ ଜଣେ ଯୁବକଙ୍କୁ ଭେଟିଥିଲା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ତା’ପରେ ଯୁବକ ଜଣକ ନାବାଳିକାକୁ ଯୌନ ଶୋଷଣ କରିଥିଲେ । ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲା । ହେଲେ ଅସୁସ୍ଥ ଥିବା ମା’ଙ୍କୁ ଗର୍ଭବତୀ ହେବା କଥା ଲୁଚାଇ ରଖିଥିଲା ନାବାଳିକା ।

ଏବେ ନବଜାତକକୁ ମାରିଦେବା ପରେ ନାବାଳିକାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଯୌନ ଅପରାଧ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ହତ୍ୟା ମାମଲା ରୁଜୁ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଏବେ ମାମଲାର ଛାନଭିନ୍‌ ଆରମ୍ଭ ହୋଇଛି ।